ଆନନ୍ଦପୁର (ମୁନା ସିଂ): ପୁଅର ଶୁଦ୍ଧି ପାଇଁ ସାହି ପଡ଼ିଶାଙ୍କୁ ଦେଇ ପାରିଲେନି ହାଣ୍ଡିଆ ଓ ମେଣ୍ଢା ମାଂସ। ତେଣୁ ଘରକୁ ଫେରି ପାରିଲେନି। କିଛି ଉପାୟ ନପାଇ ଗାଁ ମୁଣ୍ଡରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ବିଧବା ମହିଳା। ସଭ୍ୟ ସମାଜରେ ଏପରି ବିକଳ ଚିତ୍ର ଆସିଛି ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ।
୩ ବର୍ଷ ତଳେ କୋଳିମାଟି ପଞ୍ଚାୟତ ଦରଖଳାଟାୱାର ସାହି ଜାନ ହେମ୍ୱ୍ରମ ସ୍ୱାମୀଙ୍କୁ ହରାଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ଜାନ। ଚାରି ଛୁଆଙ୍କ ମୁହଁକୁ ଚାହିଁ ଆଉ ଥରେ ସଳଖି ଠିଆ ହେବା ପାଇଁ ଚେଷ୍ଟା କରିଥିଲେ। କାମ ଦାମ କରି ୪ ପିଲାଙ୍କ ମୁହଁରେ ଦାନା ଦେଉଥିଲେ। ଦୁଃଖେ କଷ୍ଟେ ଚଳି ଯାଉଥିଲେ। ହେଲେ ମାସେ ତଳେ ହଠାତ ତାଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡ଼ିଲା ଆକାଶ।
ଶୀତ ଯୋଗୁ ଜାନଙ୍କ ଦ୍ୱିତୀୟ ପୁଅ ନିଆଁ ସେକି ହେଉଥିଲା। ଅସାବଧାନତା ଯୋଗୁ ତା’ ଲୁଗାରେ ନିଆଁ ଲାଗି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତା’ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ମେଡ଼ିକାଲ୍ରେ ଭର୍ତ୍ତି ହେବାର ୩ ଦିନ ପରେ ଜାନଙ୍କ ଆଖି ଆଗରେ ଆଖି ବୁଜିଥିଲା ପୁଅ।
ଆଗରୁ ସ୍ୱାମୀଙ୍କୁ ହରାଇଥିଲେ। ଏବେ ପୁଅକୁ ହରାଇବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଜାନ। ସେପଟେ ପାଖରେ ଟଙ୍କାଟିଏ ନାହିଁ। ମେଡ଼ିକାଲ୍ ବେଡରେ ପଡ଼ିଥିବା ପୁଅର ମୃତଦେହ କେମିତି ନେବେ ଗାଁକୁ? ସେହି ଚିନ୍ତାରେ ପଡ଼ିଥିଲେ ଜାନ। ତେଣୁ କିଛି ଉପାୟ ନପାଇ ପୁଅର ମୃତଦେହ ଛାଡ଼ି ଗାଁକୁ ପଳାଇ ଆସିଥିଲେ। ହେଲେ ଘରକୁ ଯାଇପାରିଲେ ନାହିଁ।
ପୁଅର ଶୁଦ୍ଧିକ୍ରିୟା ପାଇଁ ସାହି ଭାଇ ହାଣ୍ଡିଆ ଓ ମେଣ୍ଢା ମାଂସ ମାଗିବାରୁ ଜାନ ଅସହାୟତା ପ୍ରକାଶ କରିଥିଲେ। ତେଣୁ ଘରକୁ ନଯାଇ ଗାଁ ମୁଣ୍ଡରେ ଝୁମ୍ପୁଡ଼ିଏ କରି ଦୟନୀୟ ଜୀବନ ବିତାଉଛନ୍ତି। ପିଲାମାନେ ସାହି ପଡ଼ିଶାଙ୍କଠାରୁ ମାଗି ଖାଉଛନ୍ତି। ଜାନ ଦିନ ବେଳେ ରାସ୍ତା ପାଖରେ ଥିବା ଗୋଟିଏ ଢାବାରେ ବାସନ ମାଜୁଛନ୍ତି। ଆଉ ଶୀତୁଆ ରାତିରେ ଝୁମ୍ପୁଡ଼ି ଚାରି ପାଖରେ ଶାଢ଼ୀ ଘେରି ରହୁଛନ୍ତି। ୨୦ରୁ ୨୫ ଦିନ ହେବ ଏପରି ଦୟନୀୟ ଜୀବନ ବିତାଉଛନ୍ତି ଜାନ।
ଜାନ କହିଛନ୍ତି, ପଇସା ହେଲେ ସାହି ଭାଇଙ୍କୁ ମେଣ୍ଢା ମାଂସ ଓ ହାଣ୍ଡିଆ ଦେବି। ତା’ପରେ ଯାଇ ଘରକୁ ଯିବି।
ଆଦିବାସୀ ପରମ୍ପରା ଅନୁସାରେ ଗାଁରେ ଯାହାର ମୃତ୍ୟୁ ହେବ, ତାଙ୍କ ପରିବାର ଲୋକେ ଶୁଦ୍ଧିକ୍ରିୟା ପାଇଁ ହାଣ୍ଡିଆ ଓ ମେଣ୍ଢା ଦାନ କରିଥା’ନ୍ତି। ତା’ପରେ ଗାଁ ଲୋକ ଶୁଦ୍ଧିକ୍ରିୟା କାମରେ ସହଯୋଗ କରନ୍ତି। ନହେଲେ ସମ୍ପୃକ୍ତ ପରିବାରକୁ ଅସହଯୋଗ କରନ୍ତି। ଏହି ପରମ୍ପରା କେଉଁ କାଳରୁ ରହିଛି। ଏପରି ଅଜବ ପରମ୍ପରା ପାଇଁ ଆଜି ଜାନଙ୍କ ପରି ଜଣେ ଗରିବ ମହିଳା ଘରକୁ ଯାଇ ନପାରି ଗାଁ ମୁଣ୍ଡରେ ଜୀବନ କାଟୁଛନ୍ତି।