ସୁନ୍ଦରଗଡ଼( ବିଜୟ ବରୁଆ)ହେମଗିରି ଥାନା କନିକାରେ ଏକ ଦୁର୍ଘଟଣାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି। ଏହି ଘଟଣାରେ ପୁଲିସର ସନ୍ଦେହଜନକ ଭୂମିକାକୁ ନେଇ ଆଜି ସ୍ଥାନୀୟ ଲୋକେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଉତ୍ତେଜିତ ଲୋକେ ଦୁଇଟି ପୁଲିସ ଗାଡିକୁ ଭଙ୍ଗାରୁଜ୍ଜା କରିବା ସହ ଫାଣ୍ଡି ଉପରେ ଟେକା ପଥର ମାଡ଼ କରିଛନ୍ତି । ଫଳରେ ଫାଣ୍ଡିର ଆଜବେଷ୍ଟସ ଭାଙ୍ଗି ଯାଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳବାର ଏକ ସ୍କର୍ପିଓ ସ୍ଥାନୀୟ ଜଣେ ଯୁବକ ବାଇକରେ ଯାଉଥିବା ବେଳେ ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ସହ ସ୍କର୍ପିଓକୁ କନିକା ଫାଣ୍ଡିରେ ପୁଲିସ କୁ ଜିମ୍ମା ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଯୁବକ ଜଣକର ମୃତ୍ୟୁ ହୋଇଥିଲା । ତେବେ ପୁଲିସ ମଧ୍ୟ ସ୍କର୍ପିଓକୁ ଛାଡି ଦେଇଥିବା ଜଣାପଡିବା ପରେ ସ୍ଥନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ଠାରୁ ଲୋକେ ରାସ୍ତାରୋକ କରିବା ସହ ହେମଗିରି ଥାନା ଅଧିକାରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ ।