ଚନ୍ଦ୍ରଗ୍ରହଣରେ ଦର୍ଶନ ଦେବେ ମହାପ୍ରଭୁ, ସୁନାବେଶକୁ ନେଇ ସବୁ ଚୁପ୍

ପୁରୀ(ଓଡ଼ିଶା ରିପୋର୍ଟର): ଚନ୍ଦ୍ରଗ୍ରହଣରେ ଅର୍ଥାତ୍ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀଜିଉଙ୍କ ଦର୍ଶନ ଶ୍ରୀମନ୍ଦିରରେ ମିଳିବ। ତେବେ ଠାକୁରଙ୍କୁ ରାଜରାଜେଶ୍ୱର ବା ସୁନାବେଶ ଦର୍ଶନ କରିବାରେ ଶ୍ରଦ୍ଧାଳୁ ବଞ୍ଚିତ ହୋଇପାରନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ଗ୍ରହଣକୁ ନଜରରେ ରଖି ଆଜି ରାତି ୧୦ଟାରେ ଠାକୁରଙ୍କ ପହୁଡ଼ ନୀତି ହେବ। ଏହାପରେ ରାତି ୧୨ଟା ୧୦ରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ, ଅବକାଶ, ମଇଲମ ଆଦି ନୀତି ହେବ। ରାତି ୨ଟା […]

puri

  • Published: Monday, 07 November 2022
  • , Updated: 07 November 2022, 10:25 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଚନ୍ଦ୍ରଗ୍ରହଣରେ ଅର୍ଥାତ୍ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀଜିଉଙ୍କ ଦର୍ଶନ ଶ୍ରୀମନ୍ଦିରରେ ମିଳିବ। ତେବେ ଠାକୁରଙ୍କୁ ରାଜରାଜେଶ୍ୱର ବା ସୁନାବେଶ ଦର୍ଶନ କରିବାରେ ଶ୍ରଦ୍ଧାଳୁ ବଞ୍ଚିତ ହୋଇପାରନ୍ତି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ଗ୍ରହଣକୁ ନଜରରେ ରଖି ଆଜି ରାତି ୧୦ଟାରେ ଠାକୁରଙ୍କ ପହୁଡ଼ ନୀତି ହେବ। ଏହାପରେ ରାତି ୧୨ଟା ୧୦ରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ, ଅବକାଶ, ମଇଲମ ଆଦି ନୀତି ହେବ। ରାତି ୨ଟା ୩୦ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ସଂପନ୍ନ ହେବ। ଭୋର ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଉଠାଇବାକୁ ଛତିଶା ନିଯୋଗରେ ନିଷ୍ପତ୍ତି ହୋଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ ଆଜି ରାତି ପହୁଡ଼ ଠାରୁ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ସକାଳୁ ଦର୍ଶନ ଆରମ୍ଭ ହେବା ବେଳକୁ ଠାକୁର ସୁନାବେଶରେ ଥିବେ ନା ଏହା ଓଲାଗି ହୋଇଥିବେ ସେ ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉନି। ନୀତି ପ୍ରଶାସକଙ୍କ ଠାରୁ ଆରମ୍ଭ କରି ପୂଜାପଣ୍ଡାଙ୍କ ପର୍ଯ୍ୟନ୍ତ ଏ ବିଷୟରେ କେହି କିଛି ବି ସ୍ପଷ୍ଟ କହିବାକୁ ଅରାଜି। ଯାହାକୁ ନେଇ ସାଧାରଣ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

ଯେହେତୁ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସରେ ଉଲ୍ଲେଖ ରହିଛି ଗ୍ରହଣ ତିଥିରେ ପାକତ୍ୟାଗ ପୂର୍ବରୁ ମହାପ୍ରଭୁ ତଡ଼ପ ବେଶରେ ଅର୍ଥାତ୍ ଉତ୍ତରୀୟ ପରିଧାନ ବେଶରେ ରହିବେ। ତେଣୁ ଆସନ୍ତାକାଲି ଦ୍ୱାରଫିଟା ସହ ଅନ୍ୟ ନୀତିକାନ୍ତି ପରେ ଭକ୍ତ ଦର୍ଶନ ପାଇବା ବେଳକୁ ଠାକୁରମାନଙ୍କ ସୁନାବେଶ ଓଲାଗି ହୋଇ ସାରିଥିବ ବୋଲି ଅନୁମାନ କରାଯାଉଛି।

ତେଣୁ ହବିଷ୍ୟାଳିମାନେ ଆସନ୍ତାକାଲି ଭୋର ୫ଟା ୩୮ ସୁଦ୍ଧା ଡଙ୍ଗା ଭସା ଓ ବୋଇତ ବନ୍ଦାଣ ଶେଷ କରି ସାଧାରଣ ବେଶରେ ଥିବା ଶ୍ରୀଜୀଉଙ୍କୁ ଦର୍ଶନ କରି କାର୍ତ୍ତିକ ବ୍ରତ ଉଦ୍‌ଯାପନ କରିବାର ସୁଯୋଗ ପାଇବେ।

ସୂଚନା ଥାଉକି, ଆସନ୍ତାକାଲି ଅପରାହ୍ନ ୨ଟା ୩୮ ମିନଟ୍‌ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇ ୬ଟା ୧୮ ମିନଟ୍‌ରେ ସର୍ବମୋକ୍ଷ ହେବ। ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଗ୍ରହଣ ଦିନ ସୂର୍ଯ୍ୟ ଉଦୟଠାରୁ ସନ୍ଧ୍ୟା ୬ଟା ୧୮ ପର୍ଯ୍ୟନ୍ତ ଦେବନୀତି ନିଷେଧ ରହିଛି। ଏଥିସହ ମହୋଦଧି, ନଦୀ ଓ ପୁସ୍କରିଣୀରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ସୋମବାର ରାତି ୨ଟାରୁ ମଙ୍ଗଳବାର ଭୋର୍ ୫ଟା ୩୮ମିନିଟ୍ ଭିତରେ ଶେଷ କରିବାକୁ ଜ୍ୟୋତିର୍ବିଦମାନେ କହିଛନ୍ତି।

ସେପଟେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ପୁରୀକୁ ଅଧିକ ଯାନବାହନ ଆସିବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ବି କରାଯାଇଥିବା ଏସ୍‌ପି କହିଛନ୍ତି।

ଏଣେ ଆଜି ପଞ୍ଚୁକ ଚତୁର୍ଥ ଦିନରେ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାର ଆଗରେ ଲାଗିଛି ପ୍ରବଳ ଭିଡ଼। ଆସନ୍ତାକାଲି ପଞ୍ଚୁକର ଶେଷ ଦିନରେ ଜଗାଦର୍ଶନ କରି ଦୀର୍ଘ ୧ ମାସ ଧରି କାର୍ତ୍ତିକ ବ୍ରତର ଉଦ୍‌ଯାପନ କରିବେ ହବିଷ୍ୟାଳୀ।

Related story