ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ହେଲେ ରାଜ୍ୟରେ ଏଯାଏ କୌଣସି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରି ନାହାନ୍ତି। ଏହା ପୂର୍ବରୁ କାହାକୁ ଟିକେଟ୍ ମିଳିବ ଓ କାହାର କଟିବ, ତାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଏମିତି ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। ତାଙ୍କୁ କୁଆଡ଼େ ଟିକେଟ୍ ଦିଆଯିବନି ବୋଲି ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚାକୁ ନେଇ ରମେଶଙ୍କ ସମର୍ଥକମାନେ ଫିଡ଼ିକି ଯାଇଥିବା ବେଳେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ତାଙ୍କ ସପକ୍ଷରେ ବାହାରିଛନ୍ତି।
ଆଜି ସିଦ୍ଧାନ୍ତ କହିଛନ୍ତି, ୫ ଥର ଜିତି ଥିବା ବିଧାୟକଙ୍କୁ କାହିଁକି ଟିକେଟ୍ ଦିଆଯିବନି ବୋଲି କୁହାଯାଉଛି। ଯଦି ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ୍ ନ ଦିଆଯାଏ ଓ ସେ ସ୍ୱାଧୀନ ଭାବେ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ନ୍ତି, ତା’ହେଲେ ବିଜେଡି ଅସୁବିଧାରେ ପଡ଼ିପାରେ। କାରଣ ସେ ୫ ଥର ବିଧାୟକ ହୋଇଛନ୍ତି। ଏହା କିଛି ଛୋଟ କଥା ନୁହେଁ। ତାଙ୍କର ବି ସମର୍ଥକ ନିଶ୍ଚିତ ରହିଛନ୍ତି। ତେଣୁ ଦଳ ପାଇଁ ବାଧା ସୃଷ୍ଟି ହୋଇପାରେ। ଯଦି ସେ ନଲଢ଼ନ୍ତି, ତା’ହେଲେ ଅଲଗା କଥା। ତାହା ତାଙ୍କ ଉପରେ ନିର୍ଭର କରେ।
ସେ ଆହୁରି କହିଛନ୍ତି,“ଦଳୀୟ ନେତୃତ୍ୱ କିଛି ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇ ଥାଇପାରନ୍ତି। ମୋ ସହିତ ଏ ବିଷୟରେ କିଛି ଆଲୋଚନା କରାଯାଇ ନାହିଁ।”
ତାଙ୍କ ପ୍ରାର୍ଥିତ୍ୱ ସଂପର୍କରେ ସିଦ୍ଧାନ୍ତ କହିଛନ୍ତି ଯେ ଦଳ ତାଙ୍କୁ ଦୁଇ ଥର ଲୋକସଭାକୁ ପଠାଇଛି। ଦଳ ଯେତେବେଳେ ଯାହା ଦାୟିତ୍ୱ ଦେବ, ତାକୁ ତୁଲାଇବି।
ସୂଚନାଯୋଗ୍ୟ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେବା ପରେ ଗତକାଲି ଅପରାହ୍ନରେ ବ୍ରହ୍ମପୁରରେ ବିଜେଡିର ଏକ କର୍ମୀ ସମ୍ମିଳନୀ ହୋଇଥିଲା। ଏଥିରେ ତାଙ୍କୁ ଟିକେଟ୍ ଦିଆଯାଉ ବୋଲି ଦାବି କରାଯାଇଥିଲା।
ବୈଠକ ପରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁବାସ ମହାରଣା କହିଥିଲେ,“ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ବାରମ୍ବାର ଡାକି ଅନ୍ୟ ବିକଳ୍ପ କଥା କହୁଛନ୍ତି। ଯେଉଁମାନେ ଅନ୍ୟଦଳରୁ ବିଜେଡିକୁ ଆସିଛନ୍ତି, ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଉ। ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ନଦେଲେ ଅସନ୍ତୋଷ ବଢ଼ିବ।”
ଗତକାଲି ଚ୍ୟାଉ ପଟ୍ଟନାୟକ କହିଥିଲେ,“ଟିକେଟକୁ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ରହେ। ତେବେ ମୁଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ପାଇଁ ଅବଗତ କରିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।