ମାଟି ପାଇଁ ରାଜଧାନୀରେ ଗର୍ଜିଲେ ପଶ୍ଚିମ ଓଡ଼ିଶାର ହଜାର ହଜାର ଯୁବକ, ପାର୍ଟି ପାଇଁ ଏସି ରୁମରେ ବିଜେଡି 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଂଚଳିକ ବୈଷମ୍ୟର ଶିକାର ଓ ସାମଗ୍ରିକ ବିକାଶରୁ ବଂଚିିତ ହୋଇଥିବା ଅଭିଯୋଗ ଆଣି ‘ସ୍ୱତନ୍ତ୍ର କୋଶଲ ରାଜ୍ୟ’ ଦାବିରେ  ପଶ୍ଚିମଓଡ଼ିଶାର ହଜାର ହଜାର ଯୁବକ ଆଜି ରାଜଧାନୀ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ୨୨ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରର ଛଳନାପୂର୍ଣ୍ଣ ଆଭିମୁଖ୍ୟକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଆଗାମୀ ଦିନରେ କୋଶଲ ରାଜ୍ୟ ଗଠନ ଦାବିକୁ ନିର୍ଣ୍ଣାୟକସ୍ତରକୁ ନେବା ପାଇଁ ଏହି ଆନ୍ଦୋଳନରତ ଯୁବକମାନେ ଚେତାବନୀ ଦେଇଛନ୍ତି। ହେଲେ […]

State

  • Published: Tuesday, 05 July 2022
  • , Updated: 05 July 2022, 08:03 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଂଚଳିକ ବୈଷମ୍ୟର ଶିକାର ଓ ସାମଗ୍ରିକ ବିକାଶରୁ ବଂଚିିତ ହୋଇଥିବା ଅଭିଯୋଗ ଆଣି ‘ସ୍ୱତନ୍ତ୍ର କୋଶଲ ରାଜ୍ୟ’ ଦାବିରେ  ପଶ୍ଚିମଓଡ଼ିଶାର ହଜାର ହଜାର ଯୁବକ ଆଜି ରାଜଧାନୀ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ୨୨ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରର ଛଳନାପୂର୍ଣ୍ଣ ଆଭିମୁଖ୍ୟକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଆଗାମୀ ଦିନରେ କୋଶଲ ରାଜ୍ୟ ଗଠନ ଦାବିକୁ ନିର୍ଣ୍ଣାୟକସ୍ତରକୁ ନେବା ପାଇଁ ଏହି ଆନ୍ଦୋଳନରତ ଯୁବକମାନେ ଚେତାବନୀ ଦେଇଛନ୍ତି। ହେଲେ ଏପଟେ ସରକାରୀ ଓ ରାଜନୀତିକସ୍ତରରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଶାସକ ବିଜେଡି ଆଗକୁ ଆସି ସମାଧାନର ବାଟ ଖୋଜିବା ପରିବର୍ତ୍ତେ ସେମାନଙ୍କର ଆନ୍ଦୋଳନକୁ ମୂଲ୍ୟହୀନ ଦର୍ଶାଇବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି ।
ନିଜ ମାଟିର ବିକାଶ ଓ ହକ୍ ଦାବିରେ ପଶ୍ଚିମ ଓଡ଼ିଶାରୁ ଆସିଥିବା ହଜାର ହଜାର ଯୁବକ ଆଜି ବର୍ଷାରେ ଭିଜି ଭିଜି ଆନ୍ଦୋଳନ କରୁଥିବାବେଳେ ଶାସକ ବିଜେଡି ନିଜର ରାଜ୍ୟ ତମାମ ଯୁବ ଓ ଛାତ୍ର ନେତାମାନଙ୍କୁ ଡାକି ଶୀତତାପ ନିୟନ୍ତ୍ରିତ ରୁମରେ ବସି ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ କରିଛି । ଯାହାକି ଏହି ଆନ୍ଦୋଳନରତ ଯୁବକମାନଙ୍କ ପାଇଁ କଟା ଘା’ରେ ଚୂନ ମାରିବା ସଦୃଶ ହୋଇଛି । ଆଉ ଭବିଷ୍ୟତରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଆଜି ବିଧାନସଭା ଘେରାଉ ନିମନ୍ତେ ଦୀର୍ଘଦିନ ଧରି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିଲା । ଆଜି ଲଗାଣବର୍ଷା ସତ୍ତ୍ୱେ ପଶ୍ଚିମଓଡ଼ିଶାରୁ ହଜାର ହଜାର ଯୁବକମାନେ ଭୁବନେଶ୍ୱର ଆସି ଲୋୟର ପିଏମଜିରେ ଭିଜି ଭିଜି ନିଜ ମାଟି ପାଇଁ ସ୍ୱରକୁ ଶାଣିତ କରିଛନ୍ତି । ଏପରିକି ବିଧାନସଭା ଘେରାଉ ପାଇଁ ଯିବାବେଳେ ପୁଲିସ ସହ ଧସ୍ତାଧସ୍ତି ହେବାକୁ ପଛାଇ ନଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ବିକାଶରେ ପାତରଅନ୍ତର ଓ ସବୁଥିରେ ଅନୁନ୍ନତ ଓ ଅଣଦେଖାର ଅଭିଯୋଗ କରୁଥିବା ଆନ୍ଦୋଳନକାରୀଙ୍କ ସହ କାହିଁକି ସରକାରୀ କିମ୍ବା ଶାସକ ବିଜେଡି ଦ୍ୱାରା ରାଜନୀତିକସ୍ତରରେ ଆଲୋଚନା କରାଗଲାନି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ଯଦିଓ ୨୨ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ରହିଛି ଓ ପଶ୍ଚିମଓଡ଼ିଶାର ସାମଗ୍ରିକ ବିକାଶ ଦାୟିତ୍ୱ ରାଜ୍ୟ ସରକାରର । ଆଜିର ଆନ୍ଦୋଳନରେ ହଜାର ହଜାର ଶିକ୍ଷିତ ଯୁବକ ଓ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନର ନେତୃତ୍ୱ ନେଉଥିବା କିଛି ଯୁବକ ଆଜି ଗଣମାଧ୍ୟମ ସମ୍ମୁଖରେ କ୍ଷୋଭ ବ୍ୟକ୍ତ କରି କହିଛନ୍ତି ଯେ, ସ୍ୱାଧୀନତାର ୭୦ବର୍ଷ ପରେ ବି ରାଜ୍ୟର ୨କୋଟି ଜନସଂଖ୍ୟା ଅବହେଳିତ ଅବସ୍ଥାରେ ରହିଛନ୍ତି । ଆଜିର ଆନ୍ଦୋଳନ କେବଳ ଏକ ଟ୍ରେଲର । ଆଗକୁ ଫିଲ୍ମ ଅଛି । ସରକାରଙ୍କୁ କେବଳ ଆଜି ଚେତାଇ ଦିଆଯାଇଛି ।
ପଶ୍ଚିମଓଡ଼ିଶାର ବିକାଶ ପାଇଁ ଗଠିତ ‘ପରିଷଦ’ ଗଠନ ହେଲା, କିନ୍ତୁ ତା’ ଅଫିସ ଭୁବନେଶ୍ୱରରେ ରହିବ । ବାରମ୍ବାର ଦାବି ସତ୍ତ୍ୱେ ପଶ୍ଚିମ ଓଡ଼ିଶାରେ ଏହା ସ୍ଥାପନ ହେଲାନି । ସୁନ୍ଦରଗଡ଼ ଓ ସମ୍ବଲପୁରରେ ଅଧିକାଂଶ ଖଣି ଓ କମ୍ପାନୀ ଅଛି, କିନ୍ତୁ ଇଏସଆଇ ହସ୍ପିଟାଲ ଭୁବନେଶ୍ୱରରେ ହେବ । ବରଗଡ଼କୁ ରାଜ୍ୟର ଭାତହାଣ୍ଡି କୁହାଯିବ, କିନ୍ତୁ କୃଷିବିଜ୍ଞାନୀ କେନ୍ଦ୍ର ଭୁବନେଶ୍ୱରରେ ରହିବ । ଜଷ୍ଟିସ ପାଲ୍ କମିଶନଙ୍କ ସୁପାରିଶ ସତ୍ତ୍ୱେ ପଶ୍ଚିମଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ହୋଇପାରୁନି । ସାମାଜିକ ବୈଷମ୍ୟ ଦୂର ପାଇଁ ଗଠିତ ଜଷ୍ଟିସ ମହାନ୍ତି କମିଶନଙ୍କ ରିପୋର୍ଟର ସ୍ଥିତି କ’ଣ ତାହା କେହି ଜାଣିପାରୁନାହାନ୍ତି । ତେଣୁ ରାଜ୍ୟ ସରକାର ଜାଣିଶୁଣି ପଶ୍ଚିମଓଡ଼ିଶା ପ୍ରତି ଅବହେଳା କରୁଛନ୍ତି ବୋଲି ଏହି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ସାମଗ୍ରିକ ବିକାଶରୁ ବଂଚିତ ହୋଇଥିବା ଅଭିଯୋଗରେ ପଶ୍ଚିମଓଡ଼ିଶାରୁ ହଜାର ହଜାର ଲୋକ ‘ସ୍ୱତନ୍ତ୍ର କୋଶଲ ରାଜ୍ୟ’ ଗଠନ ଦାବିରେ ବିଧାନସଭା ଘେରାଉ ପାଇଁ ଭୁବନେଶ୍ୱର ଆସୁଥିବାର ଖବର ରାଜ୍ୟ ସରକାର ଓ ଗୁଇନ୍ଦା ବିଭାଗ ପାଖରେ ଥିବା ସତ୍ତ୍ୱେ ସେମାନଙ୍କ ସହ କାହିଁକି ଆଲୋଚନା କରାଗଲାନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି ।
ଆଉ ଏପଟେ ନିଜ ମାଟି ପାଇଁ ରାଜଧାନୀର ରାଜରାସ୍ତାରେ ବର୍ଷାରେ ଭିଜିଭିଜି ହଜାର ହଜାର ଯୁବକ ଆନ୍ଦୋଳନ କରୁଥିବାବେଳେ ବିଜେଡି ନିଜର ରାଜ୍ୟତମାମ ଯୁବ ଓ ଛାତ୍ର ନେତାମାନଙ୍କୁ ଭୁବନେଶ୍ୱର ଡାକି ଏସି ରୁମରେ ବୈଠକ କରିଛି। ଡିସେମ୍ବର ମାସରେ ହେବାକୁ ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଇଁ ଏହି ପ୍ରସ୍ତୁତି ବୈଠକ ହୋଇଛି। ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ସମେତ ୩ ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ ଓ ଦେବୀରଞ୍ଜନ ତ୍ରିପାଠୀ ଏହି ପ୍ରସ୍ତୁତି ବୈଠକ ପାଇଁ ଆଜିର ଦିନକୁ ବାଛିବା ହିଁ ପରୋକ୍ଷରେ ମାଟିର ବିକାଶ ପାଇଁ ପଶ୍ଚିମଓଡ଼ିଶାରୁ ଆସିଥିବା ହଜାର ହଜାର ଯୁବକମାନଙ୍କ ଦାବିକୁ ମୂଲ୍ୟହୀନ ବୋଲି ଦର୍ଶାଇବାକୁ ପ୍ରୟାସ କରିଛନ୍ତି ।

[caption id="attachment_746982" align="aligncenter" width="650"] ଏସି ରୁମ୍‌ରେ ବିଜେଡିର ଚାଲିଥିବା ପ୍ରସ୍ତୁତି ବୈଠକ।[/caption]

ସେହିପରି ବିଜେଡି ନିଜର ପଶ୍ଚିମଓଡ଼ିଶା ଚେହେରା ଭାବେ ଯେଉଁ କିଛି ନେତା ମନ୍ତ୍ରୀ ପଦ ଦେଇ ଓ ସଂଗଠନ କାର୍ଯ୍ୟରେ ଆଗକୁ ଆଣିଛି ସେମାନେ ମଧ୍ୟ ଏଭଳି ଆନ୍ଦୋଳନକୁ ଆଲୋଚନା ମାଧ୍ୟମରେ ଏଡ଼ାଇ ପାରିଥାନ୍ତେ । କିନ୍ତୁ ସେଭଳି ପ୍ରୟାସ ଏହି ନେତାମାନେ କରିନାହାନ୍ତି ଅବା ସେମାନେ ଗ୍ରହଣୀୟ ନୁହଁନ୍ତି ବୋଲି ପରୋକ୍ଷରେ ପ୍ରମାଣିତ କରାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କୁ ନିଜ ପରିବାର ବୋଲି କହୁଥିଲାବେଳେ ଦଳର ଏହି ନେତାମାନେ ପଶ୍ଚିମଓଡ଼ିଶାର ଯୁବକମାନଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ରଖି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରୟାସ କରିପାରିଥାନ୍ତେ । ମାତ୍ର ତାହା ନକରି ସମାନ୍ତରାଳ ଭାବେ ରାଜ୍ୟତମାମ ଯୁବ ଓ ଛାତ୍ର ନେତାମାନଙ୍କୁ ଡାକି ଆଜି ଦଳର ଉତ୍ସବ ପାଳନ ପ୍ରସ୍ତୁତି ବୈଠକ ହୋଇଛି। ଯାହା ପଶ୍ଚିମଓଡ଼ିଶାର ବାସ୍ତବ ଓ ସମୂହ ସମସ୍ୟାକୁ ଧରି ରାଜଧାନୀ ରାସ୍ତାରେ ଆନ୍ଦୋଳନ କରୁଥିବା ହଜାର ହଜାର ଯୁବକଙ୍କ ଭାବାବେଗ ପ୍ରତି ଖେଳ ହୋଇଛି। ଏହା କରି ଶାସକ ବିଜେଡି ‘କଟା ଘା’ରେ ଚୂନ ଦେବା ସଦୃଶ’ ଆଭିମୁଖ୍ୟ ଆପଣାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Related story