ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ପାତରଅନ୍ତର କରୁଛି ରାଜ୍ୟ । ଯୋଗ୍ୟ ହିତାଧିକାରୀ ବଦଳରେ ଶାସକ ଦଳର କର୍ମୀଙ୍କୁ ଦିଆଯାଇଛି ଘର । ଦୁର୍ନୀତିର ଧରପଗଡ଼ ହେଲେ, ଏମାନଙ୍କ ଅବସ୍ଥା ଅସମ୍ଭାଳ ହେବ । ” ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏପରି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।
ଭୁବନେଶ୍ୱରରେ ପ୍ରଚାର ବେଳେ ଏଭଳି କଡ଼ା ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ଟୁଡ଼ୁ କହିଛନ୍ତି, କେନ୍ଦ୍ର ସରକାରଙ୍କ ପଇସାରେ ରାଜ୍ୟ ସରକାର ନିଜ ଛାପ ଲଗାଉଛନ୍ତି । ରାଜ୍ୟ ସରକାର କେବଳ ବ୍ରାଣ୍ଡିଂ କରୁଛନ୍ତି, ମାତ୍ର ପାଖରେ ଫଟା ପଇସା ନାହିଁ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ କରିଥିଲା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ ଏକ ଟିମ୍ ଆସି ତଦନ୍ତ କରିଥିଲା । ଟିମ୍ର ତଦନ୍ତ ରିପୋର୍ଟ ଆଧାରରେ ଓ଼ଡ଼ିଶା ସରକାର ୨୦୨୧ ଜୁଲାଇ ୨୦ରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଥିଲେ । ମାତ୍ର ରିପୋର୍ଟ ସନ୍ତୋଷଜନକ ନ ହେବାରୁ ଆଗ୍ରାହ୍ୟ କରିଦେଇଥିଲେ କେନ୍ଦ୍ର ସରକାର ।
ବିଜେଡି ସାଂସଦ ଏନ୍ ଭାସ୍କର ରାଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏନେଇ ସୂଚନା ଦେଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ। ତେବେ ବିଶ୍ୱେଶ୍ୱର ଟୁଡୁଙ୍କ ମନ୍ତବ୍ୟ ଉପରେ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ପୌର ନିର୍ବାଚନ ପ୍ରଚାର ନିମନ୍ତେ ଭୁବନେଶ୍ୱରରେ ପ୍ରଚାର କରୁଥିବା ଟୁଡୁ କହିଛନ୍ତି, କିଛି ଲୋକ କ୍ଷମତା ପାଇଁ ସବୁ କିଛି କରିବେ। ଏହା ଗତ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିବା ବେଳେ ପୌର ନିର୍ବାଚନରେ ବି ଦେଖିବାକୁ ମିଳିବ । ହେଲେ ସହରୀ ଲୋକ ସଚେତନ ଅଛନ୍ତି। ସେମାନେ ଭାରତୀୟ ଜନତା ପାର୍ଟିକୁ ହିଁ ବାଛିବେ। କାରଣ ପ୍ରଧାନମନ୍ତ୍ରୀ ଭାରତବର୍ଷର ସମ୍ମାନକୁ ବଢ଼ାଇବା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗକୁ ଆସିଛନ୍ତି। ଏହାକୁ ହୃଦୟଙ୍ଗମ କରିଛନ୍ତି ସଚେତନ ନାଗରିକ ।