ହୀରାକୁଦ ଜଳ ଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳ ଭଣ୍ଡାର ନିର୍ମାଣର ପ୍ରମୁଖ ୩ଟି କାରଣ ଥିଲା- ବନ୍ୟା ନିୟନ୍ତ୍ରଣ, ଜଳ ସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ। ଏବେ ଏଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇ ଯାଇଛି। ଏଠାରୁ ଉତ୍ପାଦନ ହେବ ସୌର ବିଦ୍ୟୁତ। ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ସର୍ଭେ କାମ ସରିଯାଇଛି।

ହୀରାକୁଦ ଜଳଭଣ୍ଡାରରେ ରହିଛି ବିସ୍ତିର୍ଣ୍ଣ ଜଳ ରାଶି। ଯେଉଁ ଆଡ଼େ ଚାହିଁବେ କେବଳ ପାଣି ହିଁ ପାଣି। ଏବେ ଏହି ଜଳଭଣ୍ଡାରରେ ନିର୍ମାଣ ହେବାକୁ ଯାଉଛି ସୌର ବିଦ୍ୟୁତ ପ୍ରକଳ୍ପ। ଡ୍ୟାମ୍‌ ଭିତରେ ସୋଲାର ପାନାଲ ଗୁଡ଼ିକରୁ ଉତ୍ପାଦନ ହେବ ବିଜୁଳି। ସେଥିପାଇଁ ଜଳ ରାଶିରେ ଭାସମାନ ଅବସ୍ଥାରେ ରଖାଯିବ ସୋଲାର ପାନେଲ୍‌। ସେହି ପାନେଲ୍‌ ଗୁଡ଼ିକୁ ଏମିତି ଢ଼ଙ୍ଗରେ ରଖାଯିବ ଯେ, ଡ୍ୟାମର ଜଳସ୍ତର କମିଲେ କି ବଢ଼ିଲେ ମଧ୍ୟ ଯେପରି ସ୍ଥାନାନ୍ତର କରିବାକୁ ପଡ଼ିବନାହିଁ।

ଜଳଭଣ୍ଡାରରେ ବ୍ୟବହାର ହେବାକୁ ଥିବା ପାନେଲ ଗୁଡ଼ିକର ଆୟୁଷ ୨୫ ବର୍ଷ ରହିବ। ଭାରତ ସରକାରଙ୍କ ନବୀକରଣଯୋଗ୍ୟ ଉର୍ଜା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସୋଲାର୍‌ ଏନର୍ଜି କର୍ପୋରେସନ ଅଫ୍‌ ଇଣ୍ଡିଆ ଏହି ପ୍ରକଳ୍ପ କାମ ହାତକୁ ନେଇଛି। ପ୍ରକଳ୍ପ ନିର୍ମାଣ ପୂର୍ବରୁ ସର୍ଭେ କାମ ସରିଛି। ଏକ ଘରୋଇ ସଂସ୍ଥା ଡ୍ୟାମ୍‌ର ୧୦ ବର୍ଗ କିଲୋମିଟର ଅଞ୍ଚଳରେ ସର୍ଭେ କାମ ସାରିଦେଇଛି। ତା’ମଧ୍ୟରୁ ୧ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରକଳ୍ପ କାମ କରାଯିବ। ଏ ବାବଦକୁ ଖର୍ଚ୍ଚ ହେବ ପ୍ରାୟ ୨୦୦ କୋଟି ଟଙ୍କା।

ପ୍ରଥମ ପର୍ଯ୍ୟାୟରେ ସୋଲାର ପାନେଲ୍‌ରୁ ୪୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ ହେବ। ଏହି ପ୍ରକଳ୍ପ ପାଇଁ ଓଡ଼ିଶା ଜଳ ସମ୍ପଦ ବିଭାଗ ଓ ଶକ୍ତି ବିଭାଗ ଅନୁମତି ଦେଇଛି। ଏଠାରେ ଉତ୍ପାଦିତ ହେବାକୁ ଥିବା ବିଜୁଳି ଗ୍ରୀଡ୍‌କୋ କିଣିବାକୁ ସହମତି ଦେଇସାରିଛି। ଯାହାର ଗ୍ରୀଡ୍‌ ସବ୍‌ ଷ୍ଟେସନ୍‌ ବୁର୍ଲା କଣ୍ଟାପାଲିରେ ରହିବ।

ହୀରାକୁଦ ନଦୀବନ୍ଧ ନିର୍ମାଣର ତିନିଟି ମୁଖ୍ୟ ଲକ୍ଷ୍ୟ ଥିଲା। ପ୍ରଥମଟି ହେଉଛି ବନ୍ୟା ନିୟନ୍ତ୍ରଣ। ଦ୍ୱିତୀୟଟି ହେଉଛି ଜଳ ସେଚନ। ତୃତୀୟଟି ହେଉଛି ଜଳ ବିଦ୍ୟୁତ ଉତ୍ପାଦନ। ଡ୍ୟାମ୍‌ର ଜଳ ବିଦ୍ୟୁତ ଉତ୍ପାଦନ କ୍ଷମତା ଦୈନିକ ୨୭୫ ମେଗାଓ୍ୱାଟ ରହିଥିବା ବେଳେ ବର୍ତ୍ତମାନ ହାରାହାରି  ୭୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ ହେଉଛି। କିନ୍ତୁ ବିଭିନ୍ନ କାରଣ ଯୋଗୁ ପୂର୍ଣ୍ଣ କ୍ଷମତା ଅନୁସାରେ ବିଜୁଳି ଉତ୍ପାଦନ ହୋଇପାରୁ ନାହିଁ। ଏହି ସମୟରେ ବିନା କୌଣସି ପ୍ରଦୂଷଣରେ ପ୍ରସ୍ତାବିତ ସୌର ବିଦ୍ୟୁତ ପ୍ରକଳ୍ପ ରାଜ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ଫର୍ଦ୍ଦ ଯୋଡିବ ବୋଲି କୁହାଯାଉଛି।

ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି-“ଡ୍ୟାମ୍‌ରୁ ଯେତିକି ଜଳ ବାଷ୍ପୀଭୁତ ହୋଇ ଚାଲିଯାଉଛି, ତାହା ଶିଳ୍ପ ସଂସ୍ଥାମାନେ ନେଉଥିବା ଜଳ ପରିମାଣଠାରୁ ବହୁତ ଅଧିକ। ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ହେଲେ ସୋଲାର ପାନେଲ ଦ୍ୱାରା ଜଳଭଣ୍ଡାର ଢାଙ୍କି ହୋଇଯିବ। ଜଳଭଣ୍ଡାରରୁ ବାଷ୍ପୀକରଣ ହ୍ରାସ ପାଇବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।