ସୁପରସ୍ପ୍ରେଡର ହେଲେ ପର୍ଯ୍ୟଟନ ମନ୍ତ୍ରୀ,ବିପଦରେ ଅନେକଙ୍କ ଜୀବନ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଖାମଖିଆଲି ଓ ବେପରୁୱା ମନୋଭାବ ତଥା ଅପରିଣାମଦର୍ଶିତା ଯୋଗୁ ଅନେକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ‘କରୋନା’ର ସୁପରସ୍ପ୍ରେଡର ପାଲଟିଥିବା ଆଶଙ୍କା କରାଯାଉଛି। ଚଳିତମାସ ପ୍ରଥମ ସପ୍ତାହରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କରୋନା ସଂକ୍ରମିତ ଥିବାବେଳେ […]

top-1

Tapas Behera
  • Published: Monday, 28 September 2020
  • , Updated: 28 September 2020, 06:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଖାମଖିଆଲି ଓ ବେପରୁୱା ମନୋଭାବ ତଥା ଅପରିଣାମଦର୍ଶିତା ଯୋଗୁ ଅନେକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ‘କରୋନା’ର ସୁପରସ୍ପ୍ରେଡର ପାଲଟିଥିବା ଆଶଙ୍କା କରାଯାଉଛି। ଚଳିତମାସ ପ୍ରଥମ ସପ୍ତାହରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କରୋନା ସଂକ୍ରମିତ ଥିବାବେଳେ ନିଜର ପରୀକ୍ଷା ନକରି କିଭଳି ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ଅନୁସାରେ, ବିଧାନସଭା ପକ୍ଷରୁ ସେପ୍ଟେମ୍ବର ୨୭ତାରିଖ ଅର୍ଥାତ୍ ଗତକାଲି ‘କୋଭିଡ-୧୯’ ନମୂନା ପରୀକ୍ଷା ସଂଗ୍ରହବେଳେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ସେପ୍ଟେମ୍ବର ୭ତାରିଖରେ କରୋନା ସଂକ୍ରମିତ ଥିବାନେଇ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ। ତେବେ ସେ କରୋନା କବଳରୁ ସୁସ୍ଥ ହୋଇନଥିବାବେଳେ କିପରି ରାଜ୍ୟସ୍ତରୀୟ ଉତ୍ସବରେ ସାମିଲ ହେଲେ ଓ ଦେଶର ବିଭିନ୍ନ ଭାଗରୁ ଆସିଥିବା ‘ବାଇକଚାଳକ’ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଜୀବନକୁ ବିପଦରେ ପକାଇଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକାଲି ରାଜ୍ୟସ୍ତରୀୟ ବିଶ୍ୱପର୍ଯ୍ୟଟନ ଦିବସ ସମାରୋହ ଅବସରରେ  ପର୍ଯ୍ୟଟନ ବିଭାଗ ପକ୍ଷରୁ ଇନଫୋସିଟି ଛକରେ ‘ସୁପରବାଇକ’ ର‌୍ୟାଲିର ଶୁଭାରମ୍ଭ ଓ ଧଉଳିରେ ଏହାର ଉଦଯାପନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା। କୋଭିଡ୍ କଟକଣା ସତ୍ତ୍ୱେ ଏତେସଂଖ୍ୟକ ଲୋକ କିଭଳି ଏକଜୁଟ ହେଲେ ଓ ଏଥିପାଇଁ କମିଶନରେଟ ପୁଲିସ୍ କିପରି ଅନୁମତି ଦେଲା ତାହା ବି ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଏପରି ଦେଶର ବିଭିନ୍ନ ଭାଗରୁ ‘ସୁପରବାଇକ୍ ଚାଳକ’ଙ୍କୁ ଡାକି ର‌୍ୟାଲି କରିବାର ଆବଶ୍ୟକତା କ’ଣ ଥିଲା ଓ ସେମାନଙ୍କ ଜୀବନକୁ ବିପଦରେ ପକାଇବାର ଅଧିକାର ପର୍ଯ୍ୟଟନ ବିଭାଗର ସଚିବ ବିଶାଳ ଦେବ ଓ ନିର୍ଦ୍ଦେଶକ ଆର୍ . ସଚିନ ଯାଦବଙ୍କୁ କିଏ ଦେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁମତିରେ ହିଁ ଏପରି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶକୁ ବିଭାଗୀୟ ସଚିବ ପାଠ କରିଥିଲେ। ତେଣୁ ଦେଶର ବିଭିନ୍ନ ଭାଗରୁ ସୌଖିନ ବାଇକଚାଳକଙ୍କୁ ନେଇ ର‌୍ୟାଲି ହେଉଥିବା ଓ ବିଭାଗର ବହୁ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିବାର ଖବର ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିଛି। ତେଣୁ ଏହା ସରକାରଙ୍କ ଦାୟିତ୍ୱହୀନ ଆଚରଣକୁ ପରିପ୍ରକାଶ କରୁଛି।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କରୋନା ପରିଚାଳନା କେତେ ନିମ୍ନସ୍ତରରେ ରହିଛି ତାହା ଏହି ଘଟଣାରୁ ଜଣାପଡ଼ୁଛି। ଦେଶର ବିଭିନ୍ନ ଭାଗରୁ ଆସିଥିବା ବାଇକର୍ସଙ୍କ ଜୀବନକୁ ବିପଦରେ ପକାଇବାର ଅଧିକାର ଏ ସରକାରଙ୍କୁ ଦେଲା କିଏ? ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଏଭଳି ଦାୟିତ୍ୱହୀନ ଆଚରଣ କିଭଳି କଲେ ତାହା ନିଶ୍ଚିତ ଭାବେ ଉଦବେଗର ବିଷୟ। କରୋନା ପରିଚାଳନା କ୍ଷେତ୍ରରେ ସରକାର ନିଜେ ଉଦାହରଣ ସାଜିବା ପରିବର୍ତ୍ତେ ସୁପରସ୍ପ୍ରେଡର ସାଜିଛନ୍ତି। ସମ୍ପୃକ୍ତ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କର ଏଭଳି ଦାୟିତ୍ୱହୀନତାକୁ କଦାପି ବରଦାସ୍ତ କରାଯାଇନପାରେ ବୋଲି ଶ୍ରୀମତୀ ସାମନ୍ତସିଂହାର କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି।

Related story