ଓଡ଼ିଶାରେ ବେଆଇନ ଖଣି କାରବାର: ସୁପ୍ରିମକୋର୍ଟ ଖପ୍ପା, ୬ ମାସ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କେତେକ ଖଣି କମ୍ପାନୀ କୋର୍ଟଙ୍କ ‘ସ୍ଥିତାବସ୍ଥା’ ନିର୍ଦ୍ଦେଶ ଆଳରେ ବେଆଇନ ଖଣି ଖନନ କରୁଥିବା ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି ମାମଲାଗୁଡ଼ିକର ନିଷ୍ପତ୍ତି ଓ ସମାଧାନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ୬ ମାସ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଅବକାଶକାଳୀନ ଖଣ୍ଡପୀଠ ଆଜି ବାଲେଶ୍ୱର ଆଲଏଜ୍ ଲିଃ ପକ୍ଷରୁ ଦାଏର ଆବେଦନ ଉପରେ ଶୁଣାଣି କରି […]

supreme court

Ordigital Desk
  • Published: Monday, 06 June 2022
  • , Updated: 06 June 2022, 08:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କେତେକ ଖଣି କମ୍ପାନୀ କୋର୍ଟଙ୍କ ‘ସ୍ଥିତାବସ୍ଥା’ ନିର୍ଦ୍ଦେଶ ଆଳରେ ବେଆଇନ ଖଣି ଖନନ କରୁଥିବା ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି ମାମଲାଗୁଡ଼ିକର ନିଷ୍ପତ୍ତି ଓ ସମାଧାନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ୬ ମାସ ସମୟ ଦେଇଛନ୍ତି ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଅବକାଶକାଳୀନ ଖଣ୍ଡପୀଠ ଆଜି ବାଲେଶ୍ୱର ଆଲଏଜ୍ ଲିଃ ପକ୍ଷରୁ ଦାଏର ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, କର୍ତ୍ତୃପକ୍ଷଙ୍କଠୁ ଜଙ୍ଗଲ ଅନୁମତି ନଥାଇ ଏସବୁ ଖଣି କମ୍ପାନୀଗୁଡ଼ିକ ବେଆଇନ ଭାବେ ଖନନ କରୁଛନ୍ତି । ବିବାଦ ଉପରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଥିବା ଆଳ ଦେଖାଇ ସେମାନେ ଏଭଳି ବେଆଇନ ଖନନ କରୁଛନ୍ତି । ତେବେ ଜଙ୍ଗଲ ଅନୁମତି ବିନା କିଭଳି ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ବଳରେ ଖଣି ଖନନ କରାଯାଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ‘ସ୍ଥିତାବସ୍ଥା’ ନିର୍ଦ୍ଦେଶ ଅବଧିକୁ ବୃଦ୍ଧି କରିବାକୁ ବାଲେଶ୍ୱର ଆଏଲଜ୍ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିବାରୁ ତା’ର ପ୍ରତିବାଦରେ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଜଙ୍ଗଲ ଅନୁମତି ବିନା ଖଣି ଖନନ ଓ ଉତ୍ତୋଳଜନ କରାଯିବା ବେଆଇନ । ଜଙ୍ଗଲ ମଞ୍ଜୁରୀ (ଫରେଷ୍ଟ କ୍ଲିଅରାନ୍ସ) ନଥାଇ ଖଣି ଖନନ କିମ୍ବା ଉତ୍ତୋଳନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏହାସହିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ,ହାଇକୋର୍ଟ ଏଭଳି ‘ସ୍ଥିତାବସ୍ଥା’ ବଜାୟ ରଖିବାକୁ ରାୟ ଦେଉଥିବାରୁ ଖଣି କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଯାଉଛି । ଏହା ନିଃସନ୍ଦେହ ଯେ, ଆବେଦନକାରୀ କମ୍ପାନୀ ବାଲେଶ୍ୱର ଆଏଲଜ୍ ଲିଃ ପାଖରେ ବର୍ତ୍ତମାନ ସମୟରେ ଜଙ୍ଗଲ ମଞ୍ଜୁରୀ ନାହିଁ । ଆଉ ଜଙ୍ଗଲ ମଞ୍ଜୁରୀ ଆବେଦନ ବିଚାରଧୀନ ଥିବାକୁ ଖଣି ଖନନ ପାଇଁ ଜଙ୍ଗଲ ଅନୁମତି ମିଳିଯାଇଛି ବୋଲି କଦାପି ବିଚାର କରାଯାଇ ପାରିବ ନାହିଁ । ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଆଳ ଦେଖାଇ ଆବେଦନକାରୀଙ୍କୁ ବିନା ଜଙ୍ଗଲ ମଞ୍ଜୁରୀରେ ଖଣି ଖନନ ଓ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ସ୍ଥିତାବସ୍ଥା ଅବଧିକୁ ବୃଦ୍ଧି ନକରି ହାଇକୋର୍ଟ ଉଚିତ୍ ପଦକ୍ଷେପ ନେଇଛନ୍ତି । ତେବେ ହାଇକୋର୍ଟ ଯେଉଁ ସବୁ ଖଣି ମାମଲାରେ ସ୍ଥିତାବସ୍ଥା ଜାରି ରହିଛି ସେଗୁଡ଼ିକର ଆଜିଠୁ ୬ମାସ ମଧ୍ୟରେ ଶୁଣାଣି କରି ତା’ର ନିଷ୍ପତ୍ତି ଓ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି । ଏହାସହିତ ଏସଏଲପିକୁ ଖାରଜ କରିଦେଇଛନ୍ତି ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏହି ରାୟ ଅବଗତ କରାଇବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Related story