ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରତରୁ ଆସିବାକୁ ଥିବା ଟ୍ରେନ ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରତରୁ ଓଡ଼ିଶା ଆସିବାକୁ ଥିବା ୩ଟି ଟ୍ରେନକୁ ଆଜି ବାତିଲ କରିଦିଆଯାଇଛି। କରୋନା ନମୁନା ପରୀକ୍ଷା ବିନା କୌଣସି ବ୍ୟକ୍ତି ଓଡ଼ିଶା ସୀମାରେ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଟ୍ରେନଗୁଡ଼ିକୁ ବାତିଲ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକ ରିଟ୍ ପିଟିସନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ […]

surat

Manoranjan Sial
  • Published: Thursday, 07 May 2020
  • , Updated: 07 May 2020, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରତରୁ ଓଡ଼ିଶା ଆସିବାକୁ ଥିବା ୩ଟି ଟ୍ରେନକୁ ଆଜି ବାତିଲ କରିଦିଆଯାଇଛି। କରୋନା ନମୁନା ପରୀକ୍ଷା ବିନା କୌଣସି ବ୍ୟକ୍ତି ଓଡ଼ିଶା ସୀମାରେ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଟ୍ରେନଗୁଡ଼ିକୁ ବାତିଲ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକ ରିଟ୍ ପିଟିସନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କୌଣସି କରୋନା ପଜେଟିଭ୍ ବ୍ୟକ୍ତିଙ୍କୁ ଓଡ଼ିଶାରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତତ୍କାଳ ପଦକ୍ଷେପ ନେଇଛନ୍ତି। ସୁରତରୁ ଛାଡ଼ିବାକୁ ଥିବା ୩ଟି ଟ୍ରେନକୁ ବାତିଲ କରାଯିବା ସହ ବିଭିନ୍ନ ରାଜ୍ୟରୁ ଆସୁଥିବା ଗାଡ଼ିଗୁଡ଼ିକୁ ମଧ୍ୟ ବର୍ଡର ଚେକ୍ ପୋଷ୍ଟ(ଓଡ଼ିଶାର ୧୨ଟି ସ୍ଥାନରେ)ରେ କଡ଼ାକଡ଼ି ଯାଂଚ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ସୁରଟରୁ ପ୍ରାୟ ୧୦୦ଟି ବଗିରେ ଓଡ଼ିଆ ଲୋକମାନେ ଓଡ଼ିଶା ଆସିବାର ଥିଲା।

ଆଜି ସନ୍ଧ୍ୟା ୫ଟାରୁ ଏହି ସ୍ୱତନ୍ତ୍ର ଟ୍ରେନ ଛାଡ଼ିବାର ଥିଲା। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଟ୍ରେନକୁ ବାତିଲ ନିମନ୍ତେ ସୁରଟ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ। ଯାହାପରେ ସୁରତ ଜିଲ୍ଲାପାଳ ଏସବୁ ଟ୍ରେନକୁ ବାତିଲ କରାଯାଇଥିବା ନେଇ ରେଳବାଇକୁ ଜଣାଇଛନ୍ତି। ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ କହିଛନ୍ତି ଯେ, ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ସରକାର ଏହି ଟ୍ରେନଗୁଡ଼ିକୁ ବାତିଲ କରିଛନ୍ତି। ଓଡ଼ିଶା ସରକାରଙ୍କ ଅନୁରୋଧ ଆଧାରରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇଛି। ଯେଉଁମାନେ ଟ୍ରେନ୍ ଟିକେଟ୍ କରିଥିଲେ ସେମାନଙ୍କୁ ଟିକେଟ୍ ଦାମ ଫେରସ୍ତ କରାଯିବ। କେବେ ପୁଣି ସୁରଟରୁ ଟ୍ରେନ ଚାଲିବ ତାହା କହିବା ଏବେ ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଗୃହ ବିଭାଗର ସୂଚନା ଅନୁସାରେ ବର୍ଡର ଚେକପଏଣ୍ଟରେ ରାପିଡ୍ ଟେଷ୍ଟ୍ ନିମନ୍ତେ ଆବଶ୍ୟକ ସୁବିଧା କରିବାକୁ ଏବେ ପଦକ୍ଷେପ ନିଆଯାଉଛି। ଏସବୁ ଚେକ୍ ପଏଣ୍ଟ ଦେଇ ଯେଭଳି କୌଣସି ଗାଡ଼ି ରାଜ୍ୟ ଭିତରକୁ ପ୍ରବେଶ ନକରେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପଜେଟିଭ୍ ଥିବା ବ୍ୟକ୍ତି ଯେଭଳି ଓଡ଼ିଶା ସୀମାରେ ପ୍ରବେଶ ନକରିବେ ସେ ନେଇ ହାଇକୋର୍ଟ ଦେଇଥିବା ରାୟକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି। ତେବେ ୩-୪ଦିନ ମଧ୍ୟରେ ଏସବୁ ଚେକପଏଣ୍ଟରେ ରାପିଡ୍ ଟେଷ୍ଟ୍ ନିମନ୍ତେ ଆବଶ୍ୟକ ଭିତ୍ତଭୂମି ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୁରତ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ ଅଚାନକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୪ଦିନ ମଧ୍ୟରେ ବାହାର ରାଜ୍ୟକୁ ପ୍ରାୟ ୪୦ହଜାର ଲୋକ ଫେରିଥିବାବେଳେ ଏଥିରେ ସୁରଟରୁ ସର୍ବାଧିକ ଓଡ଼ିଶା ଆସିଛନ୍ତି। ପ୍ରାୟ ୫ଲକ୍ଷ ଲୋକ ଓଡ଼ିଶା ଫେରିବା ନିମନ୍ତେ ପଞ୍ଜିକରଣ କରିଛନ୍ତି।

Related story