ସାଲେପୁର (ମନୋଜ ଆଚାର୍ଯ୍ୟ): କଲେଜ ଛାତ୍ରୀଙ୍କୁ ଅପହରଣ କରି ହାତ, ଗୋଡ଼ ଓ ମୁହଁ ବାନ୍ଧି ଆବର୍ଜନା ଗୃହକୁ ଫିଙ୍ଗି ଦିଆଯାଇଥିଲା! ଏହି ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୁଲିସ୍। ସେପଟେ ଚେତା ଫେରିବା ପରେ ବୟାନ୍ ଦେଇଛନ୍ତି ପୀଡ଼ିତା ଛାତ୍ରୀ। କଲେଜ ୟୁନିଫର୍ମ ପିନ୍ଧିଥିବା ଆଉ ଜଣେ ଛାତ୍ରୀ ଡାକିବାରୁ ତାଙ୍କ ସହିତ କଥା ହେଉଥିବା ବେଳେ ଦୁର୍ବୃତ୍ତମାନେ ପଛ ପାର୍ଶ୍ୱରୁ ଆସି କ’ଣ ଶୁଙ୍ଘାଇ ଉଠାଇ ନେଇଥିବା ପୀଡ଼ିତା କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ତାଙ୍କୁ ଡାକିଥିବା ଛାତ୍ରୀ କିଏ? ସେ ତାଙ୍କୁ କାହିଁକି ଡାକିଥିଲେ? ଅନ୍ୟପକ୍ଷରେ ସାଲେପୁର ଥାନାରେ ଏତଲା ପରେ ତନାଘନା ଆରମ୍ଭ କରିଛି ପୁଲିସ୍।
ଛାତ୍ରୀଙ୍କ କହିବା ଅନୁସାରେ ସେ କଲେଜରୁ ଆସି ତହସିଲ ଅଫିସ୍ କ୍ୟାମ୍ପସରେ ବସିଥିଲେ। ଘରକୁ ଫେରିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ। ଠିକ୍ ସେହି ସମୟରେ ଦୁଇ ଜଣ ବୟସ୍କ ବ୍ୟକ୍ତି ତାଙ୍କୁ ଡାକିଥିଲେ। ମାତ୍ର ସେ ସେମାନଙ୍କ କଥା ଶୁଣିନଥିଲେ। କିଛି ସମୟ ପରେ କଲେଜ ୟୁନିଫର୍ମ ପିନ୍ଧିଥିବା ଜଣେ ଛାତ୍ରୀ ତାଙ୍କୁ ଡାକିଥିଲେ। ଏହା ପରେ ସେ ତାଙ୍କ ପାଖକୁ ଯାଇ କଥା ହେଉଥିଲେ। ଠିକ୍ ସେହି ସମୟରେ ଦୁର୍ବୃତ୍ତମାନେ ପଛପାର୍ଶ୍ୱରୁ ଆସି ତାଙ୍କୁ କୌଣସି ରସାୟନିକ ଶୁଙ୍ଘାଇ ଦେଇଥିଲେ। ଯାହାଫଳରେ ସେ ଚେତା ହରାଇଥିଲେ।
କିଛି ସମୟ ପରେ ଏକ ବନ୍ଦ କାର୍ ଭିତରେ ନିଜକୁ ପାଇଥିଲେ ଛାତ୍ରୀ। ଯେଉଁ କାର୍ ଭିତରେ ଡ୍ରାଇଭରଙ୍କୁ ମିଶାଇ ୪ ଜଣ ଥିଲେ। ସେମାନଙ୍କୁ ଦେଖି ସେ ଚିତ୍କାର କରିଥିଲେ। କାର୍ରୁ ବାହାରିବା ପାଇଁ ଛାଟିପିଟି ହୋଇଥିଲେ। ତେବେ ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ପୁଣି ଥରେ ତାଙ୍କୁ କ’ଣ ଶୁଙ୍ଘାଇ ଦେଇଥିଲେ। ଯେଉଁଥିପାଇଁ ସେ ପୁଣି ଥରେ ସଜ୍ଞା ହରାଇଥିଲେ। ପରେ ନିଜକୁ ମେଡ଼ିକାଲ୍ ବେଡ୍ରେ ପାଇଥିଲେ ବୋଲି ଛାତ୍ରୀ ଜଣକ କହିଥିବା ତାଙ୍କ ମାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କାର୍ ଥିବା ଲୋକମାନଙ୍କୁ ସେ ଚିହ୍ନିନଥିବା କହିଛନ୍ତି।
ସୂଚନାରୁ ପ୍ରକାଶ, ମଙ୍ଗଳବାର ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟଠାରୁ ମାତ୍ର ୪୦୦ ମିଟର ଦୂରରେ ଥିବା ଏକ ଆବର୍ଜନା ଗୃହରୁ ଜଣେ କଲେଜ ଛାତ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଅପହରଣ କରାଯାଇ ହାତ, ଗୋଡ ଓ ପାଟିକୁ ବାନ୍ଧି ଆବର୍ଜନା ଗୃହରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ଓ କଲେଜ ଛାତ୍ରଛାତ୍ରୀମାନେ ତାଙ୍କୁ ଉଦ୍ଧାର କରି ସାଲେପୁର ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ପରେ ଛାତ୍ରୀ ଜଣକ ସୁସ୍ଥ ହୋଇଛନ୍ତି। ତେବେ ଛାତ୍ରୀଙ୍କୁ କିଏ ଓ କ’ଣ ପାଇଁ ଅପହରଣ କଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।
ଛାତ୍ରୀଙ୍କ ମାମୁ ଏନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପୁଲିସ୍ ପହଞ୍ଚି ପାରିନାହିଁ। ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।