କାହିଁକି ଆସୁନି ବିଦେଶୀ ପୁଞ୍ଜି?

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ୨୦୧୨ରେ ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବରେ ୧ ଥିଲା ଓଡ଼ିଶା। ଏବେ ବିଦେଶୀ ପୁଞ୍ଜି ଆକର୍ଷଣରେ ୧୫ ସ୍ଥାନକୁ ଖସିଗଲା। ପସ୍କୋ, ମିତ୍ତଲର ସ୍ବପ୍ନ ହଜିଗଲା, ଓହରିଗଲେ ୧୩ କମ୍ପାନୀ। ଚଳିତ ବର୍ଷ ବିଦେଶୀ ପୁଞ୍ଜି ଆକର୍ଷଣରେ ୧ ନମ୍ବରରେ ମହାରାଷ୍ଟ୍ର। ତା’ପରେ ରହିଛି କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟ ଓ ହରିୟାନା। ୧୫ତମ ସ୍ଥାନରେ ଓଡ଼ିଶା, ମାତ୍ର ଆସିଛି ୬୫୫ କୋଟି। ୨୦୧୨ ମସିହାରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଥିଲା- ବିଦେଶୀ ପୁଞ୍ଜି ଆକର୍ଷଣରେ […]

Foreign

  • Published: Saturday, 24 December 2022
  • , Updated: 24 December 2022, 10:24 PM IST

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ୨୦୧୨ରେ ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବରେ ୧ ଥିଲା ଓଡ଼ିଶା। ଏବେ ବିଦେଶୀ ପୁଞ୍ଜି ଆକର୍ଷଣରେ ୧୫ ସ୍ଥାନକୁ ଖସିଗଲା। ପସ୍କୋ, ମିତ୍ତଲର ସ୍ବପ୍ନ ହଜିଗଲା, ଓହରିଗଲେ ୧୩ କମ୍ପାନୀ। ଚଳିତ ବର୍ଷ ବିଦେଶୀ ପୁଞ୍ଜି ଆକର୍ଷଣରେ ୧ ନମ୍ବରରେ ମହାରାଷ୍ଟ୍ର। ତା’ପରେ ରହିଛି କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟ ଓ ହରିୟାନା। ୧୫ତମ ସ୍ଥାନରେ ଓଡ଼ିଶା, ମାତ୍ର ଆସିଛି ୬୫୫ କୋଟି।

୨୦୧୨ ମସିହାରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଥିଲା- ବିଦେଶୀ ପୁଞ୍ଜି ଆକର୍ଷଣରେ ଓଡ଼ିଶା ଥିଲା ୧ ନମ୍ବର। ଓଡ଼ିଶା ପଛକୁ ଥିଲେ ଆନ୍ଧ୍ରପ୍ରଦେଶ ଓ ଗୁଜରାଟ, ହେଲେ ଏବେ ସମୟ ବଦଳିଯାଇଛି। ପାରାଦୀପରୁ ୫୧ ହଜାର କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପରୁ ଓହରିଯାଇଛି ଦକ୍ଷିଣ କୋରିଆର ପେସ୍କା। ସେହିଭଳି କେନ୍ଦୁଝରରେ ୪୦ ହଜାର କୋଟି ଟଙ୍କାର ଇସ୍ପାତ କାରଖାନା ପ୍ରକଳ୍ପରୁ ଓହରିଯାଇଛି ଆର୍ସେଲର ମିତ୍ତଲ। ପ୍ରକଳ୍ପ ନେଇ ବିରୋଧ ଭିତରେ ରାଜ୍ୟ ସରକାର ଠିକ ସମୟରେ ଖଣି ଯୋଗାଇନପାରିବାରୁ ପ୍ରକଳ୍ପରୁ ଓହରିଗଲେ ଏମାନେ। କେବଳ ଏହି ଦୁଇଟି ବଡ଼ କମ୍ପାନୀ ନୁହନ୍ତି, ଇତିମଧ୍ୟରେ ୧୩ଟି ଇସ୍ପାତ ଓ ତାପଜ ବିଦ୍ୟୁତ ପ୍ରକଳ୍ପ ବିଭିନ୍ନ କାରଣରୁ ଓହରିଯାଇଥିବା ବିଧାନସଭାରେ ସ୍ବୀକାର କରିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ।

ଶିଳ୍ପପତି ଅଳି କିଶୋର ପଟ୍ଟନାୟକ କହିଛନ୍ତି- କେବଳ ଧାତବ ଶିଳ୍ପ ପାଇଁ ଓଡ଼ିଶାକୁ ଶିଳ୍ପପତି ଆସୁଛନ୍ତି। ଅନ୍ୟ ବର୍ଗର ଶିଳ୍ପପତି ଆସୁନାହାନ୍ତି। ଏମଏସଏମଇ କ୍ଷେତ୍ରର ଉନ୍ନତି ନେହେଲେ, କ୍ଲଷ୍ଟର ନେହେଲେ ବିଦେଶୀ ପୁଞ୍ଜି ଆସିବ ନାହିଁ।

ଭାରତର ବିଭିନ୍ନ ରାଜ୍ୟକୁ ଚଳିତ ବର୍ଷ କେତେ ବିଦେଶୀ ପୁଞ୍ଜି ଆସିଛି ସେ ନେଇ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ସୋମ ପ୍ରକାଶ ଡିସେମ୍ବର ୨୩ ତାରିଖରେ ରାଜ୍ୟସଭାରେ ଦେଇଥିବା ଉତ୍ତର ଦେଖନ୍ତୁ। ଚଳିତ ବର୍ଷ ପ୍ରଥମ ୯ ମାସରେ ୨୮ଟି ରାଜ୍ୟକୁ ପ୍ରାୟ ସାଢ଼େ ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି। ସଫ୍ଟଟଓ୍ବେୟର, ହାର୍ଡଓ୍ବେୟର, ବ୍ୟାଙ୍କିଙ୍ଗ୍, ଇନସୁରାନ୍ସ, କନଷ୍ଟ୍ରକସନ, ଅଟୋମୋବାଇଲସ, ଶିକ୍ଷା, ଧାତବ ଶିଳ୍ପ କ୍ଷେତ୍ର ଭଳି ୫୭ଟି କ୍ଷେତ୍ରରେ ଦେଶକୁ ବିଦେଶୀ ପୁଞ୍ଜି ଆସିଛି। ତେବେ ବିଦେଶୀ ପୁଞ୍ଜି ନିବେଶ ଆକୃଷ୍ଟ କରିବାରେ ୧ ନମ୍ବରରେ ରହିଛି ମହାରାଷ୍ଟ୍ର। ମହାରାଷ୍ଟ୍ରକୁ ୧.୧୩ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଆସିଛି ଯାହାକି ମୋଟ ପୁଞ୍ଜିର ୩୨.୩%। ସେହିଭଳି କର୍ଣ୍ଣାଟକକୁ ପ୍ରାୟ ୮୪ ହଜାର କୋଟିର ପୁଞ୍ଜି ଆସିଛି ଯାହା ମୋଟ ପୁଞ୍ଜିର ୨୩.୮%। ଦିଲ୍ଲୀକୁ ପ୍ରାୟ ୫୨ ହଜାର କୋଟି ପୁଞ୍ଜି ଆସିଛି ଯାହାକି ୧୪.୮%। ଗୁଜରାଟକୁ ୩୪ ହଜାର କୋଟି ପୁଞ୍ଜି ଆସିଛି ଯାହା ମୋଟ ପୁଞ୍ଜିର ୯.୬%। ହରିୟାଣାକୁ ପ୍ରାୟ ୨୧ ହଜାର କୋଟି ପୁଞ୍ଜି ଆସିଛି ଯାହା ମୋଟ ପୁଞ୍ଜିର ୫.୯%। ହେଲେ ବିଦେଶୀ ପୁଞ୍ଜି ଆକର୍ଷଣ କରିବାରେ ୧୫ତମ ସ୍ଥାନରେ ରହିଛି ଓଡ଼ିଶା। ଚଳିତ ବର୍ଷ ଓଡ଼ିଶାକୁ ବିଦେଶରୁ ମାତ୍ର ୬୫୫ କୋଟିର ପୁଞ୍ଜି ଆସିଛି, ଯାହାକି ଦେଶକୁ ଆସିଥିବା ପୁଞ୍ଜିର ୧ ପ୍ରତିଶତ ବି ନୁହେଁ। କେବଳ ମୋଟ ପୁଞ୍ଜିର ୦.୧୮%।

ଏ ସଂପର୍କରେ ଶିଳ୍ପପତି ରମେଶ ମହାପାତ୍ର କୁହନ୍ତି, ଏଫଡିଆଇ ଆସିବା ପାଇଁ ଭଲ ବିମାନ, ରେଳ ସଂଯୋଗ ଆବଶ୍ୟକ। ସେହିଭଳି ଉନ୍ନତ ମନୋରଂଜନ ଓ ଶିକ୍ଷା ଭଳି ଭିତ୍ତିଭୂମି ଆବଶ୍ୟକ। ବିଦେଶରୁ ଭୁବନେଶ୍ବରକୁ ସିଧାସଳଖ ଫ୍ଲାଇଟ ନମିଳିଲେ ସେମାନେ ଆସିବେ କାହିଁକି?

ଶିଳ୍ପପତି ସଂଜୀବ ମହାପାତ୍ର କୁହନ୍ତି- କେବଳ ଧାତବ ଶିଳ୍ପକୁ ପୁଞ୍ଜି ଆସୁଛି। ଉପର ସ୍ତର ଅଧିକାରୀମାନେ ଯେଉଁଭଳି ଆଗ୍ରହ ଦେଖାଉଛନ୍ତି, ତଳେ ତାହା ପ୍ରତିଫଳିତ ହେଉନାହିଁ। ଶିଳ୍ପ ପରିବେଶରେ ବହୁ ପରିବର୍ତନ ଆଣିବାକୁ ପଡ଼ିବ।

ନିକଟରେ ବିଧାନସଭାରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ବେଳେ ଯାହା ଦର୍ଶାଇଥିଲେ ସେଥିରୁ ୧୨ ବର୍ଷରେ ସରକାର ଅନୁମୋଦନ ଦେଇଥିବା ଶିଳ୍ପ ପ୍ରକଳ୍ପରୁ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୫ ପ୍ରତିଶତ ପୁଞ୍ଜି ଆସିଛି ବୋଲି ସ୍ପଷ୍ଟ ହୋଇଥିଲା। ୩ ବର୍ଷରେ ଦେଶକୁ ୧୨ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଆସିଥିବା ବେଳେ ଓଡ଼ିଶାକୁ ୧ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜି ବି ଆସିନାହିଁ।

 

Related story