ମଦ ପିଇ ୫ ମୃତ, ୨୮ ଗୁରୁତର

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ମଦ ପିଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଗୁରୁତର ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଉଛନ୍ତି, ନିମାଇ ସାହିର ସାଧୁଚରଣ ନାୟକ, ପୀରହାଟ ଅଞ୍ଚଳର ଶଙ୍କର୍ଷଣ ପରିଡ଼ା ଏବଂ ଦୌଲତପୁରର ସର୍ବେଶ୍ୱର ଦାସ ଓ ରାମଚନ୍ଦ୍ର ପଢ଼ିଆରୀ। ଅନ୍ୟ ଜଣଙ୍କର ପରିଚୟ ମିଳିପାରିନି। କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୮ ଅସୁସ୍ଥଙ୍କ ମଧ୍ୟରୁ ୨୫ ଜଣଙ୍କୁ ଭଦ୍ରକ ଜିଲ୍ଲା […]

death

Jitendra Garnayak
  • Published: Tuesday, 30 April 2019
  • , Updated: 30 April 2019, 04:42 PM IST

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ମଦ ପିଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଗୁରୁତର ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି।

ମୃତକମାନେ ହେଉଛନ୍ତି, ନିମାଇ ସାହିର ସାଧୁଚରଣ ନାୟକ, ପୀରହାଟ ଅଞ୍ଚଳର ଶଙ୍କର୍ଷଣ ପରିଡ଼ା ଏବଂ ଦୌଲତପୁରର ସର୍ବେଶ୍ୱର ଦାସ ଓ ରାମଚନ୍ଦ୍ର ପଢ଼ିଆରୀ। ଅନ୍ୟ ଜଣଙ୍କର ପରିଚୟ ମିଳିପାରିନି। କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

୨୮ ଅସୁସ୍ଥଙ୍କ ମଧ୍ୟରୁ ୨୫ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥଙ୍କର ଠିକ୍‌ ଭାବେ ଚିକିତ୍ସା କରାଯାଉ ନ ଥିବା ନେଇ ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ଡାକ୍ତରଖାନା ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ତଦନ୍ତ ପରେ ଏ ଘଟଣା ସଂପର୍କରେ ସବିସ୍ତୃତ ତଥ୍ୟ ଜଣାପଡ଼ିବ।

ଅବକାରୀ ସଚିବ ନିକୁଞ୍ଜ ଧଳ କହିଛନ୍ତି,“ରାଜସ୍ୱ, ସ୍ୱାସ୍ଥ୍ୟ ‍‍ବିଭାଗ ସହ ପୁଲିସ୍‌ର ମିଳିତ ତଦନ୍ତ ହେବ। ପ୍ରାଥମିକ ତଦନ୍ତ ପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ନିର୍ବାଚନ ଦିନ ଏ ଘଟଣା ଘଟିଥିବାରୁ ଆମେ ଗୁରୁତ୍ୱର ସହ ନେଉଛୁ। ସାଧାରଣତଃ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହେ। ମଦ ବୋତଲ ସିଲ୍ ଦେଖିଲେ ଜଣାପଡ଼ିବ ସେଗୁଡ଼ିକ କେଉଁଠୁ ଆସିଥିଲା। ପ୍ରାଥମିକ ତଦନ୍ତରେ ଯଦି ଦୋଷୀ ଚିହ୍ନଟ ହୋଇଗଲା, ତା’ହେଲେ କାର୍ଯ୍ୟାନୁଷ୍ଠାନ ହେବ।”

ଏହି ମଦ ମୃତ୍ୟୁ ବିଭୀଷିକା ତଦନ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ  କରାଯାଇଛି । ଅବକାରୀ କମିଶନରଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା ପାଇଁ ମଦ ନମୂନା ସଂଗ୍ରହ କରିଛନ୍ତି। ପରୀକ୍ଷା ପରେ ସେଗୁଡିକ ବିଷାକ୍ତ ମଦ କି ନାହିଁ ସେ ସମ୍ପର୍କରେ ଜଣାପଡିବ ବୋଲି ସଚିବ କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ପୀରହାଟରେ ରାସ୍ତାରୋକ କରିଛନ୍ତି। ଫଳରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଏମାନେ ସମସ୍ତେ ପୀରହାଟ ନୂଆସାହିରେ ମଦ ପିଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ଜଣେ ପରେ ଜଣେ ଅସୁସ୍ଥ ହୋଇଥିଲେ। ରାମଚନ୍ଦ୍ର ପଢ଼ିଆରୀଙ୍କର ତାଙ୍କ ଗାଁରେ ମୃତ୍ୟୁ ଘଟିଥିଲା। ସେହିପରି ମଦ ପିଇବା ପରେ ଅସୁସ୍ଥ ହୋଇପଡ଼ିଥିବା ସାଧୁଚରଣ ନାୟକ ଓ ସର୍ବେଶ୍ୱର ଦାସଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବା ଯୋଗୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେମାନଙ୍କର ବି ମୃତ୍ୟୁ ଘଟିଥିଲା। ଶଙ୍କର୍ଷଣ ପରିଡ଼ା ବି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅସୁସ୍ଥଙ୍କ ମଧ୍ୟ କେତେ ଜଣ କହିଛନ୍ତି ଯେ ମଦ ପିଇଲା ପରେ ହିଁ ସେମାନଙ୍କର ଏମିତି ଅବସ୍ଥା ହୋଇଛି।

 

Related story