ଗୁପ୍ତ ନୁହେଁ, ଖୋଲା ବୁଝାମଣା ହୋଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା କଥାକୁ ଅନେକ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,“ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ବିଜେପି-ବିଜେଡି ମଧ୍ୟରେ କୌଣସି ଗୁପ୍ତ ବୁଝାମଣା ହୋଇ ନାହିଁ। ଏହା ଏକ ଖୋଲା ବୁଝାମଣା। ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ […]

dharmendra

Jitendra Garnayak
  • Published: Sunday, 23 June 2019
  • , Updated: 23 June 2019, 12:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା କଥାକୁ ଅନେକ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି,“ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ବିଜେପି-ବିଜେଡି ମଧ୍ୟରେ କୌଣସି ଗୁପ୍ତ ବୁଝାମଣା ହୋଇ ନାହିଁ। ଏହା ଏକ ଖୋଲା ବୁଝାମଣା। ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଅଶ୍ୱୀନଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ତେଣୁ ଏହା ଗୁପ୍ତ ବୁଝାମଣା ନୁହେଁ, ଖୋଲା ବୁଝାମଣା। ଏହି ବୁଝାମଣା ପଛରେ ବିକାଶ ହିଁ ପ୍ରମୁଖ କାରଣ। ଏହା ଓଡ଼ିଶା ପାଇଁ ଲାଭଦାୟକ ହେବ।”

ଏନେଇ ବିଜେପି କ୍ଷତିରେ ରହିବ କି ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି,“ ସମୟ କହିବ, କାହାର ଲାଭ ଓ କ୍ଷତି ହେବ। ଏହା ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରୁନି, କିଛି ବନ୍ଧୁଙ୍କ ମନରେ ଉଦ୍‌ବେଳନ ହେଉଛି।”

ବିଜେଡି ନିଜର ସଂଖ୍ୟା ଥିବା ସତ୍ତ୍ୱେ ରାଜ୍ୟସଭା ନିର୍ବାଚନରେ ନିଜେ ପ୍ରାର୍ଥୀ ଦେବା ବଦଳରେ ବିଜେପିର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାକୁ ଘୋଷଣା କରିଛି। ଏହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ମଧ୍ୟ ଦୁଇ ଦଳକୁ ସମାଲୋଚନା କରିଛି।

କଂଗ୍ରେସ ନେତା ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି,“ ବିଜେପି ଯାହାକୁ ପ୍ରାର୍ଥୀ କରିଛି ସେ ଖଣି ମାଲିକ ନା ନାହିଁ? ଯଦି ଖଣି ମାଲିକ ହୋଇଥାଆନ୍ତି, ତାଙ୍କ ବିରୋଧରେ ଅଭିଯୋଗ ଅଛି ନା ନାହିଁ? କାହିଁକି କେନ୍ଦ୍ର ଓ ରାଜ୍ୟ ସରକାର ଏହି ମାମଲା ସିବିଆଇକୁ ଦେଉନାହାନ୍ତି? ଏଭଳି ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା ଦୁର୍ଭାଗ୍ୟଜନକ।”

ସେ ଆହୁରି କହିଛନ୍ତି,“ଜଣେ ଅଣଓଡ଼ିଆଙ୍କୁ ରାଜ୍ୟସଭାକୁ ପଠାଯାଉଥିବାରୁ ଓଡ଼ିଶାବାସୀ ଲଜ୍ଜିତ। ରାଜ୍ୟର ସ୍ୱାର୍ଥ କଥା କହୁଥିବା ଦଳ ବାହାର ଲୋକଙ୍କୁ ରାଜ୍ୟସଭାକୁ ପଠାଉଛି।”

ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରି ନରସିଂହ କହିଛନ୍ତି,“ବିଜେପିର ଯେଉଁଠି ସଂଖ୍ୟା ଗରିଷ୍ଠତା ଅଛି, ସେଠୁ କାହିଁକି ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଗଲାନି।”

Related story