ସରକାର ଏମିତି ଯୋଜନା ଆଣିବେନି ତ ?

ଭୁବନେଶ୍ୱର(ମିହିର ପଟ୍ଟନାୟକ): “ଆମ ଦଳ ଅମୁକ କଲା, ସମୁକ କଲା, ଏସା ଦେଲା, ତେସା ଦେଲା, ତେଣୁ ମଉସା ଆଉ ଭୋଟ ଖଣ୍ଡକ….।” ଏମିତି କଥା ପଦେ କହି ନମସ୍କାର ପକାନ୍ତି ନେଳି ଗାମୁଛା ପରିହିତ ଭୋଟ ଭିକ୍ଷାର୍ଥ। ମହୋଦୟ ନିଜ ଦଳ ସପକ୍ଷରେ ପ୍ରଚାରକୁ ଆସିବା ପରିପ୍ରେକ୍ଷୀରେ ଏମିତି ବାକ୍ୟମାନ କହିଥିବେ, ଏ କଥା ସମ୍ଭବତଃ ଆପଣ ମଧ୍ୟ ଅନୁମାନ କରି ସାରିବେଣି। ଆଉ ନେଳି ଗାମୁଛାକୁ ଆମ ଲେଖାର ପରିସରଭୁକ୍ତ କରିବାର କାରଣ କ’ଣ […]

byanga

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 06:42 PM IST

ଭୁବନେଶ୍ୱର(ମିହିର ପଟ୍ଟନାୟକ): “ଆମ ଦଳ ଅମୁକ କଲା, ସମୁକ କଲା, ଏସା ଦେଲା, ତେସା ଦେଲା, ତେଣୁ ମଉସା ଆଉ ଭୋଟ ଖଣ୍ଡକ....।” ଏମିତି କଥା ପଦେ କହି ନମସ୍କାର ପକାନ୍ତି ନେଳି ଗାମୁଛା ପରିହିତ ଭୋଟ ଭିକ୍ଷାର୍ଥ। ମହୋଦୟ ନିଜ ଦଳ ସପକ୍ଷରେ ପ୍ରଚାରକୁ ଆସିବା ପରିପ୍ରେକ୍ଷୀରେ ଏମିତି ବାକ୍ୟମାନ କହିଥିବେ, ଏ କଥା ସମ୍ଭବତଃ ଆପଣ ମଧ୍ୟ ଅନୁମାନ କରି ସାରିବେଣି। ଆଉ ନେଳି ଗାମୁଛାକୁ ଆମ ଲେଖାର ପରିସରଭୁକ୍ତ କରିବାର କାରଣ କ’ଣ ଜାଣନ୍ତି?  ବାସ୍ତବରେ ଏହା ବେିଜେଡି ଦଳର ପ୍ରତୀକ ଭାବେ ଓଡିଆ ଲୋକ ଗ୍ରହଣ କରି ସାରିଥିବାରୁ କଥାଟିକୁ ଆମେ ଏଠି ଥୋଇଲୁ।

ନିଳ ପତାକାରେ ବିଜେଡିର ଦଳୀୟ ଶ୍ୱେତ ଶଂଖ ସଙ୍କେତ ପରିଦୃଶ୍ୟ ହେଲେ, ଆମେ ଅନୁମାନ କରିନେଉ ଯେ, ଏହି ଦଳ ନବୀନ ବାବୁଙ୍କର। ଠିକ୍‌ ସେହିପରି ଯଦି କୌଣସି ଯୋଜନା ପୂର୍ବରୁ ‘ବି’ ଶବ୍ଦଟି ଲାଗିଥାଏ ଆମେ ଅନୁମାନ କରିନେଉ ଯେ, ଏହା ବିଜେଡି ଦଳର ବା ସରକାରଙ୍କର କୌଣସି ଏକ ଜନହିତକାର ଯୋଜନାର ନାଁ ହୋଇଥିବା।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମାନୁଯାୟୀ ଏହି ଦଳ ଏବେ ରାଜ୍ୟରେ ଲୀଳାଖେଳା କରୁଥିବା ବେଳେ ବିଜୁ କୃଷକ ଯୋଜନା, ବିଜୁ ପକ୍କାଘର ଯୋଜନା, ବିଜୁ ଗାଁ ଗାଡି ଯୋଜନା ଇତ୍ୟାଦି ଅନେକ ଯୋଜନା ଓଡିଶାବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଛି। ଖାଲି ସେତିକି ନୁହେଁ, ବିଜୁ ବାବୁଙ୍କ ନାଁରେ ଅନେକ ପାର୍କ, ଅଡିଟୋରିୟମ୍‌ ମଧ୍ୟ ନାମିତ ହୋଇଛି। ବେଳେ ବେଳେ ଏହି ‘ବି’ ସକାଶେ ଆମେ ଅଡୁଆରେ ପଡୁ। ବିଜେଡି ଦଳର ଏହି ଲୋକପ୍ରିୟ ଯୋଜନାଗୁଡିକ ପାଇଁ ବେଳେ ବେଳେ ବାସ୍ତବ ନାମକୁ ଆମେ ପାସୋରି ଯାଉ ।

ଉଦାହରଣଟିଏ ଆପଣଙ୍କୁ କହୁଛୁ। ଯାହା ଆମେ ନିକଟରେ ଅଙ୍ଗେ ନିଭେଇଛୁ। କଟକ ଖାନନଗରରେ ଥିବା ବି.ପି ପାର୍କ ସମ୍ପର୍କରେ ପଚାରିବାରୁ ଜଣେ ଅଧିକାରୀଙ୍କୁ ତାଙ୍କ ଅଧସ୍ତନ କର୍ମଚାରୀ ମହୋଦୟ ଏହା ବିଜୁ ପଟ୍ଟନାୟକ ପାର୍କ ବୋଲି କହିଥିଲେ। ବାସ୍ତବରେ ବି.ପି. ପାର୍କ ବିଜୁ ବାବୁଙ୍କ ନାମରେ ନୁହେଁ ବରଂ ବିଶ୍ୱନାଥ ପଣ୍ଡିତ୍‌ଙ୍କ ନାମରେ ନାମିତ। ହେଲେ ସମ୍ପୃକ୍ତ ଭାଇ ଏ କଥାକୁ ଭୁଲି ଯାଇଥିଲେ। ବାସ୍ତବରେ ବିଜେଡିର କ୍ରେଜ୍‌ ଯୋଗୁ ଭାଇ ଜଣକ ବିଶ୍ୱନାଥ ପଣ୍ଡିତଙ୍କୁ ବିଜୁ ବୋଲି ଭାବି ନେଇଥିବା କହି ହସିଦେଲେ।

ଯେତେବେଳେ ସେଇ ଭାଇ ଜଣକ ଚାହା ଦୋକାନକୁ ଗଲେ ଏହି କଥାର ଖିଅ ଯୋଡି ଜମିଥିଲା ଖଟି। ଖଟିରେ ବି.ପି କଥା ପଡିବାରୁ ଗଣମାଧ୍ୟମ କଥା ବି ଉଠିଲା। ଭାଇ ଜଣକ କହିଲେ ଏବେ ସବୁ ମିଡିଆ କୁଆଡେ ବିଜେଡିର। କଥାଟା ମନକୁ ପରତେ ଗଲାନି ବୋଲି ଜଣେ ନିର୍ଦ୍ଦଳୀୟ ଭାଇ କହିଲେ, ଗଣମାଧ୍ୟମ ଆମ ସମ୍ବିଧାନର ଚତୁର୍ଥ ସ୍ତମ୍ଭ । ଏଣୁ ଏହା କୌଣସି ଦଳର ଏ କଥା କହିବା ଅନୁଚିତ୍‌। କିନ୍ତୁ ବି.ପି(ବି.ପି ପାର୍କ ସମ୍ପର୍କରେ କହିଥିବା ଭାଇ) ବଖାଣୁଥିବା ଭାଇ ଜଣକ ନଛୋଡ୍‌ବନ୍ଦା। ହସି ହସି ସମସ୍ତେ ତାଙ୍କ କଥା ଶୁଣି ବେଦମ୍‌ ହେଉଥିଲେ ହେଁ ସେ କୌଣସି ବନ୍ଧବାଡ ମାନୁ ନ ଥାନ୍ତି। ଆଉ ଖଟିରେ ତାଙ୍କ କଥା ହିଁ ଥାଏ ସର୍ବାଗ୍ରେ ।

ବାବୁ କହିଲେ- “ନିକଟରେ ‘ସମ୍ବାଦ’ ତଥା ‘କନକ ଟିଭି’ ପ୍ରତିଷ୍ଠାତା ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ଟିକଟରେ ରାଜ୍ୟସଭା ଗାଦି ଧରିଲେ। ପୂର୍ବରୁ ଏହି ଶଂଖ ଚିହ୍ନରେ ଲଢି ‘ଧରିତ୍ରୀ’ ତଥା ‘ଓଡିଶା ପୋଷ୍ଟ’ ଖବରକାଗଜର ସମ୍ପାଦକ ବାବୁ ତଥାଗତ ଶତପଥି ମଧ୍ୟ ଲୋକସଭା ଏମ୍‌ପି ହୋଇଛନ୍ତି। ଖାଲି ସେତିକି ନୁହେଁ ‘କଳିଙ୍ଗ ଟିଭି’ ପ୍ରତିଷ୍ଠାତା ତଥା କିଟ୍‌ ମୁଖ୍ୟ ଅଚ୍ୟୁତ ସାମନ୍ତ ମଧ୍ୟ ବିଜେଡି ଟିକଟ ପାଇଁ ରାଜ୍ୟସଭା ଯାଇଛନ୍ତି। କହିବାକୁ ଗଲେ ଓଡିଶାର ସିଂହଭାଗ ଗଣମାଧ୍ୟମ ଏବେ ବିଜେଡିର। ହେଲେ ‘ଓଟିଭି’ ଏକ ଘରିକିଆ ।  ନିକଟରେ ବିଜେଡି, ଓଡିଶାର ଏହି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ବା ଟିଭି ଚ୍ୟାନେଲ ଉପରେ ଦାଉ ସାଧିଛି। ଏଥିରେ ପ୍ରସାରିତ ବିତର୍କ ଭିତ୍ତିକ କାର୍ଯ୍ୟକ୍ରମକୁ ବୟକଟ୍‌ କରିଛି। କାରଣଟା ହେଉଛି ଏହାର ମୁଖ୍ୟ ବୈଜୟନ୍ତ ବାବୁଙ୍କୁ ଦଳରୁ ବିଦା କରିବା । ଦଳର ଅଭିଯୋଗ, ପୂର୍ବରୁ କୁଆଡେ ଜୟ ପଣ୍ଡା ବାବୁ ତାଙ୍କ ହାତରେ ଥିଲେ ବୋଲି ‘ଓଟିଭି’ ତାଙ୍କର ଥିଲା। ଆଉ ଏବେ ସେ ଦଳରୁ ଯିବା ପରେ ଓଟିଭି ପାଲଟିଗଲା ଭଗାରୀ।”

ଭାଇଙ୍କ ଏମନ୍ତ କଥା ଶୁଣି ସମସ୍ତେ ଚୁପ୍‌। କାହା ମୁହଁରେ କିଛି ଭାଷା ନାହିଁ। ଶେଷକୁ ଭାଇ ଜଣକ ପୁଣି ମୁହଁ ଖୋଲିଲେ। ଚା’ର ଚୁସ୍‌କି ନଉ ନଉ ପୁଣି ଥରେ ତାଙ୍କ ସ୍ମାର୍ଟ ଫୋନ୍‌ କାଢି ଦେଖେଇ କହିଲେ, “ହେଇ ଦେଖ ଏଇ ଭାଇରାଲ ଫଟୋକୁ ଭଲକି ଦେଖ” ।

ଭାଇଙ୍କ କଥା ଶୁଣି ସମସ୍ତେ ତାଙ୍କ ମୋବାଇଲ ଭିତରକୁ ପଶିଯିବାକୁ ମୁଣ୍ଡ ଏକାଠି କଲେ। ଆଉ ମୁହଁ କଢି ଠୋ ଠୋ ହସିଲେ। ଆଉ କହିଲେ, ଆଗକୁ କୁଆଡେ ବିଜେଡିର ନୂଆ ଯୋଜନା ଆସୁଛି । ନାଁ ହେଉଛି- “ବିଜୁ ଟିଭି ଯୋଜନା’ । ହେଲେ ଦୁର୍ଭାଗ୍ୟ ଏହି ଯୋଜନାରେ ‘ଓଟିଭି’ ଛଡା ସବୁ ଚ୍ୟାନେଲ ଉପଲବ୍ଧ ହେବ।”

କଥାଟା ଅବାସ୍ତବ ଲାଗୁଥିଲେ ବି, ଗଣମାଧ୍ୟମକୁ ନେଇ ବିଜେଡି ଏବେ ଯେମିତି ରକ୍ତମୁଖା ହୋଇପଡିଛି, କିଏ ଜାଣେ ଏମିତି ଯୋଜନା ବି ନିର୍ବାଚନ ବେଳକୁ ବି ଆସିଯାଇପାରେ। ଏଣୁ ଅଆ ସହ ଆପଣ ବି କୁହନ୍ତୁ ଜୟ ବିଜେଡି। ବନ୍ଦେ ବିଜେଡି ଜନନୀ ।

ଓଡିଶା ରିପୋର୍ଟର, ଫଟୋ: ସୋସିଆଲ ମିଡିଆ

Related story