ଜମି କେଳେଙ୍କାରୀ: ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ତହସିଲରେ ଜମି କେଳେଙ୍କାରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବଲାଙ୍ଗିର ତହସିଲଦାର ମଘବାନ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତ ନିଲମ୍ବିତ ହୋଇଛନ୍ତି। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସେମାନଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜମି କେଳେଙ୍କାରୀ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏହା ପରେ ୨ ଜଣିଆ ଟିମ୍ ତଦନ୍ତ କରି ରିପୋର୍ଟ ଦେଇଥିଲେ। ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ପଠାଇଥିଲେ ଜିଲ୍ଲାପାଳ। ଏହା ପରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ। […]

Tahasildar

  • Published: Wednesday, 06 July 2022
  • , Updated: 06 July 2022, 06:28 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ତହସିଲରେ ଜମି କେଳେଙ୍କାରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବଲାଙ୍ଗିର ତହସିଲଦାର ମଘବାନ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତ ନିଲମ୍ବିତ ହୋଇଛନ୍ତି। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସେମାନଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।

ଜମି କେଳେଙ୍କାରୀ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏହା ପରେ ୨ ଜଣିଆ ଟିମ୍ ତଦନ୍ତ କରି ରିପୋର୍ଟ ଦେଇଥିଲେ। ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ପଠାଇଥିଲେ ଜିଲ୍ଲାପାଳ। ଏହା ପରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ।

ଘଟଣାଟି କ’ଣ? 

ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଛି ଏକ ମୂଲ୍ୟବାନ ଜମି। ଏ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ। ୨୦୦୫ରୁ ହର୍ଷଙ୍କ ମୃତ୍ୟୁ ହୋଇସାରିଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ୨୦୨୧ରେ ତାଙ୍କ ନାଁରେ ୫୦ ଡେସିମିଲ ଜମି ଚଞ୍ଚକତା କରି ବିକ୍ରି ହୋଇଛି। ଯାହାର କ୍ରେତା ହେଉଛନ୍ତି, ସ୍ଥାନୀୟ ଗୋପବନ୍ଧୁ ନଗର ଲାଲଟିକ୍ରା ଗାଁର ଲବଣୀ ପୃଷ୍ଟି ଓ ତାଙ୍କ ସ୍ୱାମୀ ମାଧବ ପୃଷ୍ଟି। ଖାଲି ସେତିକି ନୁହେଁ, ହର୍ଷଙ୍କ ଅବଶିଷ୍ଟ ଦେଢ଼ ଏକର ଜମିକୁ ଫର୍ଜରି କରି ନିଜ ନାଁରେ ପଟ୍ଟା କରାଇ ନେଇଛନ୍ତି ପୃଷ୍ଟି ଦମ୍ପତି।

ପ୍ରାୟ ବର୍ଷେ ପରେ ଜମି ହଡ଼ପ ହୋଇଥିବା ସମ୍ପର୍କରେ ଜାଣିବା ପରେ ହର୍ଷଙ୍କ ପରିବାର ଲୋକେ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ। ହେଲେ ନ୍ୟାୟ ମିଳି ନ ଥିଲା। ତେଣୁ ତହସିଲଦାରଙ୍କ ଉପରେ ସେମାନଙ୍କର ସନ୍ଦେହ ହୋଇଥିଲା। ନ୍ୟାୟ ନ ପାଇବାରୁ ଶେଷରେ ଥାନାରେ ଏତଲା କ୍ରମେ ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ମାମଲାରେ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି।

ମୃତ ହର୍ଷଙ୍କ ନାତି ବିକାଶ ଷାଣ୍ଡ ଅଭିଯୋଗ କରିଥିଲେ, ବଲାଙ୍ଗିର ତହସିଲଦାରଙ୍କ ଜ୍ଞାତସାରରେ ପ୍ରସ୍ତୁତ ହୋଇଥିଲା ଏ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଜମିର ଅସଲି ମାଲିକ ଦିନମଜୁରିଆ ହୋଇଥିବାରୁ ପରିବାର ଲୋକଙ୍କ ଅସହାୟତାର ସୁଯୋଗ ନେଇଥିଲେ ଷଡଯନ୍ତ୍ରକାରୀ। ମୃତ ବ୍ୟକ୍ତିଙ୍କ ସ୍ଥାନରେ ତହସିଲଦାରଙ୍କ ସାମ୍ନାରେ ଛଦ୍ମ ବିକ୍ରେତା ଭାବେ ଛିଡ଼ା ହୋଇଥିଲେ ଉତ୍ତମ ନାଗ ନାମକ ଜଣେ ବ୍ୟକ୍ତି। ହର୍ଷଙ୍କ ସ୍ଥାନରେ ଉତ୍ତମଙ୍କ ଫଟୋ ଲଗାଇ ତାଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ନେଇ ପ୍ରସ୍ତୁତ ହୋଇଥିଲା ଦଲିଲ। ମାମଲାରେ ବଲାଙ୍ଗିର ସଦର ଥାନା ପୁଲିସ ପାରିପାର୍ଶ୍ୱିକ ପ୍ରମାଣ ପାଇବା ପରେ ତହସିଲଦାରଙ୍କ ସମେତ ଜମି ଦଲାଲ ସିଣ୍ଡିକେଟରେ ସାମିଲ ଥିବା ମୋଟ ୯ ଜଣଙ୍କ ବିରୋଧରେ ୪୨୦ ସହ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରିଥିଲା।

ଅଭିଯୁକ୍ତ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ପଚାରିଲେ, ସେ ସ୍ପଷ୍ଟ ଉତ୍ତର ରଖୁ ନ ଥିଲେ। ଆଜି ସରକାର ତାଙ୍କୁ ଏବଂ ଏହି ଷଡଯନ୍ତ୍ରରେ ସାମିଲ ଅତିରିକ୍ତ ତହସିଲଦାରଙ୍କୁ ନିଲମ୍ବିତ କରିବା ପରେ ପ୍ରଶାସନିକ ବିଧିବ୍ୟବସ୍ଥାକୁ ମନଇଛା ମୋଡ଼ି ଅଫିସରମାନେ ନିଜ ପଦବୀ ଓ କ୍ଷମତାର ଦୁରୁପୋଯୋଗ କରୁଥିବା ପ୍ରମାଣିତ ହୋଇଛି। ୫ଟି ଓ ସ୍ୱଚ୍ଛ ଶାସନର ଧଜିଆ ଉଡ଼ାଉଛନ୍ତି ପ୍ରଶାସକମାନେ। ତେଣୁ ଆଗକୁ କ୍ଷତି ସହିଥିବା ପରିବାରକୁ ସରକାର କିପରି ନ୍ୟାୟ ଦେଉଛନ୍ତି ତାହା ଦେଖିବାର କଥା।

Related story