ପୁରୀ: ସମୁଦ୍ର ଉପକୂଳରେ ପଡ଼ି ରହିଛି ହଜାର ହଜାର ଅଲିଭ ରିଡ୍‌ଲେଙ୍କ ମୃତଦେହ

କୋଣାର୍କ: ଅସୁରକ୍ଷିତ ଅଲିଭ୍‌ ରିଡଲେ କଇଁଛ। ପୁରୀ ଜିଲ୍ଲା ବାଲି ହରଚଣ୍ଡିଠାରୁ ଅସ୍ତରଙ୍ଗ ଓ ଦେବୀ ମୁହାଁଣ ମଧ୍ୟରେ ପଡ଼ି ରହିଛି ହଜାର ହଜାର ସଂଖ୍ୟାରେ ଅଲିଭ୍‌ ରିଡଲେଙ୍କ ମୃତଦେହ। ଏମାନଙ୍କ ସୁରକ୍ଷା ପାଇଁ ଥିବା ଆଇନ କେବଳ ଆଇନରେ ହିଁ ରହିଯାଇଛି। ଗୋଟିଏ ପଟେ କଇଁଛଙ୍କ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଅଣ୍ଡାଦାନ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁର କାରଣ ସାଜିଛି ମାଛଧରା ଟ୍ରଲର। ଓଡ଼ିଶା ମେରାଇନ୍‌ ଫିସିଂ ରେଗୁଲେସନ […]

aliv-redlay-turtl 2

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 05:25 PM IST

କୋଣାର୍କ: ଅସୁରକ୍ଷିତ ଅଲିଭ୍‌ ରିଡଲେ କଇଁଛ। ପୁରୀ ଜିଲ୍ଲା ବାଲି ହରଚଣ୍ଡିଠାରୁ ଅସ୍ତରଙ୍ଗ ଓ ଦେବୀ ମୁହାଁଣ ମଧ୍ୟରେ ପଡ଼ି ରହିଛି ହଜାର ହଜାର ସଂଖ୍ୟାରେ ଅଲିଭ୍‌ ରିଡଲେଙ୍କ ମୃତଦେହ। ଏମାନଙ୍କ ସୁରକ୍ଷା ପାଇଁ ଥିବା ଆଇନ କେବଳ ଆଇନରେ ହିଁ ରହିଯାଇଛି। ଗୋଟିଏ ପଟେ କଇଁଛଙ୍କ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଅଣ୍ଡାଦାନ ସଂଖ୍ୟା ମଧ୍ୟ ହ୍ରାସ ପାଉଛି।

ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁର କାରଣ ସାଜିଛି ମାଛଧରା ଟ୍ରଲର। ଓଡ଼ିଶା ମେରାଇନ୍‌ ଫିସିଂ ରେଗୁଲେସନ ଆକ୍ଟ ଅନୁସାରେ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ଦେବୀ ମୁହାଣରେ ୨୦ କିଲୋମିଟର ଓ ଅନ୍ୟ ସ୍ଥାନ ମାନଙ୍କରେ ୫ କିଲୋମିଟର ମଧ୍ୟରେ ଟ୍ରଲର ମାଛ ମାରିବା ଓ ନେଟ୍ ବ୍ୟବହାର କରିବା ଉପରେ କଟକଣା ରହିଛି। ହେଲେ ଆଇନ ଏବେ ପରିଣତ ହୋଇଛି ପ୍ରହସନରେ। ନିଷିଦ୍ଧାଞ୍ଚଳରେ ଅବାଧ ଟ୍ରଲର ଚଳାଚଳ ଯୋଗୁଁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଅଲିଭ ରିଡଲେଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି।

ଏନେଇ ପରିବେଶବିତ୍‌ ରାମକୃଷ୍ଣ ମହାନ୍ତି କହିଛନ୍ତି,“ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ମୃତଦେହ ଚନ୍ଦ୍ରଭାଗା ବେଳାଭୂମିଠାରୁ ଆରମ୍ଭ କରି ରାମଚଣ୍ଡିଠାରେ ମଧ୍ୟରେ ପଡ଼ି ରହିଛି। ଏହାର କାରଣ ଅବାଧ ଟ୍ରଲର ଚଳାଚଳ କି ସମୁଦ୍ର ମଧ୍ୟରେ ଅସନ୍ତୁଳନ କି ଆଉ କ’ଣ କାରଣ ରହିଛି ସେ ନେଇ ତଦନ୍ତ ହେବା ଦରକାର।”

କଇଁଛ ସୁରକ୍ଷାକର୍ମୀ ରଥ ପ୍ରଧାନ କହିଛନ୍ତି,“ସବୁ ବର୍ଷ ଅପେକ୍ଷା ଅଣ୍ଡାଦାନ ଟିକେ କମିଛି। କମିବାର କାରଣ ଜଳବାୟୁରେ ପରିବର୍ତ୍ତନ କିମ୍ବା ବେଳାଭୂମିରେ ମୃତ କଇଁଛ ସଂଖ୍ୟା ବୃଦ୍ଧି ପାଇଥିବା ଆଶା କରାଯାଉଛି। ଆମେ କଇଁଛ ଉଠିବା ସମୟ ଭୋର ୩ଟାରୁ ଯାଇ ବେଳାଭୂମିରୁ ଅଣ୍ଡା ସଂଗ୍ରହ କରିଥାଉ। କେଉଁ ଦିନ ଟିକେ ବିଳମ୍ବ ହେଲେ ଦିନରେ କୁକୁର ରାତିରେ ବିଲୁଆ ଖାଇଯାଉଛନ୍ତି। ସେହି ଅଣ୍ଡାକୁ ୪୦ ଦିନ ଯାଏଁ ରଖିବା ପରେ ସେଥିରୁ ଛୁଆ ଫୁଟିଥାଏ। ଏହାପରେ ବନ ବିଭାଗ ପକ୍ଷରୁ ଅନୁମତି ନେଇ ସମୁଦ୍ର ମଧ୍ୟକୁ ଛାଡି ଦିଆଯାଏ।”

ପୁରୀ ଉପକୂଳରେ ଅଲିଭ୍‌ ରିଡଲେ ଅଣ୍ଡାଦାନ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଗତବର୍ଷ ଏହି ଉପକୂଳରେ ସମୁଦାୟ ୭୭୪ଟି କଇଁଛଙ୍କ ବସାରୁ ୯୪,୪୯୪ଟି ଅଣ୍ଡା ସଂଗୃହିତ ହୋଇଥିଲା। ତେବେ ଚଳିତବର୍ଷ ଫେବ୍ରୁଆରୀ ଶେଷ ସୁଦ୍ଧା ୧୫୧ କଇଁଛଙ୍କ ଠାରୁ ମାତ୍ର ୧୬,୭୭୨ ଅଣ୍ଡା ସଂଗ୍ରହ କରାଯାଇଛି। ଅନ୍ୟପକ୍ଷରେ ଗତବର୍ଷ ୩,୧୮୧ ଅଲିଭ୍‌ ରିଡଲେଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ଆସି ପହଞ୍ଚି ୩ ହଜାର ୮୫୫ରେ।

ପୁରୀ ଡିଏଫ୍‌ଓ ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,“ଆମେ ଆଶା କରୁଛୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ସେହି ପରିମାଣରେ କଇଁଛ ଅଣ୍ଡାଦାନ କରିବେ। କିନ୍ତୁ ଏହା ଜଳବାୟୁ ଓ ସଚେତନତାର ଉପରେ ନିର୍ଭର କରୁଛି। ଅନ୍ୟପକ୍ଷରେ ଗତ କିଛିଦିନ ମଧ୍ୟରେ ବେଳାଭୂମିରେ ବଡ ବଡ ତିମିର ମୃତଦେହ ଲାଗିଛି। ଯାହା ଆଶା କରାଯାଉଛି ଗଭୀର ସମୁଦ୍ରରେ କିଛି ବିଭ୍ରାଟ ସୃଷ୍ଟି ହୋଇଛି। ଏହି କାରଣରୁ କଇଁଛ ମୃତ୍ୟୁବରଣ କରୁଥିବା ଆଶଙ୍କା କରାଯାଉଛି।”

Related story