ଚାଲିଗଲା କୁଆଁରୀ ମା'ର ଛୁଆ, ନିଜ ଆଡ଼ୁ ମାମଲା ରୁଜୁ କଲା ଏନ୍‌ଏଚ୍‌ଆର୍‌ସି

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଗାଁକୁ ଯାଇଥିବା ବେଳେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ପରେ ଅନ୍ତଃସତ୍ତ୍ୱା ହୋଇ ୮ ମାସରେ ସେବାଶ୍ରମ ପରିସରରେ ଶିଶୁକନ୍ୟା ପ୍ରସବ କଲେ କୁଆଁରୀ ମାଆ। ଶେଷରେ ମୃତ୍ୟୁ ସହ ସଂଗ୍ରାମ କରୁ କରୁ ଆଖି ବୁଜିଦେଲା ନବଜାତ। ଏମିତି ଦୁଃଖଦ ପରିଣାମ ଘଟିଛି କନ୍ଧମାଳ ଦାରିଙ୍ଗବାଡ଼ି ସେବାଶ୍ରମ କେଳେଙ୍କାରୀ ମାମଲାରେ। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଜାତୀୟ ମାନବାଧିକାର କମିଶନ(NHRC)। ତା’ସହ ରାଜ୍ୟ ସରକାରଙ୍କୁ କମିଶନ ନୋଟିସ […]

8th-class

Jyoshna Pradhan
  • Published: Monday, 14 January 2019
  • , Updated: 14 January 2019, 10:09 PM IST

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଗାଁକୁ ଯାଇଥିବା ବେଳେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ପରେ ଅନ୍ତଃସତ୍ତ୍ୱା ହୋଇ ୮ ମାସରେ ସେବାଶ୍ରମ ପରିସରରେ ଶିଶୁକନ୍ୟା ପ୍ରସବ କଲେ କୁଆଁରୀ ମାଆ। ଶେଷରେ ମୃତ୍ୟୁ ସହ ସଂଗ୍ରାମ କରୁ କରୁ ଆଖି ବୁଜିଦେଲା ନବଜାତ। ଏମିତି ଦୁଃଖଦ ପରିଣାମ ଘଟିଛି କନ୍ଧମାଳ ଦାରିଙ୍ଗବାଡ଼ି ସେବାଶ୍ରମ କେଳେଙ୍କାରୀ ମାମଲାରେ। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଜାତୀୟ ମାନବାଧିକାର କମିଶନ(NHRC)। ତା’ସହ ରାଜ୍ୟ ସରକାରଙ୍କୁ କମିଶନ ନୋଟିସ କରିଛନ୍ତି।

ଶନିବାର ମଧ୍ୟରାତ୍ରରେ ସେବାଶ୍ରମର ଜଣେ ଛାତ୍ରୀ ଜନ୍ମ ଦେଇଥିବା ଶିଶୁକନ୍ୟାଟି ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରେ ନବଜାତ ଶିଶୁକନ୍ୟା ପ୍ରାଣ ହରାଇଥିବା ବେଳେ ପୀଡ଼ିତା ଛାତ୍ରୀ ଚିକିତ୍ସାଧୀନ ଅଛନ୍ତି। ସେପଟେ ଏହି ଘଟଣାରେ ଜାରି ରହିଛି ତନାଘନା। ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳାଇଙ୍କ ସମେତ ୩ ମହିଳା ସୁପରିନଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଛି।

ସେହିପରି ୨ ମ୍ୟାଟ୍ରନ, ଜଣେ ଏଏନ୍ଏମ୍, ୨ ଜଣ କୁକ୍ କମ୍ ଆଟେଣ୍ଡାଣ୍ଟ ଓ ଜଣେ ୱାଚ ଆଣ୍ଡ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ସେବାଶ୍ରମର ଅନ୍ୟ ୧୪ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତା’ସହ ସଂପୃକ୍ତ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଯୁବକ ଶ୍ରବଣ ପ୍ରଧାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା

ଏହି ଘଟଣା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଦାରିଙ୍ଗବାଡ଼ି ଓ ବ୍ରହ୍ମପୁର ଏମ୍‌କେସିଜିକୁ ଯାଇଥିଲା କଂଗ୍ରେସର ଏକ ଟିମ୍। ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଭେଟି ଅନ୍ୟ ଦୋଷୀଙ୍କୁ ଧରିବାକୁ ଦାବି କରିଥିଲା। ସେହିପରି ପୀଡ଼ିତାଙ୍କୁ ୧୦ରୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ।

ସେପଟେ ଆବାସିକ ସ୍କୁଲ ଗୁଡ଼ିକରେ ନାବାଳିକା ଗର୍ଭଧାରଣ ସମ୍ପର୍କରେ ବିଶେଷ ମନିଟରିଂ ପାଇଁ ୨୦୧୫ ମାର୍ଚ୍ଚରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରଶାସନ ନିୟମ ପାଳନରେ କାହିଁକି ବିଫଳ ହେଲା ବୋଲି ବିଜେପି ପ୍ରଶ୍ନ ଉଠାଇଛି। ଘଟଣାରେ ସଂପୃକ୍ତ ସବୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପିର ଏକ ଟିମ୍ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ୍ ହୋଇଛି।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି କହିଛନ୍ତି, ୨୦୧୫ ମସିହାରେ ଆଦିବାସୀ ସ୍କୁଲରେ ୨୦ରୁ ଅଧିକ ଏମିତି ଘଟଣା ଘଟିଥିଲା। ଗତବର୍ଷ ମଧ୍ୟ କୋରାପୁଟରେ ଅନୁରୂପ ଘଟଣାରେ ଜଣେ ପ୍ରଧାନଶିକ୍ଷକ ଗିରଫ ହୋଇଥିଲେ। ୨୦୧୪ରୁ ଏଭଳି ଅପରାଧ ବଢ଼ି ଚାଲିଥିବା ବେଳେ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ଟ୍ୱିଟ୍‌ କରି କହିଛନ୍ତି ବୈଜୟନ୍ତ।

ତେବେ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି, ରାଜ୍ୟର ୧୦୦୦ ଆବାସିକ ସ୍କୁଲରେ ସିସିଟିଭି ଲଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ସରକାର ସଚେତନ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

ଅଷ୍ଟମ ଶ୍ରେଣୀ ଛାତ୍ରୀ ହଷ୍ଟେଲ୍‌ରେ ପିଲା ଜନ୍ମ କରିବା ନେଇ ନିଜ ଆଡୁ ଏକ ମାମଲା ରୁଜୁ କରିଛି ଜାତୀୟ ମାନବାଧିକାର କମିଶନ। ତା’ସହ ରାଜ୍ୟ ସରକାରଙ୍କୁ କମିଶନ ନୋଟିସ କରିଛନ୍ତି। ପୀଡ଼ିତାଙ୍କ ଥଇଥାନ ପାଇଁ କଣ ପଦକ୍ଷେପ ନିଆଯାଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି, ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ। ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Related story