ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଅପେକ୍ଷା ଆଜି ରାଜ୍ୟର ସବୁ ଜାଗାରେ ତାପମାତ୍ରା ବଢ଼ିଛି। ଗତକାଲି ସୋନପୁରରେ ତାପମାତ୍ରା ୬.୦ ଡିଗ୍ରୀ ଥିବା ବେଳେ ଆଜି ୭.୦ ଡିଗ୍ରୀ ରହିଛି। ସେହିପରି ଟିଟିଲାଗଡ଼ରେ ୭.୦, ଦାରିଙ୍ଗବାଡ଼ିରେ ୭.୦ ଓ ଅନୁଗୋଳରେ ୭.୦ ଡିଗ୍ରୀ ତାପମାତ୍ରା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି।
ସେ କହିଛନ୍ତି, “ରାଜ୍ୟର ସବୁ ସ୍ଥାନରେ ୧ରୁ ୨ ଡିଗ୍ରୀ ମଧ୍ୟରେ ତାପମାତ୍ରା ବଢ଼ିଛି। ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ମଧ୍ୟରେ ବଢ଼ିବ। ତା’ଦ୍ୱାରା ଥଣ୍ଡାର ପ୍ରଭାବ ଆସ୍ତେ ଆସ୍ତେ କମିବ। ତେବେ ବାରିପଦାରେ ଆଜି ହାଲ୍କା କୁହୁଡ଼ି ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲ୍କା କୁହୁଡ଼ି ହେବାର ସମ୍ଭାବନା ରହିଛି।”