ଅପ୍‌ଗ୍ରେଡେସନ୍ ଯୋଗୁଁ ଖଣି ନିଲାମୀରେ ହେଉଛି ବିଳମ୍ବ

ଭୁବନେଶ୍ୱର: ସଂଶୋଧିତ ଏମ୍‌ଏମ୍‌ଡିଆର ଆକ୍ଟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଘେରାବୁରାହାଣୀ ଲୁହା ପଥର ଖଣି ନିଲାମ ହେବା ପରେ ରାଜ୍ୟର ଅନ୍ୟ ଖଣିଗୁଡ଼ିକର ନିଲାମୀ ପ୍ରକ୍ରିୟାରେ ବିଳମ୍ବ ହେଉଛି। ଆଉ ଏଥିପାଇଁ ଖଣି ଅପ୍‌ଗ୍ରେଡେସନ୍‌କୁ ଦାୟୀ କରାଯାଉଛି। ରାଜ୍ୟ ସରକାର ନିଲାମୀ ପାଇଁ ଚୟନ କରିଥିବା ୧୪ଟି ଖଣି ମଧ୍ୟରୁ ପ୍ରାୟ ସବୁଗୁଡ଼ିକ ହେଉଛି ଜି-୩ ସ୍ତରର। ନିଲାମୀ ହେବା ପାଇଁ ଏଗୁଡ଼ିକୁ ଜି-୨ ସ୍ତରକୁ ଆଣିବା ନିହାତି ଜରୁରୀ। କାରଣ ଜି-୨ ସ୍ତରକୁ ଆଣିବା ପରେ […]

mines

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 03:36 PM IST

ଭୁବନେଶ୍ୱର: ସଂଶୋଧିତ ଏମ୍‌ଏମ୍‌ଡିଆର ଆକ୍ଟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଘେରାବୁରାହାଣୀ ଲୁହା ପଥର ଖଣି ନିଲାମ ହେବା ପରେ ରାଜ୍ୟର ଅନ୍ୟ ଖଣିଗୁଡ଼ିକର ନିଲାମୀ ପ୍ରକ୍ରିୟାରେ ବିଳମ୍ବ ହେଉଛି। ଆଉ ଏଥିପାଇଁ ଖଣି ଅପ୍‌ଗ୍ରେଡେସନ୍‌କୁ ଦାୟୀ କରାଯାଉଛି। ରାଜ୍ୟ ସରକାର ନିଲାମୀ ପାଇଁ ଚୟନ କରିଥିବା ୧୪ଟି ଖଣି ମଧ୍ୟରୁ ପ୍ରାୟ ସବୁଗୁଡ଼ିକ ହେଉଛି ଜି-୩ ସ୍ତରର। ନିଲାମୀ ହେବା ପାଇଁ ଏଗୁଡ଼ିକୁ ଜି-୨ ସ୍ତରକୁ ଆଣିବା ନିହାତି ଜରୁରୀ। କାରଣ ଜି-୨ ସ୍ତରକୁ ଆଣିବା ପରେ ହିଁ ଏହି ଖଣିଗୁଡ଼ିକୁ ନିଲାମ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରେଙ୍ଗଲୋବେଡ଼ା, କାଲମୋଙ୍ଗ ୱେଷ୍ଟ ଓ ବାଲିଆ ପାହାଡ ବ୍ଲକ୍ ଖଣିର ଜି-୨ ସର୍ଭେ ଚାଲିଛି। ଜିଓଲୋଜି ନିର୍ଦ୍ଦେଶାଳୟ, ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଓ ମିନେରାଲ୍ ଏକ୍ସପ୍ଲୋରେସନ୍ କର୍ପୋରେସନ୍ ଲିମିଟେଡ୍(ଏମ୍‌ଇସିଏଲ୍‌) ଖଣିଗୁଡ଼ିକର ସର୍ଭେ କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟ ଖଣିଗୁଡ଼ିକର ସର୍ଭେ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯିବ। ଏ ନେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟ ଧାର୍ଯ୍ୟ ହୋଇଛି। ୨୦୧୬ ଡିସେମ୍ବର ମାସ ଶେଷ ସୁଦ୍ଧା ୯ଟି ଖଣି ୨୦୧୭ ମାର୍ଚ୍ଚ ସୁଦ୍ଧା ଅନ୍ୟ ଦୁଇଟି ଖଣିର ସର୍ଭେ କାମ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି,“ଯେଉଁ ଖଣିର ସର୍ଭେ ଶେଷ ହେବ ସେହି ଖଣିର ତୁରନ୍ତ ନିଲାମ କରାଯିବ।”

ଅନ୍ୟପକ୍ଷରେ ଜଣାପଡ଼ିଛି ଯେ ଜି-୨ ସ୍ତର ସର୍ଭେ କାର୍ଯ୍ୟ ସମୟ ସାପେକ୍ଷ। ଏହି ସର୍ଭେରୁ ଗୋଟିଏ ଖଣିରେ କେତେ ଖଣିଜ ପଦାର୍ଥ ଗଚ୍ଛିତ ରହିଛି, ଖଣିଜ ପଦାର୍ଥର ମାନ କ’ଣ, କେତେ ଖଣିଜ ପଦାର୍ଥ ଉତ୍ପାଦନ ହେବ ସେନେଇ ବିସ୍ତୃତ ତଥ୍ୟ ଜଣାପଡ଼ିବ।

ଖଣି ନିଲାମୀ ପ୍ରକ୍ରିୟାରେ ବିଳମ୍ବ ହେଲେ ଏଥିରୁ ମିଳିବାକୁ ଥିବା ରାଜସ୍ୱ ପ୍ରଭାବିତ ହେବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଖଣି ମାଲିକ ସଂଘ ସଂପାଦକ ପ୍ରବୋଧ ମହାନ୍ତି।

ରାଜ୍ୟ ସରକାର ଖଣିର ସନ୍ଧାନ ପାଇଁ ଓଡ଼ିଶା ଏକ୍ସପ୍ଲୋରେସନ୍ କର୍ପୋରେସନ୍ ଗଠନ କରିବାକୁ ଯାଉଛନ୍ତି। ଏହା ହେଲେ ନିଲାମୀ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

Related story