ତାଳ ନେଇଯାଉଛି ତାମିଲନାଡ଼ୁ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଓଡ଼ିଶାରୁ ତାଳଗଛ ସବୁ କାଟି ନେଉଛନ୍ତି ତାମିଲ ବେପାରୀ। ଏପରି ଏକ ଗୁରୁତର ଅଭିଯୋଗ କରିଛନ୍ତି ପରିବେଶ ତଥା ପ୍ରାଣୀ ପ୍ରେମୀ ବିଶ୍ୱଜିତ ମହାନ୍ତି। ତୁରନ୍ତ ଏହା ବନ୍ଦ କରିବାକୁ ସେ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ବଜ୍ରପାତ ରୋକିବାରେ ତାଳଗଛ ସହାୟତା କରେ ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୨୧ ଫେବୃଆରୀ ୪ ତାରିଖରେ ମୁଖ୍ୟମନ୍ତ୍ରୀ […]

palm

Debendra Prusty
  • Published: Friday, 05 February 2021
  • , Updated: 05 February 2021, 05:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଓଡ଼ିଶାରୁ ତାଳଗଛ ସବୁ କାଟି ନେଉଛନ୍ତି ତାମିଲ ବେପାରୀ। ଏପରି ଏକ ଗୁରୁତର ଅଭିଯୋଗ କରିଛନ୍ତି ପରିବେଶ ତଥା ପ୍ରାଣୀ ପ୍ରେମୀ ବିଶ୍ୱଜିତ ମହାନ୍ତି। ତୁରନ୍ତ ଏହା ବନ୍ଦ କରିବାକୁ ସେ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ବଜ୍ରପାତ ରୋକିବାରେ ତାଳଗଛ ସହାୟତା କରେ ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

୨୦୨୧ ଫେବୃଆରୀ ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି ବିଶ୍ୱଜିତ। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ସଂପ୍ରତି ତାମିଲନାଡ଼ୁରେ ଗୃହ ନିର୍ମାଣ ପାଇଁ ତାଳକାଠ ଉପରେ ଗୁରୁତ୍ୱ ଦିଅଯାଉଛି। ସେଥିପାଇଁ ତାମିଲନାଡ଼ୁର ଅନେକ ବେପାରୀ ଆସି ଓଡ଼ିଶାର ବ୍ୟାପକ ଅଞ୍ଚଳରୁ ସରକାରୀ ଓ ବେସରକାରୀ ଜାଗାରେ ଥିବା ତାଳଗଛ କାଟି ନେଉଛନ୍ତି। ତାଳଗଛ କାଟିବା ପରେ ସେମାନେ ଏହାକୁ କରତରେ ଚିରି ଟ୍ରକରେ ତାମିଲନାଡ଼ୁ ପଠାଇ ଦେଇଉଛନ୍ତି। ଏବେ ଏପରି ବେପାରୀମାନେ ଢେଙ୍କାନାଳର ହିନ୍ଦୋଳ ଅଞ୍ଚଳରେ ଶିବିର ପକେଇଥିବା କଥା ବିଶ୍ୱଜିତ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି ଲେଖିଛନ୍ତି ଯେ ଓଡ଼ିଶାର ଲୋକମାନେ ଗୃହନିର୍ମାଣ ପାଇଁ ସାଧାରଣତଃ ତାଳକାଠ ବ୍ୟବହାର କରନ୍ତି ନାହିଁ। ସେଥିପାଇଁ ଅନକ ଅଞ୍ଚଳରେ ଏବେ ବି ବହୁ ତାଳଗଛ ରହିଛି। ତାଳକୁ ହାତୀମାନେ ନିଜର ଖାଦ୍ୟ ଭାବେ ବ୍ୟବହାର କରନ୍ତି। ସାଧାରଣତଃ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ହାତୀମାନେ ପାଚିଲା ତାଳକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ହିନ୍ଦୋଳ ଅଞ୍ଚଳରେ ଖାଦ୍ୟାଭାବ ଯୋଗୁଁ ହାତୀ ଓ ମଣିଷ ଲଢ଼େଇ ନିତି ଦିନିଆ ଘଟଣାରେ ପରିଣତ ହୋଇଛି। ଏବେ ତାଳଗଛ ସବୁ ସଫା ହୋଇଗଲେ ହାତୀଙ୍କ ପାଇଁ ଖାଦ୍ୟାଭାବ ସମସ୍ୟା ଅଧିକ ଗୁରୁତର ହେବାର ଆଶଙ୍କା ରହିଛି। ପ୍ରତିବର୍ଷ ହାତୀ-ମଣିଷ ଲଢ଼େଇରେ ଅନେକ ସଂଖ୍ୟକ ହାତୀ ଓ ମଣିଷ ପ୍ରାଣ ହରାଉଛନ୍ତି।

ସେହିପରି ଓଡ଼ିଶାରେ ପ୍ରତିବର୍ଷ ହାରାହାରି ପ୍ରାୟ ୪୦୦ ଲୋକ ବଜ୍ରପାତରେ ପ୍ରାଣ ହରାଉଛନ୍ତି। ତାଳଗଛ ଯୋଗୁଁ ବଜ୍ରପାତ ମୃତ୍ୟୁସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ଅଧିକ। ଏହି କାରଣରୁ ରାଜ୍ୟରେ ଅଧିକ ସଂଖ୍ୟକ ତାଳଗଛ ଲଗେଇବାକୁ ୨୦୧୮ ମସିହା ମେ ମାସରେ ରାଜ୍ୟ ଜଙ୍ଗଲ ବିଭାଗ ନିଷ୍ପତ୍ତି ଘୋଷଣା କରିଥିଲା।

ଏବେ କିନ୍ତୁ ତାମିଲ ବେପାରୀମାନେ ବ୍ୟାପକ ଅଞ୍ଚଳରୁ ତାଳଗଛ କାଟି ନେଉଥିବାବେଳେ ଜଙ୍ଗଲ ବିଭାଗ ନୀରବ ଦର୍ଶକ ସାଜିଛି। ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ବିଶ୍ୱଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାଳସଜ ଓ ପାଚିଲା ତାଳ ମଧ୍ୟ ଓଡ଼ିଶାର ଅନେକ ଅଞ୍ଚଳରେ ଲୋକପ୍ରିୟ ଖାଦ୍ୟ ଭାବେ ବ୍ୟବହୃତ ହୋଇଥାଏ। ପାଚିଲା ତାଳରେ ବିଭିନ୍ନ ପ୍ରକାର ପିଠା ଓଡ଼ିଶାର ଏକ ଲୋକପ୍ରିୟ ଖାଦ୍ୟ। ସେହିପରି ଓଡ଼ିଶାର ଗାଁ ଗହଳରେ ତାଳ କାଠ ଓ ତାଳ ବରଡ଼ା ମଧ୍ୟ ଘର ତିଆରିରେ ବ୍ୟବହୃତ ହୋଇଥାଏ।

Related story