ବେଆଇନ ତାଲିକାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାଜ୍ୟର ୧୧ ଜାତୀୟ କୀର୍ତ୍ତିରାଜି ସ୍ଥଳରେ ବି ହୋଇଛି ବେଆଇନ କାମ

ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବେଆଇନ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କରୁଛନ୍ତି। ପୂର୍ତ ବିଭାଗ ଅଧିନସ୍ଥ ଆର ଆଣ୍ଡ ବି ମଧ୍ୟ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ବେଆଇନ ପାଚେରି ନିର୍ମାଣ କରିଛି। ଖାଲି ଏତିକି ନୁହେଁ ରାଜ୍ୟରେ ଥିବା ୧୧ ଜାତୀୟ କୀର୍ତ୍ତିରାଜି ପରିସର ୧୦୦ ମିଟର ନିଷିଦ୍ଧାଞ୍ଚଳ ବା ସଂରକ୍ଷିତ ଅଞ୍ଚଳରେ ରାଜ୍ୟ ପ୍ରଶାସନ ମନଇଛା ଚଳାଇଛି ବେଆଇନ ନିର୍ମାଣ କାମ। ଏନେଇ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ତଥ୍ୟ ଦେଇଛି। ସୂଚନା […]

Parikrama-marga-devlopment

  • Published: Tuesday, 24 May 2022
  • , Updated: 25 May 2022, 12:32 PM IST

ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବେଆଇନ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କରୁଛନ୍ତି। ପୂର୍ତ ବିଭାଗ ଅଧିନସ୍ଥ ଆର ଆଣ୍ଡ ବି ମଧ୍ୟ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ବେଆଇନ ପାଚେରି ନିର୍ମାଣ କରିଛି। ଖାଲି ଏତିକି ନୁହେଁ ରାଜ୍ୟରେ ଥିବା ୧୧ ଜାତୀୟ କୀର୍ତ୍ତିରାଜି ପରିସର ୧୦୦ ମିଟର ନିଷିଦ୍ଧାଞ୍ଚଳ ବା ସଂରକ୍ଷିତ ଅଞ୍ଚଳରେ ରାଜ୍ୟ ପ୍ରଶାସନ ମନଇଛା ଚଳାଇଛି ବେଆଇନ ନିର୍ମାଣ କାମ। ଏନେଇ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ତଥ୍ୟ ଦେଇଛି। ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଏହି ତଥ୍ୟ ମିଳିଛି। ଏଥିରୁ ସ୍ପଷ୍ଟ ହୋଇଛି ଜାତୀୟ କୀର୍ତ୍ତିରାଜି ପରିସରରେ ନିର୍ମାଣ କାମ ପୂର୍ବରୁ ଏନେଇ କୌଣସି ବୈଷୟିକ ସର୍ଭେ ହୋଇନି। ଏଏସ୍ଆଇ ସହ ସମନ୍ୱୟ କିମ୍ବା ଏଏସ୍ଆଇ ଠାରୁ ଅନୁମତି ନିଆଯାଇନି। ବେଆଇନ ନିର୍ମାଣ ରୋକିବାକୁ ମଧ୍ୟ କୌଣସି ପଦେକ୍ଷପ ନିଆଯାଇନି। ଜାତୀୟ କୀର୍ତ୍ତିରାଜୀ ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ ଏଭଳି ହତାଦର ମନଭାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜ୍ୟର ୧୨ଟି ଜାତୀୟ କୀର୍ତ୍ତିରାଜି ପରିସର ନିଷିଦ୍ଧାଞ୍ଚଳରେ ରାଜ୍ୟ ସରକାର ବେଆଇନ ନିର୍ମାଣ କରିଥିବା ତଥ୍ୟରେ ଲେଖିଛି ଏଏସଆଇ। କଟକ ବାରବାଟି ନିଷଦ୍ଧାଞ୍ଚଳରେ ଅଙ୍ଗନୱାଡି କୋଠା ନିର୍ମାଣ କରାଯାଉଛି। ଭୁବନେଶ୍ୱରର ପ୍ରସିଦ୍ଧ ମୁକ୍ତେଶ୍ୱର ମନ୍ଦିର ପରିସରରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବେଆଇନ ନିର୍ମାଣ କାମ କରିଛନ୍ତି। ଭୁବନେଶ୍ୱର ଶାରୀ ଦେଉଳ ପରିସରରେ ଓବିସିସି ଖୋଳତାଡ଼ କରି ବେଆଇନ ନିର୍ମାଣ କାମ କରୁଛନ୍ତି। ଉଦୟଗିରି ଓ ଖଣ୍ଡଗିରିରେ ଥିବା ଗୁମ୍ଫା ପରିସରେ ଏନ୍ଏଚ୍ଆଇ ପିଡ଼ି ଡ୍ରେନେଜ ନିର୍ମାଣ କରିଛନ୍ତି। ଯାଜପୁର ଚାନ୍ଦିଆ ମହାକାଳ ମନ୍ଦିର ଓ ମଠରେ ବଡ଼ଚଣା ବିଡ଼ିଓ ବେଆଇନ ନିର୍ମାଣ କାମ କରିଛନ୍ତି। ସେହିପରି ଯାଜପୁର ତିନି ବୁଦ୍ଧ ପ୍ରତିମୂର୍ତ୍ତି ସ୍ଥଳ ଓ ସରିଆପୁର ତନ୍ତୁଳିଆ ବ୍ରିଜ ପରିସରରେ ଆରଆଣ୍ଡବି କାର୍ଯ୍ୟାନିର୍ବାହୀ ଯନ୍ତ୍ରୀ ରାସ୍ତା ଏବଂ ଡ୍ରେନ ନିର୍ମାଣ କରିଛନ୍ତି। କଟକ ଗୋପୀନାଥପୁର ସିଂହନାଥ ମହାଦେବ, ଢେଙ୍କାନାଳ କପିଳାସ ଚନ୍ଦ୍ରଶେଖର ମନ୍ଦିର ସମେତ ଏଠାରେ ଥିବା ଅନ୍ୟ ମନ୍ଦିର ପରିସରରେ ମଧ୍ୟ ବେଆଇନ ନିର୍ମାଣ କାମ ହୋଇଛି।

ପୁରୀର ବିଶ୍ୱପ୍ରସିଦ୍ଧ କୋଣାର୍କ ପରିସର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର, ପୁରୀର ଅଠରନଳା ବ୍ରିଜ ପରିସରେ ବେଆଇନ ନିର୍ମାଣ କାମ ହୋଇଛି। କୋଣାର୍କ ବ୍ଲାକ ପାଗୋଡ଼ା ନିଷିଦ୍ଧାଞ୍ଚଳ ପରିସରରେ ଅତିରିକ୍ତ ତହସିଲଦାର କୋଠା ନିର୍ମାଣ କରିଛନ୍ତି। ଅଠରନଳା ବ୍ରିଜ୍ ନିଷିଦ୍ଧାଞ୍ଚଳ ପରିସରରେ ଆର ଆଣ୍ଡ ବି ଗରୁଡ଼ ମୂର୍ତ୍ତି ଓ ଯାତ୍ରୀ ପରିଦର୍ଶନ ସ୍ଥଳ ନିର୍ମାଣ କରିଥିବା ସୂଚନାଧିକାର ତଥ୍ୟରୁ ଜଣାପଡ଼ିଛି।

ଜାତୀୟ କୀର୍ତ୍ତିରାଜି ସ୍ଥଳ ଓ ଏହା ସଂଲଗ୍ନ ବାହାର ୧୦୦ ମିଟର ନିଷିଦ୍ଧାଞ୍ଚଳ ସୁରକ୍ଷା ଦିଗରେ ଖୋଦ ପ୍ରଶାସନିକ କଳ ବେଆଇନ କାମ କରୁଥିବା ସ୍ପଷ୍ଟ ହୋଇଛି। ଆମସାର ଆକ୍ଟରେ ଏଭଳି ବେଆଇନ ନିର୍ମାଣ ବିରୋଧରେ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ ଦିଆଯାଇଥିଲେ ହେଁ ପାଳନ ହେଉନି। ବାଡ଼ କ୍ଷେତ ଖାଇବା ଭଳି ପ୍ରଶାସନ ଭେଳିକି କରୁଛି। ଫଳରେ ଜାତୀୟ କୀର୍ତ୍ତିରାଜୀ ନିକଟରେ ଉଭୟ ସରକାରୀ ଓ ବେସରକାରୀ ବେଆଇନ ନିର୍ମାଣ ବଢ଼ିବାରେ ଲାଗିଛି। ଯାହା ଜାତୀୟ କୀର୍ତ୍ତିରାଜି ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story