୧୫ ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ କୋମାରେ: ପୁର୍ନଗଠନ ହେଲା ପୁରୀ ଓ ଗଞ୍ଜାମ ଜିଲ୍ଲା ଯୋଜନା କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୨ବର୍ଷ ଧରି ରାଜ୍ୟ ଶାସନରେ ଥିବାବେଳେ ରାଜନୀତିକ କାରଣରୁ ରାଜ୍ୟ ଯୋଜନା ବୋର୍ଡକୁ ପଙ୍ଗୁ କରି ପକାଇ ରଖିଛନ୍ତି । ଗତ ୧୫ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିନଥିବା ବେଳେ ରାଜ୍ୟ ସରକାର ଆଜି ଗଞ୍ଜାମ ଓ ପୁରୀ ଜିଲ୍ଲା ଯୋଜନା କମିଟିର ପୁର୍ନଗଠନ କରିଛନ୍ତି । ଜୁନ୍ ପ୍ରଥମ ସପ୍ତାହରେ ଅପ୍ରତ୍ୟାଶିତ ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ ହଟାଇ ଦେବା […]

Lokaseba Bhaban

Ordigital Desk
  • Published: Monday, 05 September 2022
  • , Updated: 05 September 2022, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୨ବର୍ଷ ଧରି ରାଜ୍ୟ ଶାସନରେ ଥିବାବେଳେ ରାଜନୀତିକ କାରଣରୁ ରାଜ୍ୟ ଯୋଜନା ବୋର୍ଡକୁ ପଙ୍ଗୁ କରି ପକାଇ ରଖିଛନ୍ତି । ଗତ ୧୫ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିନଥିବା ବେଳେ ରାଜ୍ୟ ସରକାର ଆଜି ଗଞ୍ଜାମ ଓ ପୁରୀ ଜିଲ୍ଲା ଯୋଜନା କମିଟିର ପୁର୍ନଗଠନ କରିଛନ୍ତି । ଜୁନ୍ ପ୍ରଥମ ସପ୍ତାହରେ ଅପ୍ରତ୍ୟାଶିତ ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ ହଟାଇ ଦେବା ପରେ ରାଜ୍ୟ ଯୋଜନା ବୋର୍ଡ କେବଳ କାଗଜକଲମ ମଧ୍ୟରେ ସୀମିତ ହୋଇ ରହିଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆଜି ଗଞ୍ଜାମ ଓ ପୁରୀ ଜିଲ୍ଲା ଯୋଜନା କମିଟିର ପୁନର୍ଗଠନ କରାଯାଇଛି । ପୁରୀ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟ କରୁଥିବାବେଳେ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇସାରିଛନ୍ତି । ଶ୍ରୀ ସାହୁ ରାଜ୍ୟ ସରକାରରେ ମନ୍ତ୍ରୀ ଦାୟିତ୍ୱ ନେବା ପରଠୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ୨୦୨୨ ପଂଚାୟତ ନିର୍ବାଚନ ପରଠୁ ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁର୍ନଗଠନ ଆବଶ୍ୟକ ହୋଇପଡ଼ିଥିଲା । ଜିଲ୍ଲା ଯୋଜନା କମିଟିରେ ୮୦ ପ୍ରତିଶତ ପଦବୀ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରିବାର ପ୍ରାବଧାନ ବାକି ପଦବୀରେ ମନୋନୀତ ସଦସ୍ୟ, ସରକାରୀ ଅଧିକାରୀଙ୍କୁ ସାମିଲ କରିବାର ନିୟମ ରହିଛି ।

ତେବେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗଞ୍ଜାମ ଜିଲ୍ଲା ଯୋଜନା କମିଟିରେ ଖାଲି ପଡ଼ିଥିବା ସଦସ୍ୟ ଭାବେ ମୋଟ ୧୪ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସାମିଲ କରାଯାଇଥିବାବେଳେ ସେଥିରୁ ୭ଜଣ ସଂରକ୍ଷିତ ବର୍ଗର ।

ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦନା କୁମାରୀ ସେଠୀ, ଦୀପକ କୁମାର ସାମନ୍ତ,ମନୋରମା ପଲାଇ, ପ୍ରଫୁଲ୍ଲ ଚନ୍ଦ୍ର ମହାକୁଡ଼, ପ୍ରୀତି ସାହୁ,ରାଧାକାନ୍ତ ମହାକୁଡ଼,ରଶ୍ମୀ ନାହାକ, ସ୍ମିତା ସ୍ୱାଇଁ, ସନ୍ତୋଷ କୁମାର ପାଢ଼ୀ, ଶିବ ସେଠୀ, ତନ୍ମୟ ନାହାକ, ଟୁକୁନା ଗୌଡ଼ ଓ ଭି.ଲକ୍ଷ୍ମୀ ରେଡ୍ଡୀଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି । ଆଉ ୨ଟି ପଦବୀ ଜିଲ୍ଲାର ବିଭିନ୍ନ ପୌର ସଂସ୍ଥାରୁ ଚୟନ କରାଯିବ । ଆଉ ୨ଜଣଙ୍କୁ ଜିଲ୍ଲା ପ୍ରଶାସନ ବା ସରକାର ମନୋନୀତ କରିବେ । ଜିଲ୍ଲାପାଳ ଏହି କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ । ତେବେ ଗଞ୍ଜାମ ଜିଲ୍ଲା ଯୋଜନା କମିଟିରୁ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ସରକାର ସେଠାରେ କାହାରିକୁ ଅଧ୍ୟକ୍ଷ ପଦବୀ ଦେଇନଥିବା ଜଣାପଡ଼ିଛି ।

ସେହିପରି ପୁରୀ ଜିଲ୍ଲା ଯୋଜନା କମିଟିରେ ମୋଟ ୧୫ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସାମିଲ କରାଯାଇଛି । ଏଥିରେ ୭ଜଣ ସଂରକ୍ଷିତ ବର୍ଗର ରହିଥିବାବେଳେ ପ୍ରାୟତଃ ସବୁ ବ୍ଲକରୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରତିନିଧିତ୍ୱ ରହିଛି । ଜିଲ୍ଲା ପରିଷଦ ସଦସ୍ୟ ଭୀମସେନ ପାଇକରାୟ, ଧରଣୀଧର ସାହୁ, ଲକ୍ଷ୍ମୀଧର ସାହୁ, ମୋନାଲି ମିଶ,ପ୍ରଦୀପ୍ତ କୁମାର ଖାଟୋଇ, ପ୍ରଣତୀ ଜେନା, ପ୍ରସନ୍ନ କୁମାର ସାହୁ, ପୁଷ୍ପାରାଣୀ ସ୍ୱାଇଁ, ରତିକାନ୍ତ ମିଶ୍ର, ସରସ୍ୱତୀ ସ୍ୱାଇଁ, ସସ୍ମିତା ନାୟକ, ସୁଶ୍ରୀ ସଙ୍ଗୀତା ବେହେରା, ସ୍ୱାଧୀନ କୁମାର ନାୟକ ଓ ସ୍ୱପ୍ନାରାଣୀ ସ୍ୱାଇଁ ସଦସ୍ୟ ଭାବେ କାର୍ଯ୍ୟ କରିବେ । ସରକାର ଖୁବଶୀଘ୍ର ୨ଜଣ ବିଶେଷଜ୍ଞ ସଦସ୍ୟ ଓ ପୌରାଂଚଳରୁ ୨ଜଣଙ୍କୁ ସଦସ୍ୟ ଭାବେ ଚୟନ କରିବେ । ପୁରୀ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାୟିତ୍ୱ ତୁଲାଉଛନ୍ତି ।

ଅନ୍ୟପକ୍ଷରେ ଗତ ୨୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ଯୋଜନା ବୋର୍ଡ ମାତ୍ର ୩ଥର ବୈଠକ କରିଛି । ୨୦୦୩ ମସିହା ମେ’ ୯ ଓ ଅଷ୍ଟ ୯ତାରିଖ ଏବଂ ୨୦୦୭ ଅକ୍ଟୋବର ୧୫ତାରିଖରେ ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିଥିଲା । ଏହା ପରଠୁ ଆଉ ଯୋଜନା ବୋର୍ଡ ବୈଠକ ବସିନାହିଁ । ଏପରିକି ଯୋଜନା ବୋର୍ଡରେ ଥିବା ନନଅଫିସିଆଲ ସଦସ୍ୟ ପଦବୀକୁ ମଧ୍ୟ ପୂରଣ କରାଯାଇ ନାହିଁ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ରାଜନୀତିକ ବ୍ୟକ୍ତିଙ୍କୁ ଥଇଥାନ କରୁଥିବା ସରକାର ୨୦୧୪ ନଭେମ୍ବରରୁ ଏଥିରେ ନୂଆ କରି ଉପଦେଷ୍ଟା ପଦବୀ ସୃଷ୍ଟି କରିଥିଲେ । ସେହି ପଦବୀକୁ ବି ଏବେ ଆଉ କାର୍ଯ୍ୟ କରୁନି ।

ଶ୍ରୀ ଦାସବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏହାକୁ ପୁର୍ନଗଠନ କରିବା ସହ ପୋଷାଦାର ଢଙ୍ଗରେ କାର୍ଯ୍ୟକ୍ଷମ କରାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସରକାରୀ ଉଦାସୀନତାରୁ ତାହା ସମ୍ଭବପର ହୋଇପାରିନଥିଲା । ରାଜ୍ୟ ଓ ଜିଲ୍ଲାମାନଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନର ସମୀକ୍ଷା ଓ ମୂଲ୍ୟାୟନ ସହ ଆବଶ୍ୟକ ସଂଶୋଧନ ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ ଗଠନ ହୋଇଥିଲା । କିନ୍ତୁ ଏବେ ଯୋଜନା ବୋର୍ଡର ବିନା ଏସବୁ କାର୍ଯ୍ୟ ସମ୍ଭବପର ହୋଇପାରୁଥିବା ଜଣାପଡ଼ିଛି ।

Related story