ସାଲେପୁର(ଓଡ଼ିଶା ରିପୋର୍ଟର): ପୁଣି କାନ୍ଧରେ ବୁହା ହେଲା ଶବ। ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବା ପରେ ବି ମହାପ୍ରୟାଣ ଗାଡି ନମିଳିବାରୁ ମାଆର ଶବକୁ କାନ୍ଧରେ ବୋହିଲା ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ଜରିପଡା ପଞ୍ଚାୟତ ପଇଗୁଆଁ ଗାଁର କ୍ଷୀରୋଦ ମଲ୍ଲିକଙ୍କ ମାଆ ରମା ମଲ୍ଲିକ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୮ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମାଆଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡିକୁ କ୍ଷୀରୋଦ ଫୋନ କରିଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ସତ୍ତ୍ୱେ ଗାଡି ଆସି ନଥିଲା। ପରେ କ୍ଷୀରୋଦ ତାଙ୍କ ମାଆର ମୃତଦେହକୁ କାନ୍ଧରେ ପକାଇ ପ୍ରାୟ ୧ କିଲୋମିଟର ଚାଲିଚାଲି ଯିବା ପରେ ମହାପ୍ରୟାଣ ଗାଡି ପହଞ୍ଚିଥିଲା।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ସାଧାରଣରେ ଉଦଦେଗ ପ୍ରକାଶ ପାଇଛି। ଯଦି ଗାଡି ଠିକ୍ ସମୟରେ ପହଞ୍ଚୁନି, ତା’ହେଲେ ଯୋଜନା କାହା ପାଇଁ ବୋଲି ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି।