ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ତିମ ଦିବସ: ବିଦାୟୀ ବେଳାରେ କଣ ହୁଏ, ପଢନ୍ତୁ ଏହି ରିପୋର୍ଟ

ବ୍ରହ୍ମପୁର,(ପ୍ରକାଶ ପଟ୍ଟନାୟକ): ମା’ ଆସିଥିଲେ ବାପ ଘରକୁ। ଆଉ ସେଥିପାଇଁ ସହରରେ ଆୟୋଜିତ ହୋଇଥିଲା ଯାତ୍ରା। ରହଣୀ ସମୟରେ ଚଳନ୍ତି ପ୍ରତିମାଙ୍କ ସାହି ପରିକ୍ରମା, ରଥ କଳାକୁଞ୍ଜ ନିମନ୍ତ୍ରଣ, ମାଉସୀ ମାଁଙ୍କ ଘରେ ଅତିଥି। ଏଭଳି ଅନେକ ପାରମ୍ପରିକ ରୀତିନୀତିର ସମାହାରରେ ଯାତ୍ରା ପହଞ୍ଚିଯାଏ ଶେଷ ଦିନରେ। ଆଉ ସେହି ଦିନ ହିଁ ମାଁଙ୍କ ବାହୁଡ଼ା ବିଜେ ପର୍ବ ଆରମ୍ଭ ହୋଇଥାଏ। ମାଁଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ନିଜ ଶ୍ୱଶୁରାଳୟ ଅର୍ଥାତ ମୁଖ୍ୟ ମନ୍ଦିରକୁ […]

thakurani maaa

Rakesh Mallick
  • Published: Monday, 01 May 2017
  • , Updated: 02 May 2017, 12:50 PM IST

ବ୍ରହ୍ମପୁର,(ପ୍ରକାଶ ପଟ୍ଟନାୟକ): ମା’ ଆସିଥିଲେ ବାପ ଘରକୁ। ଆଉ ସେଥିପାଇଁ ସହରରେ ଆୟୋଜିତ ହୋଇଥିଲା ଯାତ୍ରା। ରହଣୀ ସମୟରେ ଚଳନ୍ତି ପ୍ରତିମାଙ୍କ ସାହି ପରିକ୍ରମା, ରଥ କଳାକୁଞ୍ଜ ନିମନ୍ତ୍ରଣ, ମାଉସୀ ମାଁଙ୍କ ଘରେ ଅତିଥି। ଏଭଳି ଅନେକ ପାରମ୍ପରିକ ରୀତିନୀତିର ସମାହାରରେ ଯାତ୍ରା ପହଞ୍ଚିଯାଏ ଶେଷ ଦିନରେ। ଆଉ ସେହି ଦିନ ହିଁ ମାଁଙ୍କ ବାହୁଡ଼ା ବିଜେ ପର୍ବ ଆରମ୍ଭ ହୋଇଥାଏ। ମାଁଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ନିଜ ଶ୍ୱଶୁରାଳୟ ଅର୍ଥାତ ମୁଖ୍ୟ ମନ୍ଦିରକୁ ଫେରିଥାଏ।

ଆଜି ଯାତ୍ରାର ଶେଷଦିନ। ମା’ଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରିବ ଶୋଭାଯାତ୍ରାରେ। ଆଉ ସାଥିରେ ସାମିଲ ହେବେ ହଜାର ହଜାର ମାନସିକ ଘଟଧାରୀ ମହିଳା। ତାହା ହିଁ ବିସ୍ମୟ ସୃଷ୍ଟି କରିଥାଏ ସମସ୍ତଙ୍କ ମନରେ। ମାଁଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ ରଖି ମାନସିକଧାରୀ ମହିଳାମାନେ ଘରେ ଘରେ ଘଟସ୍ଥାପନ କରିଥାନ୍ତି। ଆଉ ବିଳମ୍ୱିତ ରାତ୍ରୀ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାନ୍ତି ମାଁଙ୍କ ଘଟ ବିସର୍ଜନ ଶୋଭାଯାତ୍ରାରେ ସାମିଲ ହେବାକୁ।

ଦିନ ଗଡ଼ି ଚାଲିବା ସହ ମାଁଙ୍କ ବାପଘରୁ ବିଦାୟ ନେବାର ସମୟ ଆସି ଯାଇଥାଏ। ଯାତ୍ରାର ଶେଷ ଦିନରେ ମାଁ ଫେରିଥାନ୍ତି ନିଜ ଶ୍ୱଶୁରାଳୟକୁ। ପାରମ୍ପରିକ ରୀତିନୀତିରେ ଅପରାହ୍ନରେ ଦେଶୀ ବେହେରାଙ୍କ ଘରେ ହଜାରେ ଚକ୍ଷୁ ବିଶିଷ୍ଟ ଘଟ ସ୍ଥାପନ କରାଯାଏ। ସଂଧ୍ୟାରେ ପୂଜାର୍ଚ୍ଚନା ଓ ଆଳତୀ ସରିବା ପରେ ବିଳମ୍ୱିତ ରାତ୍ରୀରେ ମୁଖ୍ୟ ମନ୍ଦିରରୁ ମାଁଙ୍କୁ ପାଛୋଟି ନେବାକୁ ଆସନ୍ତି ଶ୍ୱଶୁରଘର ଲୋକେ। ସେପଟେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ ଅସ୍ଥାୟୀ ମନ୍ଦିର ନିକଟରେ ମାଁଙ୍କ ଶେଷ ଦର୍ଶନ ପାଇଁ।

ପରମ୍ପରା ଓ ବିଧି ଅନୁଯାୟୀ ଘଟ ଉଠିଥାଏ ଅସ୍ଥାୟୀ ମନ୍ଦିରରୁ। ମୁଖ୍ୟ ଘଟକୁ ଦେଶୀ ବେହେରାଙ୍କ ପତ୍ନୀ ମଣ୍ଡନ କରନ୍ତି ଆଉ ଅନ୍ୟ ୮ଟି ପାର୍ଶ୍ୱଘଟକୁ ଡେରା ସେନାପତିଙ୍କ ପତ୍ନୀମାନେ ମଣ୍ଡନ କରି ବାହାରିଯାଆନ୍ତି ଘଟ ବିସର୍ଜନ ଶୋଭାଯାତ୍ରାରେ। ସବା ଆଗରେ ରହେ ହଜାରେ ଚକ୍ଷୁ ବିଶିଷ୍ଟ ଘଟ ଆଉ ତା ପଛରେ ମୁଖ୍ୟ ଘଟ। ଅସ୍ଥାୟୀ ମନ୍ଦିରରୁ ପ୍ରଥମେ ଶେଷ ଦର୍ଶନ ପାଇଁ ମାଁଙ୍କ ଘଟ ପହଞ୍ଚିଥାଏ ମହୁରୀ ରାଜାଙ୍କ ରାଜବାଟୀରେ। ସେଠାରେ ରାଜ ପରିବାରର ଦାୟାଦମାନେ ମାଁଙ୍କୁ ପୂଜାର୍ଚ୍ଚନା କରି ବିଦାୟ ଦେଇଥାନ୍ତି।

ରାଜବାଟୀରୁ ବାହାରି ମାଁଙ୍କ ଘଟ ସାହି ପରିକ୍ରମା କରିଥାଏ। ଏହି ପରିକ୍ରମା ଅବସରରେ ବିଭିନ୍ନ ସାହିରୁ ହଜାର ହଜାର ମାନସିକ ଘଟଧାରୀମାନେ ସାମିଲ ହୋଇଥାନ୍ତି । ଦିନଯାକର ଉପବାସ ରଖି ମହିଳାମାନେ ନିଜ ଘରେ ସକାଳୁ ଘଟସ୍ଥାପନ କରିଥାନ୍ତି। ନୂଆ ଲୁଗା ପିନ୍ଧି ସଂଧ୍ୟାରେ ପୂଜାର୍ଚ୍ଚନା କରିବା ପରେ ଅନାଇ ବସିଥାନ୍ତି କେତେବେଳେ ମାଁ ଆସିବେ ସାହି ପରିକ୍ରମାରେ। ଶରୀର କଷ୍ଟକୁ ଭୂଲାଇ ଦିଏ ମାଁଙ୍କ ପ୍ରତି ରହିଥିବା ଭକ୍ତି ଓ ବିଶ୍ୱାସ। ତେବେ କେବଳ ମାନସିକଧାରୀ ନୁହଁନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁ ଅନାଇ ବସିଥାନ୍ତି ମାଁଙ୍କ ଫେରନ୍ତା ବାଟକୁ। ଶ୍ରଦ୍ଧା ଓ ଭକ୍ତିରେ ଗଦ୍‌ଗଦ୍‌ ହୋଇ ଉଠନ୍ତି ମାଁଙ୍କ ଶେଷ ଦର୍ଶନ ପାଇ।

ମାଁ ଅସ୍ଥାୟୀ ମନ୍ଦିରରୁ ବାହାରି ବଡ଼ ବଜାର, ସାନବଜାର, ମାର୍ଥାପେଟା ସାହି, କେଉଟ ସାହି, ଶଙ୍କରପୁର ସାହି, ବାଚୁୱାରୀ ସାହି, କେଦାରେଶ୍ୱର ମନ୍ଦିର ରୋଡ଼, ଚନ୍ଦ୍ରମା ସାହି ପରିକ୍ରମା ପରେ ପହଞ୍ଚନ୍ତି ଜଉରା ସାହିସ୍ଥିତ ନିଜ ମାଉସୀଙ୍କ ଘରେ। ସେତେବେଳକୁ ହଜାର ହଜାର ମାନସିକ ଘଟଧାରୀ ମହିଳା ନିଜକୁ ସାମିଲ କରିଥାନ୍ତି ଘଟ ବିସର୍ଜନ ଶୋଭାଯାତ୍ରାରେ। ପାରମ୍ପରିକ ରୀତିରେ ମାଉସୀଙ୍କ ଘରେ ମାଁଙ୍କ ପୂଜାର୍ଚ୍ଚନା ସରିବା ପରେ ସେଠାରୁ ବିଦାୟ ନିଅନ୍ତି। ଶଙ୍ଖ ମୃଦଙ୍ଗ ଧ୍ୱନୀ ଆଉ ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ସାରା ସହର। ମାଁ ଶେଷଥର ପାଇଁ ସାହିକୁ ଆସିବେ। ତେଣୁ ଶ୍ରଦ୍ଧାଳୁଙ୍କ ମନରେ ଖୁସି କହିଲେ ନସରେ। ଚଳିତଥର ମାଁଙ୍କର ଏହି ଘଟ ବିସର୍ଜନ ଶୋଭାଯାତ୍ରାରେ ପ୍ରାୟ ୫୦ହଜାର ମାନସିକ ଘଟଧାରୀ ସାମିଲ ହେବାର ସମ୍ଭାବନା ରହିଛି । ଆଉ ତା ସାଙ୍ଗକୁ ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସାମଲ୍‌ ହେବେ ମାଆଙ୍କ ମେଲାଣିରେ। ଯାତ୍ରାର ଏହି ଅନ୍ତିମ ଦିବସରେ ସାରା ବ୍ରହ୍ମପୁର ସହର ଲୋକାରଣ୍ୟ ହୋଇ ଉଠିବ। ଆଉ ଏହା ହିଁ ସୂଚାଇ ଦେବ ମାଁଙ୍କ ପ୍ରତି ରହିଥିବା ଭକ୍ତି ଓ ଅଖଣ୍ଡ ବିଶ୍ୱାସର କଥାକୁ।

https://www.youtube.com/watch?v=c8T6c3zylG0

 

Related story