ଅନର୍ଗଳ ସଂସ୍କୃତରେ ସାକ୍ଷାତକାର ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

ନୂଆଦିଲ୍ଲୀ:ଗତ କିଛି ଦିନ ଧରି ସୋଶାଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେବାପରେ ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ଧରୁନି। ସାରା ଦେଶରେ ତାଙ୍କ ନିଆରା ଜୀବନଶୈଳୀର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ିଛି ଡିଡି ନ୍ୟୁଜ୍‌କୁ ସେ ଅନର୍ଗଳ ଏବଂ ସ୍ପଷ୍ଟ ସଂସ୍କୃତ ଭାଷାରେ ଦେଇଥିବା ସାକ୍ଷାତକାର। ପୂର୍ବରୁ ସ୍ପଷ୍ଟ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ତାଙ୍କର […]

nana-2-3-4

Subrat Kumar Nayak
  • Published: Sunday, 02 June 2019
  • , Updated: 02 June 2019, 05:22 PM IST

ନୂଆଦିଲ୍ଲୀ:ଗତ କିଛି ଦିନ ଧରି ସୋଶାଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେବାପରେ ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ଧରୁନି। ସାରା ଦେଶରେ ତାଙ୍କ ନିଆରା ଜୀବନଶୈଳୀର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ିଛି ଡିଡି ନ୍ୟୁଜ୍‌କୁ ସେ ଅନର୍ଗଳ ଏବଂ ସ୍ପଷ୍ଟ ସଂସ୍କୃତ ଭାଷାରେ ଦେଇଥିବା ସାକ୍ଷାତକାର। ପୂର୍ବରୁ ସ୍ପଷ୍ଟ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ତାଙ୍କର ଜ୍ଞାନ ବାବଦରେ ସମସ୍ତେ ଜାଣିଥିଲେ ମଧ୍ୟ ସଂସ୍କୃତରେ ତାଙ୍କର ଏତାଦୃଶ ପାଣ୍ଡିତ୍ୟ ସମସ୍ତଙ୍କୁ ଅବାକ୍‌ କରିଛି।

ସୂଚନାଯୋଗ୍ୟ ଯେ, ଅନ୍ୟ କୌଣସି ଚ୍ୟାନେଲ ସଂସ୍କୃତ ଭାଷାକୁ ସ୍ଥାନ ଦେଉନଥିବାବେଳେ ରାଷ୍ଟ୍ରୀୟ ଖବର ପ୍ରସାରଣ ସଂସ୍ଥା ଡିଡିନ୍ୟୁଜ୍‌ରେ ସ୍ୱତନ୍ତ୍ର ବୁଲେଟିନ୍‌ ଏବଂ କାର୍ଯ୍ୟକ୍ରମମାନ ସ୍ଥାନ ପାଇଆସୁଛି। ପ୍ରତାପଙ୍କ ଏହି ସାକ୍ଷାତକାରରେ ତାଙ୍କୁ ଜ୍ଞାନ ଓ କର୍ମ ଯୋଗୀ ଏବଂ ସରଳତାର ପ୍ରତିମୂର୍ତ୍ତି ଭାବେ ଅଭିହିତ କରାଯାଇଛି।

ସେ ଏଥିରେ ରାଜନୀତିକ ଜୀବନ ବାବଦରେ କହିବା ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା କାର୍ଯ୍ୟବାହ ଭାବରେ ଦୀର୍ଘଦିନ ଜଡ଼ିତ ହେବା ତାଙ୍କୁ ଗଭୀର ପ୍ରଭାବିତ କରିଥିବା ସେ କହିଛନ୍ତି। ପ୍ରଥମେ ରାଜନୀତି ପ୍ରତି ତାଙ୍କର ବିଶେଷ ଆଗ୍ରହ ନଥିଲା। କିନ୍ତୁ ପରେ ରାଜନୀତି ରାଷ୍ଟ୍ରସେବାର ଶ୍ରେଷ୍ଠ ମାଧ୍ୟମ ବୋଲି ସେ ଅନୁଭବ କରିଥିଲେ। ସେ କହିଛନ୍ତି, ରାଜନେତା ହେଉ କି ରାଷ୍ଟ୍ରପତି, ସମସ୍ତେ ପ୍ରଥମେ ମଣିଷ। ସାଇକେଲ କେବଳ ଗରିବଙ୍କ ପାଇଁ ଆଉ ଆମେ ରାଜନେତାମାନେ ଉଡ଼ାଜାହାଜରେ ବୁଲିବୁ, ମୁଁ ସେମତି ଭାବେନି। ଦରକାର ପଡ଼ିଲେ ବିମାନରେ ଯିବା କିନ୍ତୁ ସାଇକେଲ ଚଲାଇବା ଏକ ମଧୁର ଅନୁଭବ ଦେଇଥାଏ।

ସଂସ୍କୃତ ଭାଷା ସମ୍ପର୍କରେ ସେ କହିଛନ୍ତି, ଭାରତ ବିଶ୍ୱର ପ୍ରାଣ ଏବଂ ଭାରତର ଆତ୍ମା ସଂସ୍କୃତ ଭାଷା। କେବଳ ଭାରତ ନୁହେଁ ବିଶ୍ୱର ସମସ୍ତ ଭାଷାର ଜନନୀ ହେଉଛି ସଂସ୍କୃତ ଭାଷା। ଏହା ଲାଳିତ୍ୟମୟୀ ଏବଂ ବିଜ୍ଞାନସମ୍ମତ ବୋଲି ସେ ଏହି ଅବସରରେ କହିଥିଲେ। ସେହିଭଳି ବେଦ ଉପରେ ବ୍ରାହ୍ମଣ ମାନଙ୍କର ଯେତିକି ଅଧିକାର ଆଦିବାସୀ ବା ବନବାସୀଙ୍କର ମଧ୍ୟ ସେତିକି ଅଧିକାର ରହିଛି ବୋଲି ସେ କହିଛନ୍ତି। ତାଙ୍କ କର୍ମକ୍ଷେତ୍ର ବାଲେଶ୍ୱର ଜିଲ୍ଲାର ଶହେରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରଛାତ୍ରୀ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଅଧ୍ୟୟନ କରୁଛନ୍ତି ଯେଉଁମାନେ ଅନର୍ଗଳ ସଂସ୍କୃତ ଭାଷାରେ ଭାଷଣ ଦେଇପାରନ୍ତି ବୋଲି ସେ କହିଛନ୍ତି। ସେମାନେ ଗାଁକୁ ଫେରି ସଂସ୍କୃତ ଶିବିର କଲେ ସେ ବେଶ ଆନନ୍ଦିତ ହୁଅନ୍ତି ବୋଲି ପ୍ରତାପ କହିଛନ୍ତି। କୌଣସି ବିଧିବଦ୍ଧ ଶିକ୍ଷା ବିନା କେବଳ ଅଭ୍ୟାସ କରି କରି ଅନର୍ଗଳ ଭାବେ ସଂସ୍କୃତ କହୁଥିବା ପ୍ରତାପ ନିଜ ଅଞ୍ଚଳରେ ସଂସ୍କୃତ ପ୍ରଚାରରେ ବଡ଼ ଭୂମିକା ନେଇଥିବାବେଳେ ଆଗକୁ ମଧ୍ୟ ଏହା ଜାରି ରଖିବେ ବୋଲି କହିଛନ୍ତି।
https://www.facebook.com/DDNews/videos/445601599539182/

Related story