ନବୀନଙ୍କ ବିଶ୍ୱସନୀୟତାକୁ ଧକ୍କା: କିଏ କଲା ଷଡ଼ଯନ୍ତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବଦା ସ୍ୱଳ୍ପ, ସଠିକ୍ ଓ ମାପିଚୁପି କଥା କହୁଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱସନୀୟତା ଉପରେ ପ୍ରଥମଥର ପାଇଁ ଶକ୍ତଧକ୍କା ଲାଗିଛି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜିଣିବାରେ ସକ୍ଷମ ଥିବା ଶ୍ରୀ ପଟ୍ଟନାୟକଙ୍କ ମୁହଁରେ ଗତ ୮ମାସ ତଳେ ‘କାଳିଆ’ ଯୋଜନାର କାର୍ଯ୍ୟକାରିତାକୁ ନେଇ କୁହାଯାଇଥିବା କଥା ଓ ଏବେ ତାଙ୍କ ସରକାର କରିଥିବା କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ହିଁ ସାଧାରଣରେ ନବୀନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ନିଜର ନିର୍ମଳ ଭାବମୂର୍ତ୍ତି, ସଚ୍ଚୋଟତା, କଥା କମ୍ ଓ କାମ ବେଶୀ ସ୍ୱଭାବ ପାଇଁ ଉଭୟ ରାଜ୍ୟବାସୀ ଓ ଜାତୀୟ ରାଜନୀତିରେ ବି ସମସ୍ତଙ୍କଠୁ ସମ୍ମାନ ପାଉଥିବା ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ୨୩ ବର୍ଷର ରାଜନୀତିକ କ୍ୟାରିୟରରେ ଏଭଳି ବିଡ଼ମ୍ବନା ପ୍ରଥମଥର ଦେଖିବାକୁ ମିଳିଛି, ଯାହାକି ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ନିଜର ରାଜନୀତିକ ଜୀବନରେ ଏପର୍ଯ୍ୟନ୍ତ କେବେବି ନିଜ ରାଜନୀତିକ ବିରୋଧୀଙ୍କ ପ୍ରତି ବି କଟୂ ଶବ୍ଦ ପ୍ରୟୋଗ କରିନଥିବା ଶ୍ରୀ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ବିଶ୍ୱସନୀୟତାରେ କଳାଦାଗ କିଏ ଓ କାହିଁକି ଲଗାଇଲା ତାକୁ ନେଇ ଏବେ ଚର୍ଚ୍ଚା।

ସୂଚନା ଅନୁସାରେ, ନଭେମ୍ବର ୧୫ ତାରିଖ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଓ ନଭେମ୍ବର ୩୦ତାରିଖରେ ସରକାରୀ ବିଜ୍ଞପ୍ତି ଅନୁସାରେ ‘କାଳିଆ’ ଯୋଜନା କାର୍ଯ୍ୟକାରିତାର ଗାଇଡଲାଇନରେ ପରିବର୍ତ୍ତନ କରାଯାଇ କେନ୍ଦ୍ରର ‘ପିଏମ୍-କିଷାନ’ ଯୋଜନା ସହ ଏକାଠି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ପିଏମ୍-କିଷାନ ଯୋଜନାରେ ସମସ୍ତ ବର୍ଗର ଚାଷୀ (ଭୂମିହୀନ ଓ ଭାଗଚାଷୀଙ୍କୁ ବ୍ୟତୀତ)ଙ୍କୁ ବାର୍ଷିକ ୬ହଜାର ଟଙ୍କା ଓ ‘କାଳିଆ’ ଯୋଜନାରେ ସମସ୍ତ ଚାଷୀଙ୍କୁ (ବୃହତ୍ ଚାଷୀଙ୍କ ବ୍ୟତୀତ) ବାର୍ଷିକ ୧୦ହଜାର ଟଙ୍କା ସହାୟତା ଦେବାର ପ୍ରାବଧାନ ରହିଥିଲା। ଜଣେ ଚାଷୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଠୁ ସହାୟତା ପାଇବାକୁ ନେଇ କେନ୍ଦ୍ର ସରକାର କୌଣସି ଆପତ୍ତି ଉଠାଇନଥିବାବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର କାହିଁକି ପ୍ରାୟ ୩୬.୩୪ ଲକ୍ଷ ଚାଷୀ ପରିବାରକୁ ୬୦୦୦ ଟଙ୍କା ସହାୟତାରୁ ବଞ୍ଚିତ କରିବାକୁ ନିଷ୍ପତ୍ତି ନେଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ବିଶେଷକରି ୨୦୧୯ ଏପ୍ରିଲ ୧୦ ତାରିଖ ଓ ୧୫ତାରିଖରେ ରାଜ୍ୟବାସୀଙ୍କୁ ଶ୍ରୀ ପଟ୍ଟନାୟକ ଦେଇଥିବା ଆଶ୍ୱାସନା ଓ ପ୍ରତିଶ୍ରୁତିକୁ ବି ତାଙ୍କ ସରକାର ସାମାନ୍ୟତମ ସମ୍ମାନ ଦେବାକୁ ଆଗ୍ରହ ଦେଖାଇ ନାହିଁ। ୨୦୧୪ ମସିହାରେ ଚତୁର୍ଥ ପାଳି ସରକାର ଗଠନ କରିବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଦଳର ନିର୍ବାଚନୀ ଇସ୍ତାହାରକୁ ରାଜ୍ୟ କ୍ୟାବିନେଟରେ ଗୃହୀତ କରାଇ ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲେ। ଏପରିକି ୨୦୧୯ ମେ’ ୨୯ରେ ପଞ୍ଚମପାଳି ସରକାର ଗଠନ ଦିନ ହିଁ ‘କାଳିଆ’ ଯୋଜନାର ହିତାଧିକାରୀଙ୍କ ସଂଖ୍ୟାକୁ ୭୫ଲକ୍ଷକୁ ବୃଦ୍ଧି କରି ଜଣେ ବି ଯୋଗ୍ୟ ଚାଷୀ ଏହି ଯୋଜନାରୁ ବଞ୍ôଚତ ହେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

୨୦୧୯ ଏପ୍ରିଲ ୯ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପାଖରେ ନିଜେ ଅଭିଯୋଗ ଦାଖଲ କରି ଗରିବ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାକୁ କାର୍ଯ୍ୟକାରୀ ନିମନ୍ତେ ଅନୁମତି ଦିଆଯାଉ ବୋଲି ଦାବି କରିବାର ଦିନକ ପରେ ଶ୍ରୀ ପଟ୍ଟନାୟକ ଏପ୍ରିଲ ୧୦ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ରାଜ୍ୟବାସୀଙ୍କୁ ଭାବନାତ୍ମକ ସନ୍ଦେଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ “ ସେ ବଞ୍ôଚଥିବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ୍ ଯୋଜନା ‘କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ।”

ସର୍ବଦା କମ୍ ଓ ମାପିଚୁପି ବୟାନ ଦେଉଥିବା ଶ୍ରୀ ପଟ୍ଟନାୟକ ଏତିକିରେ ଚୁପ୍ ରହିନଥିଲେ ୨୦୧୯ ଏପ୍ରିଲ ୧୫ତାରିଖରେ ବରଗଡ଼ରେ ସାଧାରଣ ସଭାରେ କହିଥିଲେ ଯେ “ ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ରରେ ଥିବା ବିଜେପି ସରକାର ଷଡ଼ଯନ୍ତ୍ର କରୁଛି। କିନ୍ତୁ ସେ ବଞ୍ôଚଥିବା ପର୍ଯ୍ୟନ୍ତ ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ।”

ଶ୍ରୀ ପଟ୍ଟନାୟକଙ୍କ ପ୍ରଥମଥର ପାଇଁ ଏଭଳି ସନ୍ଦେଶକୁ ମଧ୍ୟ ରାଜ୍ୟବାସୀ ଖୋଲାମନରେ ସ୍ୱାଗତ କରିଥିଲେ। ବିଜେଡିକୁ ସ୍ପଷ୍ଟ ବହୁମତ ସହ ଶ୍ରୀ ପଟ୍ଟନାୟକଙ୍କୁ ପଞ୍ଚମଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଆସୀନ କରାଇଥିଲେ।

ତେବେ ପ୍ରଶ୍ନ ଉଠୁଛି, ନିଜର ରାଜନୀତିକ କ୍ୟାରିୟର ମଧ୍ୟରେ ରାଜ୍ୟବାସୀଙ୍କୁ ଏଭଳି ଭାବନାତ୍ମକ ସନ୍ଦେଶ ଓ ଆହ୍ୱାନ ଦେଉନଥିବା ଶ୍ରୀ ପଟ୍ଟନାୟକ ‘କାଳିଆ’ ଯୋଜନାକୁ ନେଇ ଯେଉଁ ମତ ପୋଷଣ କରିଥିଲେ, ତାକୁ କାର୍ଯ୍ୟକାରୀ କରିବା ଓ ସମ୍ପୃକ୍ତ ଯୋଜନାକୁ ଅଧିକ ଲୋକପ୍ରିୟ କରାଇବା ବଦଳରେ ରାଜ୍ୟ ପ୍ରଶାସନିକ କଳ କାହିଁକି ‘କାଳିଆ’ ଯୋଜନାକୁ କାଣ୍ଟଛାଣ୍ଟ୍ କରାଇଲା? କ’ଣ ପାଇଁ ଚାଷୀ ସଂଗଠନ ‘ଶତାବ୍ଦୀର ସବୁଠୁ ବଡ଼ ବିଶ୍ୱାସଘାତକତା’ ସେମାନଙ୍କ ସହ ହୋଇଛି ବୋଲି କହିଲା? କାହିଁକି ରାଜ୍ୟର ଚାଷୀଙ୍କ ମଧ୍ୟରେ ରୋଷ ବଢ଼ୁଛି? ଯଦି ଏଭଳି ନିଷ୍ପତ୍ତି ନେବାର ଥିଲା ତା’ହେଲେ ଶ୍ରୀ ପଟ୍ଟନାୟକଙ୍କ ମୁହଁରେ ଏପରି ଭାବନାତ୍ମକ ସନ୍ଦେଶ ରାଜ୍ୟବାସୀଙ୍କୁ ଦେଇ ତାଙ୍କ ପ୍ରତି ଲୋକଙ୍କ ମନରେ ରହିଥିବା ଆସ୍ଥା ଓ ବିଶ୍ୱାସକୁ କାହିଁକି ଖିନଭିନ୍ ହେବାକୁ ଦିଆଗଲା? ଏସବୁ ପ୍ରଶ୍ନ ଏବେ ସାଧାରଣ ଓ ଗରିବ ଚାଷୀ ମନକୁ ଆନ୍ଦୋଳିତ କରିବାରେ ଲାଗିଛି।