ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ରଜ ପର୍ବ ପାଳିବା ପାଇଁ ଜୀବନକୁ ବାଜି ଲଗାନ୍ତୁ ନାହିଁ କି କରୋନାର ସୁପରସ୍ପ୍ରେଡର ହୁଅନ୍ତୁ ନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତୋ ବାଗଚୀ ସତର୍କ କରାଇଛନ୍ତି।
ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ବାଗଚୀ କହିଛନ୍ତି ଯେ, ଚଳିତଥର ରଜପର୍ବ ପ୍ରତି ଅଧିକ ସଚେତନ ହେବାକୁ ପଡ଼ିବ। ରାଜ୍ୟରେ ମେ’ ୨୬ରୁ ଜୁନ୍ ୬ତାରିଖ ମଧ୍ୟରେ କରୋନା ସଂକ୍ରମଣ ଅଧିକ ହୋଇଛି। ଯଦି ଏବେ ସତର୍କ ନହେବା ଓ ରଜପର୍ବରେ ସାମାଜିକ ଦୂରତ୍ୱ କଟକଣାକୁ ପାଳନ ନକଲେ ସବୁ ପରିଶ୍ରମ ବୃଥା ଯିବ। କରୋନା ସଂକ୍ରମଣ ପାଇଁ ଜନଗହଳି ହେଉଛି ରାଜଯୋଟକ। ଅଧିକ ମାତ୍ରାରେ ଜନଗହଳି ଓ ଦୋକାନ ବଜାରର ଆବଦ୍ଧ ପରିସର ମଧ୍ୟରେ ରହିଲେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ଆଶଙ୍କା ରହିଥାଏ। ତେଣୁ ରଜପର୍ବ ପାଳନ ଓ ରଜ ବଜାର କରିବା ପାଇଁ କେତେକ ଦିଗ ପ୍ରତି ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ହାର ୨ଗୁଣ ବଢ଼ିଥିବାବେଳେ ସୁସ୍ଥ ହାର ୩ଗୁଣ ବଢ଼ିଛି। ଯାହାକି ଶୁଭ ସଙ୍କେତ। କିନ୍ତୁ କରୋନା ସଂକ୍ରମଣକୁ ରୋକିବା ପାଇଁ ହେଲେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳିବାକୁ ହେବ। ରଜ ବଜାର ଓ ରଜ ପାଳନ ପାଇଁ ଗାଇଡଲାଇନ୍ ଜାରି କରି ସେ କହିଥିଲେ ଯେ, ଦୋକାନୀମାନଙ୍କର ଅଧିକ ଗୁରୁଦାୟିତ୍ୱ ରହିଛି। ସେମାନେ ସର୍ବଦା ମାସ୍କ ପିନ୍ଧିବେ, ମାସ୍କ ଖୋଲି କଥା ହେବେ ନାହିଁ। ବିନା ମାସ୍କରେ ଗ୍ରାହକଙ୍କୁ ଦୋକାନ ଭିତରକୁ ଆସିବାକୁ ଦେବେ ନାହିଁ। ହାତ ସାନିଟାଇଜ୍ କରାଇବେ। ନଗଦ କାରବାର ହ୍ରାସ କରି ଡିଜିଟାଲ ପେମେଣ୍ଟ ଗ୍ରହଣ କରିବାର ବ୍ୟବସ୍ଥା କରିବେ। ଲୁଗା ଦୋକାନୀମାନେ ହାତରେ ଗ୍ଲୋଭସ ପିନ୍ଧି ଜିନିଷ ଦେଖାଇବେ। ଗ୍ରାହକମାନେ ଦୋକାନ ବାହାରେ ୬ଫୁଟ ଦୂରତ୍ୱ ରଖି ଛିଡ଼ା ହୁଅନ୍ତୁ। ଭିଡ଼ ଥିବା ଦୋକାନ ଭିତରକୁ ଯାଆନ୍ତୁ ନାହିଁ। ଘରକୁ ଆଣୁଥିବା ଜିନିଷକୁ କିଛି ଘଣ୍ଟା ଅଲଗା ରଖନ୍ତୁ। ପରିବାରର ସବୁ ଲୋକ ଜିନିଷ ପାଇଁ ଯିବା ଅନୁଚିତ୍। କେବଳ କେହି ଜଣେ ଯାଇ ରଜ ବଜାର କରନ୍ତୁ। ରଜରେ ବାହାରକୁ ଯାଇ ତାସ୍ ଖେଳିବାକୁ ଶ୍ରୀ ବାଗଚୀ ବାରଣ କରିବା ସହ ପରିବାର ସହ ରହିବାକୁ ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ଶ୍ରୀ ବାଗଚୀ ଗତ ୨୪ଘଣ୍ଟା ମଧ୍ୟରେ କେତେକ ଦୋକାନବଜାରରେ ହେଉଥିବା ଜନଗହଳି ଓ ସାମାଜିକ ନିୟମ ଉଲ୍ଲଘଂନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନ କରିବା ସହ ଏହାକୁ ନେଇ ଉଦବେଗ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଭିଡ଼ କରୁଥିବା ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।