ଠାକୁରାଣୀଙ୍କ ନାଁ ନେଇ ମିଛ ନାଟକ; ଉତ୍ପାତ କଲେ, ଝୁଣା ନିଆଁ ଫିଙ୍ଗିଦେଲେ

ଜଳେଶ୍ୱର (ଅଜିତ କୁମାର ଦାସ): ସତରେ କ’ଣ ଶୀତଳା ଠାକୁରାଣୀ ଆସିଥିଲେ? ନା ଅଭିନୟ କଲେ ମହିଳା! ପୁରୁଣା ରାଗ ଶୁଝାଇବା ପାଇଁ ଠାକୁରାଣୀଙ୍କ ନାଁ ନେଇ ସେ ଝୁଣା ନିଆଁ ଫିଙ୍ଗିଥିବା ଆଲୋଚନା ହେଉଛି। ଯାହାଫଳରେ ଗାଁ ମୁଖିଆଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଅଞ୍ଚଳରେ ଘଟିଛି। ଆଜି ସକାଳେ ରୋଷାଲପୁର ଗାଁ ସବିତା ସାହୁ ଅସ୍ୱଭାବିକ ଆଚରଣ ପ୍ରଦର୍ଶନ କରିଥିଲେ। […]

Jaleswar

  • Published: Monday, 26 September 2022
  • , Updated: 27 September 2022, 02:52 PM IST

ଜଳେଶ୍ୱର (ଅଜିତ କୁମାର ଦାସ): ସତରେ କ’ଣ ଶୀତଳା ଠାକୁରାଣୀ ଆସିଥିଲେ? ନା ଅଭିନୟ କଲେ ମହିଳା! ପୁରୁଣା ରାଗ ଶୁଝାଇବା ପାଇଁ ଠାକୁରାଣୀଙ୍କ ନାଁ ନେଇ ସେ ଝୁଣା ନିଆଁ ଫିଙ୍ଗିଥିବା ଆଲୋଚନା ହେଉଛି। ଯାହାଫଳରେ ଗାଁ ମୁଖିଆଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଅଞ୍ଚଳରେ ଘଟିଛି।

ଆଜି ସକାଳେ ରୋଷାଲପୁର ଗାଁ ସବିତା ସାହୁ ଅସ୍ୱଭାବିକ ଆଚରଣ ପ୍ରଦର୍ଶନ କରିଥିଲେ। ମୁଣ୍ଡ ହରାଇ ନିଜକୁ ଶୀତଳା ଠାକୁରାଣୀ ବୋଲି କହି ଚିତ୍କାର କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଗାଁ ଲୋକେ ରୁଣ୍ଡ ହୋଇଥିଲେ। ଆଉ ମହିଳାମାନେ ଶଙ୍ଖ ଓ ଘଣ୍ଟା ବଜାଇ ଥିଲେ। ଏପରିକି ହୁଳହୁଳି ମଧ୍ୟ ପକାଇଥିଲେ। ଗାଁ ମୁଖିଆ ନିର୍ମଳ ଦାସ, ତାଙ୍କ ପୁତୁରା ଦେବବ୍ରତ ଦାସ ଓ ପୂଜକ ଅଶୋକ ପଣ୍ଡା ପ୍ରମୁଖ ସେଠାରେ ପହଞ୍ଚିଥିଲେ। ଏମାନଙ୍କୁ ଦେଖି ସବିତା ସାହୁ ବିକଟାଳ ରଡି ଛାଡ଼ିଥିଲେ।

ମହିଳାଙ୍କ ଏପରି ଆଚରଣ ଦେଖି ଗାଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ମହିଳାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ହେଲେ ସେ ଉତ୍ତର ଦେବା ପରିବର୍ତ୍ତେ ରାଗି ଯାଇଥିଲେ। ଆଉ ପାଖରେ ରଖିଥିବା ଝୁଣା ନିଆଁକୁ ଗାଁ ମୁଖିଆ ନିର୍ମଳ ଦାସ, ତାଙ୍କ ପୁତୁରା ଦେବବ୍ରତ ଦାସ ଓ ପୂଜକ ଅଶୋକ ପଣ୍ଡାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ମହିଳାଙ୍କ ଏପରି ରୂପ ଦେଖି ଅନ୍ୟମାନେ ସେଠାରୁ ଧାଇଁ ପଳାଇ ଯାଇଥିଲେ।

ଗାଁ ଲୋକେ ଆହତ ହୋଇଥିବା ୩ ଜଣଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଝୁଣା ନିଆଁ ଫିଙ୍ଗିବା ପରଠାରୁ ସବିତା ଫେରାର ହୋଇଯାଇଥିଲେ। ପୁଲିସ ଗାଁକୁ ଯାଇ ଖାଲି ହାତରେ ଫେରିଥିଲା। ପରେ ପୁଲିସ୍‌ ସବିତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସେପଟେ ଶୁଣିବାକୁ ମିଳୁଛି ସବିତାଙ୍କର ଗାଁ ମୁଖିଆ ଓ ପୂଜକଙ୍କ ସହିତ ପୂର୍ବରୁ ଶତ୍ରୁତା ଥିଲା। ସେମାନଙ୍କୁ ହତ୍ୟା କରିବା ପାଇଁ ସେ କୁଆଡ଼େ ଶୀତଳ ଠାକୁରାଣୀ ଆସିଥିବାର ଅଭିନୟ କରିଥିବା ଅଭିଯୋଗ ହୋଇଛି। ଯୋଜନାବଦ୍ଧ ଭାବେ ନିଆଁ ପକାଇ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

Related story