ମାଲକାନଗିରି (ଓଡ଼ିଶା ରିପୋର୍ଟର) ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ ଆସିଛି ସାଂଘାତିକ ଅଭିଯୋଗ। କରୋନା କଟକଣା ଯୋଗୁଁ ସରକାର ଆଗୁଆ ଭତ୍ତା ଦେବା ପାଇଁ ଘୋଷଣା କରିଥିବା ବେଳେ ବଣ୍ଡାଘାଟିରେ କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି । ବଣ୍ଡାଘାଟିରେ ମାସ ମାସ ଧରି ଦିଆଯାଉନାହିଁ ବାର୍ଦ୍ଧକ୍ୟ ଭତ୍ତା। ବିଶେଷ କରି ଅଣ୍ଡ୍ରାହାଲ ପଞ୍ଚାୟତର ଅନେକ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏମିତିକି ଶହ ଶହ ବୃଦ୍ଧ ଓ ବୃଦ୍ଧାଙ୍କର ଭତ୍ତା ହଡପ ହୋଇଥିବା ଅଭିଯୋଗ ଆସିଛି।
ଭତ୍ତା ଟଙ୍କା ପାଇଁ ବାରମ୍ବାର ପଞ୍ଚାୟତ ଅଫିସ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ଆଦିମ ଜନଜାତି । ପ୍ରତିମାସ ୧୫ ତାରିଖରେ ଭତ୍ତା ଟଙ୍କା ଦେବାର ନିୟମ ଥିବାବେଳେ ବଣ୍ଡାଘାଟିର ପ୍ରାୟ ୧୨ଟି ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ । ତେବେ ଗଣମାଧ୍ୟମ ଯିବାର ସୂଚନା ପାଇ ଖଇରପୁଟ ବିଡିଓ ଏବଂ ତାଙ୍କ ଟିମ୍ ହଠାତ୍ ବଣ୍ଡାଘାଟିରେ ପହଞ୍ଚି ତରବରିଆ ଭାବେ ଲୋକଙ୍କୁ ଭତ୍ତା ଟଙ୍କା ଦେବାର ଦେଖିବାକୁ ମିଳିଥିଲା।