ଦୁଇ ବିଜେଡି ନେତାଙ୍କୁ ହତ୍ୟା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡିରେ ଦୁଇ ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର। ଗତକାଲି ରାତି ପ୍ରାୟ ୮ଟା ବେଳେ ଗାଁ ନିକଟରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତାର ଦୁଇ ପାର୍ଶ୍ୱରେ ପଡ଼ିଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ଦେଖିଥିଲେ। ସେମାନଙ୍କ ଶରୀରରୁ ରକ୍ତସ୍ରାବ ହେଉଥିଲା। ଟ୍ରାକ୍ଟର ଡ୍ରାଇଭର ଏ […]

victims

Jitendra Garnayak
  • Published: Sunday, 24 April 2022
  • , Updated: 24 April 2022, 12:31 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡିରେ ଦୁଇ ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର।

ଗତକାଲି ରାତି ପ୍ରାୟ ୮ଟା ବେଳେ ଗାଁ ନିକଟରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତାର ଦୁଇ ପାର୍ଶ୍ୱରେ ପଡ଼ିଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ଦେଖିଥିଲେ। ସେମାନଙ୍କ ଶରୀରରୁ ରକ୍ତସ୍ରାବ ହେଉଥିଲା। ଟ୍ରାକ୍ଟର ଡ୍ରାଇଭର ଏ ସଂପର୍କରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ସୁଧୀର ପାତ୍ରଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ ଅଣାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ଦ୍ୱୟଙ୍କ ପରିବାର ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ପଞ୍ଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ହୋଇଥିବା ଗୋଷ୍ଠୀ ମଧ୍ୟରେ ଏକ ବୈଠକ ପନାଡ଼ ଗାଁରେ ବସିଥିଲା। ଏଥିରେ ସୁଧୀର ଓ ସୁଦର୍ଶନ ଯୋଗ ଦେଇଥିଲେ। ସେମାନେ ବିଜୟୀ ଗୋଷ୍ଠୀର ସଦସ୍ୟ ଥିଲେ। ବୈଠକ ପରେ ସୁଧୀରଙ୍କ ବାଇକ୍‌ରେ ଉଭୟେ ସେଠାରୁ ଫେରିଥିଲେ। ତେବେ ପାଳଝଡ଼ି ଗାଁ ନିକଟସ୍ଥ ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତା ନିକଟରେ ସେମାନଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ।

ସୁଧୀର ଓ ସୁଦର୍ଶନଙ୍କୁ ରାଜନୀତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କାରଣ ପରାଜିତ ପ୍ରାର୍ଥୀ ସେମାନଙ୍କୁ ବିଭିନ୍ନ ସମୟରେ ଧମକଚମକ ଦେଇଥିଲେ।

ଅନ୍ୟପକ୍ଷରେ ଉଭୟଙ୍କୁ ହତ୍ୟା ପରେ ସେମାନଙ୍କ ଠାରୁ ଲୁଟ୍ ମଧ୍ୟ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୁଦର୍ଶନ ପିନ୍ଧିଥିବା ସୁନା ମୁଦି ଓ ଚେନ୍ ସହିତ ତାଙ୍କ ପର୍ସ ଏବଂ ମୋବାଇଲ୍ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ସେହିପରି ସୁଧୀରଙ୍କ ଠାରୁ ମଧ୍ୟ ଲୁଟ୍ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରାଜନୀତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକଙ୍କ ପାଖରେ ଥିବା ମୂଲ୍ୟବାନ ଜିନିଷକୁ ଲୁଟ୍ କରି ଏହାକୁ ଭିନ୍ନ ଏକ ମୋଡ଼ ଦିଆଯିବାକୁ ପ୍ରୟାସ କରାଯାଇଥିବା ଆଲୋଚନା ହେଉଛି। ତେବେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳରୁ ପୁଲିସ୍ ଦୁଇ ହଳ ଚପଲ ସହିତ ଏକ ପଥର ଜବତ କରିଛି। ପଥରରେ ରକ୍ତ ଲାଗିଥିବା କୁହାଯାଉଛି।

Related story