ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟିଗଲାଣି। ମରିବାକୁ ବସିଲାଣି ଧାନ ଗଛ । ବର୍ଷାକୁ ଅନେଇ ଅନେଇ ରୁଆ ବେଉଷଣରେ ତ ଡେରିହେଲା, ହେଲେ ବିଳମ୍ବରେ ଯେଉଁଠି ବି ଚାଷ କାମ ହେଲା, ପରବର୍ତ୍ତୀ ଅବସ୍ଥାରେ ସେଠି ପୁଣି ମୌସୁମୀର ଲୁଚକାଳି ଚାଷୀ ପାଇଁ କାଳ ସାଜିଛି । ଶ୍ରାବଣ ମାସରେ ବି ନିଦାଘ ଖରା। କେଉଁଠି କେଉଁଠି ଧାନ ଗଛରେ ଉଈ ବି ଚରିଗଲେଣି। ସ୍ୱଳ୍ପବୃଷ୍ଚିପାତରୁ ଚାଷର ଏ ସ୍ଥିତି କେବଳ ସମ୍ବଲପୁରର କୁଚିଣ୍ଡା କି ପୁରୀ ଜିଲ୍ଲାର ବଳଙ୍ଗାର ନୁହେଁ। ବାଲେଶ୍ୱର ସୋର ଅଞ୍ଚଳର ବର୍ଷା ଅଭାବରୁ ଜଳି ଯାଇଥିବା ଧାନ ଗଛକୁ ଟେକା ପାଣି ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଷୀ । ହେଲେ ଆଶା କିନ୍ତୁ ନାହିଁ। ନୀଳଗିରି ଅଞ୍ଚଳରେ ବି ଚାଷର ପାଖାପାଖି ସମାନ ସ୍ଥିତି।
କେବଳ ତିନିଟି ଜିଲ୍ଲା ମାଲକାନଗିରି, ବଲାଙ୍ଗିର ଓ ନୂଆପଡ଼ାକୁ ଛାଡ଼ି ଦେଲେ ରାଜ୍ୟର ୨୭ ଜିଲ୍ଲାରେ ସ୍ୱଳ୍ପବୃଷ୍ଟିରୁ ଚାଷ ଅବସ୍ଥା ଖରାପ । ଜଳ ଜଳ ଦିଶିଲାଣି ମରୁଡ଼ି ପାଣିପାଗ । ବିଭାଗର ତଥ୍ୟ ବି କହୁଛି ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । ୮୩୬ ମିଲିମିଟର ବୃଷ୍ଟିପାତ ସ୍ଥାନରେ ହୋଇଛି ମାତ୍ର ୫୮୩ ମିଲିମିଟର ବର୍ଷା ।
୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା ବେଳେ ୫ ଜିଲ୍ଲା ଯାଜପୁର, ଭଦ୍ରକ, ବଲାଙ୍ଗୀର, ଅନୁଗୁଳ ଓ କେନ୍ଦୁଝରରେ ସ୍ଥିତି ଅଧିକ ସଂଗୀନ । କାରଣ ଏହି ସବୁ ଜିଲ୍ଲାରେ ୪୦ କିମ୍ବା ତାଠୁ ଅଧିକ ନିଅଣ୍ଟିଆବର୍ଷା ହୋଇଛି । ଏପରିକି ଭଦ୍ରକ ଓ ଯାଜପୁରରେ ୫୦ ପ୍ରତିଶତରୁ କମ୍ ବର୍ଷାରୁ ଚାଷ କାମ ଗୁରୁତର ପ୍ରଭାବିତ ହୋଇଛି। ଏବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ହେଲେ ଜୁନ୍ ମାସରେ ପାଖାପାଖି ୩ ପ୍ରତିଶତ ନିଅଣ୍ଟିଆ ବର୍ଷା ପରେ ଜୁଲାଇରେ ବି ୧୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା। ଆଶା ଥିଲା ଅଗଷ୍ଟ ମାସରେ ଭଲ ବର୍ଷା । ହେଲେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ଥିବାରୁ ଚାଷୀ ମୁଣ୍ଡରେ ବାଜିଲାଣି ବିପଦର ଘଣ୍ଟି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।