ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନୁ ଦିନ କରୋନା ସ୍ଥିତି ଅଧିକ ଭୟଙ୍କର ହେଉଛି। ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ରାଜ୍ୟରେ ବି ୫୦୦ ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା।
ଗତ ୩ ଦିନ ହେଲା ୫୦୦ ମୁହାଁ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୭୩ରେ ପହଞ୍ଚି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଅଧିକ ନଜର ରଖାଯାଇଛି। ବିଶେଷକରି ଛତିଶଗଡ଼ରୁ ଯେଉଁମାନେ ଓଡ଼ିଶା ଆସୁଛନ୍ତି ସେମାନଙ୍କର ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି । ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଆଲର୍ଟ ଅଛନ୍ତି ।
ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାକୁ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁ ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ବଢୁଛି ସେଠି ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସିଡିଏମଓ ଓ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ଓ ଶାରିରୀକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅଧିକ ଫୋକସ ପାଇଁ କୁହାଯାଇଥିବା ପରିବାର କଲ୍ୟାଣ ନିର୍ଦେଶକ ସୂଚନା ଦେଇଛନ୍ତି ।
ସେହିପରି ରାଜ୍ୟରେ କୋଭାସିଲିଡ଼ ଟିକା ୬ ଲକ୍ଷ ରହିଛି । ଯାହା ଆଉ ମାତ୍ର ୨ ଦିନ ଯିବ । ତେଣୁ ଶୀଘ୍ର ଅଧିକ ଟିକା ଯୋଗାଇବାକୁ କେନ୍ଦ୍ରକୁ କୁହାଯାଇଛି। ତେବେ କୋଭାକ୍ସିନ୍ ଟିକା ରାଜ୍ୟରେ ପ୍ରଚୁର ପରିମାଣରେ ମହଜୁଦ ରହିଛି ଓ ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣର ଟାର୍ଗେଟ ରହିଥିବା କହିଛନ୍ତି ବିଜୟ ପାଣିଗ୍ରାହୀ। ବର୍ତ୍ତମାନ ସୁଦ୍ଧା ୩୩ ଲକ୍ଷ ୪ ହଜାର ୭୩୨ଜଣଙ୍କୁ ଟିକା ଦିଆଯାଇ ସାରିଲାଣି । କେନ୍ଦ୍ରର ନିୟମ ଅନୁଯାୟୀ ସମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀଙ୍କର ନୂଆ ରେଜିଷ୍ଟ୍ରେସନ ହୋଇ ପାରୁନି ବୋଲି ସେ କହିଛନ୍ତି।