ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୧୦ ଦିନ ମଧ୍ୟରେ ଓଡ଼ିଶାରେ ୩ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ହଟଚମଟ ସୃଷ୍ଟି ହୋଇଛି। ହେଲେ ରାୟଗଡ଼ା ଓ ପାରାଦୀପରେ ଘଟିଥିବା ଏହି ୨ ଘଟଣାର ପରସ୍ପର ସହ କୌଣସି ଲିଙ୍କ୍ ନାହିଁ । ଏ ନେଇ ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ। ରାୟଗଡ଼ାରେ ୨ ଓ ପାରାଦୀପରେ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ଲିଙ୍କ୍ କରାଯିବା ଅନୁଚିତ ବୋଲି MEA କହିଛି ।
ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ରାୟଗଡ଼ାରେ ୨ ଜଣଙ୍କ ପରେ ପାରାଦୀପରେ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ତିନି ଜଣଙ୍କ ମୃତ୍ୟୁ ଘଟଣାର ଆଇନ ଅନୁସାରେ ତଦନ୍ତ କରାଯାଉଛି । ତିନି ଜଣଙ୍କ ମୃତ୍ୟୁରେ ସାମଞ୍ଜସ୍ୟ ଥିବା ବା ଲିଙ୍କ୍ ଥିବା ସେ ଭାବୁନଥିବା କହିଛନ୍ତି ।
ଏଥିସହ ସେ କହିଛନ୍ତି, ଭାରତ ଏକ ବଡ଼ ଦେଶ । ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ବର୍ଷ ସାରା ଏଠାକୁ ଆସିଥାନ୍ତି । ଏଭଳି ସ୍ଥିତିରେ ତିନି ଜଣଙ୍କର ମୃତ୍ୟୁକୁ ଲିଙ୍କ୍ କରାଯିବା ଅନୁଚିତ୍ ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ, ନିଜ ଜନ୍ମଦିନ ପାଳନ ପାଇଁ ନିଜ ସାଙ୍ଗ ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭଙ୍କ ସହ ଓଡ଼ିଶା ଆସିଥିଲେ । ପାଭେଲ ଆନ୍ତୋଭ । ଟୁରିଷ୍ଟ ଭିସାରେ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ପହଞ୍ଚି ଭାୟା ଭୁବନେଶ୍ୱର ହୋଇ ଡିସେମ୍ବର ୨୧ ତାରିଖରେ ପହଞ୍ଚିଥିଲେ ରାୟଗଡ଼ାରେ। ଦାରିଙ୍ଗବାଡ଼ି ବୁଲିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ। ଏଥିପାଇଁ ହୋଟେଲର ଗୋଟିଏ ରୁମରେ ରହିଥିଲେ ଦମ୍ପତି ପାନ ସେଙ୍କୋ ଓ ଟୁର୍ଭୋ। ଆଉ ଏକ ରୁମରେ ରହିଥିଲେ ଭ୍ଲାଦିମିର ଓ ପାଭେଲ। କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର୍। ବ୍ୟବଚ୍ଛେଦ ରିପୋର୍ଟରୁ ସେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହାର ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖରେ ହୋଟେଲ୍ ତଳୁ ପାଭେଲଙ୍କ ମୃତଦେହ ମିଳିଥିଲା। ଉଭୟଙ୍କ ମୃତ୍ୟୁର କାରଣ ଜାଣିବାକୁ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି।
ଏହାର ପ୍ରାୟ ୧୦ ଦିନ ପରେ ଗତ ୩ ତାରିଖ ଭୋରରୁ ପାରାଦୀପ ଆଙ୍କରେଜରେ ଲାଗିଥିବା ଏକ ମାଲବାହୀ ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ୍ ସର୍ଗେଇଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା। ତାଙ୍କ ଶବ ବ୍ୟବଚ୍ଛେଦ ସରିଥିଲେ ବି ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି।
ଏହି ୨ ଘଟଣାର ପରସ୍ପର ସହ କୌଣସି ଲିଙ୍କ ନ ଥିବାରୁ ଏହାକୁ ନ ଯୋଡ଼ିବାକୁ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।