ବାଗଚୀଙ୍କ ଅଜ୍ଞାତବାସର ରହସ୍ୟ କ’ଣ ?

ଚାହୁଁ ଚାହୁଁ କରୋନା ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧ ଇତିମଧ୍ୟରେ ଗମ୍ଭୀର ରୂପ ଧାରଣ କଲାଣି। ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିପାରିପାରି ନଥିବା ମହାମାରୀ କରୋନା ଏ ଭିତରେ ବେଶ ଶକ୍ତିଶାଳୀ ହୋଇ ରାଜ୍ୟରେ କାୟା ବିସ୍ତାର କଲାଣି । ୩ ମାସ ପୂର୍ବରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୧-୨ରେ ସୀମତ ଥିବା ବେଳେ ଏବେ ପ୍ରାୟତଃ ଶତକ ଛୁଉଁଛି। ୭ଟି ମୁଣ୍ଡ ମଧ୍ୟ ନେଲାଣି। କରୋନା ବିରୋଧରେ ଯୁଦ୍ଧ ଏକ ଉଦ୍‌ବେଗଜନକ ସ୍ଥିତିରେ […]

TAPAS-1

TAPAS-1

Tapas Behera
  • Published: Sunday, 31 May 2020
  • Updated: 31 May 2020, 09:37 PM IST

Sports

Latest News

ଚାହୁଁ ଚାହୁଁ କରୋନା ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧ ଇତିମଧ୍ୟରେ ଗମ୍ଭୀର ରୂପ ଧାରଣ କଲାଣି। ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିପାରିପାରି ନଥିବା ମହାମାରୀ କରୋନା ଏ ଭିତରେ ବେଶ ଶକ୍ତିଶାଳୀ ହୋଇ ରାଜ୍ୟରେ କାୟା ବିସ୍ତାର କଲାଣି । ୩ ମାସ ପୂର୍ବରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୧-୨ରେ ସୀମତ ଥିବା ବେଳେ ଏବେ ପ୍ରାୟତଃ ଶତକ ଛୁଉଁଛି। ୭ଟି ମୁଣ୍ଡ ମଧ୍ୟ ନେଲାଣି। କରୋନା ବିରୋଧରେ ଯୁଦ୍ଧ ଏକ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚି ଥିବା ବେଳେ ଏହି ଲଢ଼େଇର ଆଦ୍ୟ ଭାଗରେ ରାଜ୍ୟ ଶାସନ କଳର ପ୍ରମୁଖ ଚେହେରା ସାଜିଥିବା ସୁବ୍ରତୋ ବାଗଚୀ ହଠାତ୍‌ ଅନ୍ତର୍ଦ୍ଧାନ ହୋଇଯିବା ସଭିଙ୍କୁ ଚକିତ କରିଛି। ଏ ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କି ମାରୁଛି। କଥା ଉଠୁଛି କୁଆଡ଼େ ଗଲେ ବାଗଚୀ। ଏମତି କି ଗତକାଲି କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ଗାନ ହୋଇଥିବା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଭିଡିଓରେ କୌଣସି ଜାଗାରେ ବି ବାଗଚୀଙ୍କ ମୁହଁ ଦେଖିବାକୁ ମିଳିଲା ନାହିଁ। ତେବେ ବାଗଚୀଙ୍କ ଏହି ଅନୁପସ୍ଥିତି ପଛର କାରଣ ସେ ନିଜେ କହିନାହାନ୍ତି କି ଏ ସଂକ୍ରାନ୍ତରେ ରାଜ୍ୟ ସରକାର ମଧ୍ୟ କିଛି ସ୍ପଷ୍ଟ କରି ନାହାନ୍ତି। ରାଜ୍ୟସରକାରଙ୍କ କୋଭିଡ୍‌ ମୁଖପାତ୍ର ସାଜି ଦୈନିକ କରୋନା ସଂକ୍ରାନ୍ତରେ ତଥ୍ୟ ଦେଉଥିବା ବାଗଚୀ ଅଚାନକ ଅଦୃଶ୍ୟ ହୋଇଯିବା ପଛରେ ରାଜନୈତିକ ଅଭିସନ୍ଧି ଥିବା କୁହାଯାଉଛି।

ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଯେବେ ସାରା ବିଶ୍ୱକୁ କବଳିତ କଲା ସବୁଠି ଏକ କୋକୁଆ ଭୟ ସୃଷ୍ଟିକଲା। ତେବେ ଏକ ଅଜଣା ଓ ଅଦୃଶ୍ୟ ଶକ୍ତି ବିରୋଧରେ ଲଢ଼େଇ ପାଇଁ ଏହାର ଉପଯୁକ୍ତ ଅସ୍ତ୍ର ତଥା ଔଷଧ ବାହାରି ପାରି ନଥିବାରୁ ଏହାକୁ ମୁକାବିଲା କରିବା ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଠିକ୍‌ ଏତିକି ବେଳେ ଅର୍ଥାତ ଗତ ମାର୍ଚ୍ଚ ମାସରେ ସୁବ୍ରତୋ ବାଗଚୀଙ୍କୁ ରାଜ୍ୟ ସରକାର ଏହି ଲଢ଼େଇର ପ୍ରମୁଖ ସେନାପତି ଆସନରେ ବସାଇ କୋଭିଡ୍‌ ମୁଖପାତ୍ର ଦାୟିତ୍ୱ ଦେଲେ। ବାଗ୍‌ଚୀଙ୍କ ପରିଚୟ କହିଲେ ସେ ଜଣେ ସଫଳ ଉଦ୍ୟୋଗୀ ଓ ମୋଟିଭେସନାଲ ସ୍ପିକର। ଆଶା ମୁତାବକ ଆରମ୍ଭରୁ ନିଜ ବାକପଟୁତାରେ ବାଗଚୀ କୋଭିଡ୍‌ ସଂକ୍ରାନ୍ତରେ ତଥ୍ୟ ଦେଇ ଲୋକଙ୍କ ମନ ମଧ୍ୟ କିଣିନେଲେ ।

ରାଜ୍ୟର ସଂସ୍କୃତି, ପରମ୍ପରା ଓ ବେଦ ପୂରାଣର ଉପାଖ୍ୟାନ ଥୋଇ ଲୋକଙ୍କୁ ବୁଝେଇବାରେ ସକ୍ଷମ ହୋଇପାରିଥିବା ବାଗ୍‌ଚୀଙ୍କ ଲୋକପ୍ରିୟତା କେଇଟା ଦିନରେ ବେଶ ଅକାଶ ଛୁଆଁ ହୋଇଗଲା। ତାଲାବନ୍ଦ ବେଳେ ଲୋକେ ଘରେ ଏକ ପ୍ରକାର ବାନ୍ଧି ହୋଇ ବସିଥିବା ବେଳେ ଦୈନିକ ୪ଟା ବେଳେ ଲୋକେ ବାଗଚୀଙ୍କୁ ଦେଖୁଥିଲେ। ଏମିତିକି ବାଗଚୀଙ୍କ ନାମରେ ଏକ ଫ୍ୟାନ୍‌ କ୍ଲବ ମଧ୍ୟ ହେଲା। ଅବଶ୍ୟ କେତେକେ ଅନାବଶ୍ୟକ ଓ କିଛି ଅତିରଞ୍ଚିତ ବ୍ୟାଖ୍ୟା ମୁଖ୍ୟ ପ୍ରସଙ୍ଗ ବାହାରେ ହୋଇଯାଉଥିବାରୁ ସମାଲୋଚନାର ସରବ୍ୟ ହୋଇଥଲେ ବାଗଚୀ। ତାଙ୍କୁ ନେଇ ସୋଶାଲ ମିଡିଆରେ ଅନେକ କଥା ଉଠିଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତାରେ ଆଞ୍ଚ ଆଣିପାରି ନଥିଲା। ଲକଡାଉନ୍‌ରେ ଯେତେବେଳେ ସବୁ ନେତା ଘରେ ବସିଥିଲେ ଟେଲିଭିଜନ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଗଲେ ବାଗଚୀ। ଜନମାନସରେ ଏପରି ବି ଚର୍ଚ୍ଚା ଆରମ୍ଭ ହେଲା ଯେ, ବାଗଚୀ ହିଁ ନବୀନ ପଟ୍ଟନାୟକରଙ୍କ ପରବର୍ତ୍ତୀ ଓ ଉପଯୁକ୍ତ ବିକଳ୍ପ।  ଆଉ ଏଭଳି ଚର୍ଚ୍ଚା ଏବେ କୁଆଡ଼େ ବାଗଚୀଙ୍କ ଏହି ଅନ୍ତର୍ଧାନ ପଛର ଅସଲ କାରଣ ବୋଲି କୁହାଯାଉଛି।

ଆଲୋଚନା ହେଉଛି ଖାସ୍‌ ବାଗଚୀଙ୍କ ବର୍ଦ୍ଧିତ ଲୋକପ୍ରିୟତାକୁ ଲଗାମ ଦେବା ପାଇଁ ଆରମ୍ଭ ହୋଇଥିଲା ଏକ ବିଧିବଦ୍ଧ ଯୋଜନା। ସେତେବେଳେ ରାଜ୍ୟ ଟେଲିଭିଜନର ଟିଆରପି ରେଟିଂରେ ଏକ ନମ୍ବର ହୋଇଯାଥିବା ବାଗଚୀଙ୍କ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଗଲା। ସପ୍ତାହକୁ ୭ଦିନ ଆସୁଥିବା ବାଗଚୀକୁ ୩ ଦିନରେ ସୀମିତ ରଖାଲା। ପରବର୍ତ୍ତୀ ସମୟରେ କୌଣସି ସୂଚନା ନଥାଇ ତାଙ୍କୁ ବାଦ୍‌ ଦେଇଦିଅଗଲା ଏବଂ ପରଦା ପଛରେ ଥିବା ଆଇଏଏସ ଅଧିକାରୀମାନେ ଆସି ପ୍ରେସ ବିବୃତି ରଖିଲେ। ଆଉ ଏବେ କିଛି ଦିନ ହେଲା ସବୁ ବନ୍ଦ ରହିଛି। ତେବେ ବାଗଚୀଙ୍କୁ ଅପସାରଣ ପଛରେ ଏଠି ଆଉ ଗୋଟିଏ କଥା ମଧ୍ୟ ଉଠୁଛି। କୁହାଯାଉଛି ରାଜ୍ୟ ସରକାର ଯାହାକୁ ଜ୍ୱାଇଁ ପୁଅ କରି ଆଣନ୍ତି ପରବର୍ତ୍ତୀ ସୟମରେ ତାଙ୍କୁ ଏମିତି ହିନିମାନିଆ କରି ଛାଡ଼ନ୍ତି ଠିକ୍‌ ଏକ ହୋରର ଫିଲ୍ମର ଦୁଃସ୍ୱପ୍ନ ଭଳି।

ଏହାର ଉଦାହରଣ ବେଶ ଲମ୍ବା। ପୂର୍ବତନ ଡିଜି ଅମରାନନ୍ଦ ପଟ୍ଟନାୟକ, ମନମୋହନ ପ୍ରହରାଜ, ପ୍ରକାଶ ମିଶ୍ର ଏହି ତାଲିକାରେ ଥିବା ବେଳେ ଏବେ ବାଗଚୀ  ଅଜ୍ଞାତବାସରେ ରହିବା ରାଜ୍ୟ ସରକାରଙ୍କ ସମାନ୍ ଗେମ୍‌ ପ୍ଲାନ ବୋଲି କୁହାଯାଉଛି। କିଛି ନିନ୍ଦୁକ ଏମିତିବି କହୁଛନ୍ତି ପ୍ରଥମେ ପ୍ରତିଭା ମାନଙ୍କୁ କୋଳେଇ ନେଇ ପରେ ପଛରୁ ନାତ ମାରିବା କୁଆଡ଼େ ଏବର ଶାସକ ଗୋଷ୍ଠୀର ଏକ ଚିରାଚରିତ ପ୍ରବୃତ୍ତି। କାରଣ ଏହି ଗୋଷ୍ଠୀ ନିଜ ବିନା ଅନ୍ୟର ସଫଳତାକୁ ସହିପାରନ୍ତି ନାହିଁ। ଖାସ୍‌ ଏହି ଗୋଷ୍ଠୀ ଯୋଗୁ ଦିନ କେଇଟାରେ କୋଟି କୋଟି ଓଡ଼ିଆଙ୍କ ଶ୍ରଦ୍ଧା ଭାଜନ ହୋଇ ଥିବା ସୁବ୍ରତୋ କେଉଁ ଅଜଣା ରାଣ ଖାଇ ଏକ ବନବାସରେ ଅଛନ୍ତି।

Ph-7008583356

Email:tapasbehera57@gmail.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos