ବିଜେଡି ଟାର୍ଗେଟରେ ବୈଜୟନ୍ତ, କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡି ଚଳିତ ନିର୍ବାଚନରେ ନିଜର ସ୍ଥିତିକୁ ନେଇ ଆଶଙ୍କିତ ହୋଇପଡ଼ିଛି। ରାଜ୍ୟରେ ବିଜେଡିର ବିକଳ୍ପ ଭାବେ ବିଜେପି ଉଭା ହୋଇସାରିଥିବାରୁ ‘ଔଷଧ ବିକଳରେ ତାଟିଆ କାମୁଡ଼ିବା’ ନ୍ୟାୟରେ ବିଜେଡି ଏବେ କେବଳ ବିଜେପିକୁ ହିଁ ଟାର୍ଗେଟ୍ କରିବାରେ ଲାଗିଛି। ଏପରିକି ରାଜ୍ୟରେ ବିଜେପିକୁ ଅଧିକ ସଂଗଠିତ ଓ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନେତାମାନଙ୍କୁ ମଧ୍ୟ ବିଭିନ୍ନ ଉପାୟରେ ନିନ୍ଦିତ କରିବାର ଅପପ୍ରୟାସ ଜାରି […]

Former-mp-baijayant-panda-receives-a-rousing-welcome-at-bhubaneswar-airport

Manoranjan Sial
  • Published: Friday, 12 April 2019
  • , Updated: 12 April 2019, 08:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡି ଚଳିତ ନିର୍ବାଚନରେ ନିଜର ସ୍ଥିତିକୁ ନେଇ ଆଶଙ୍କିତ ହୋଇପଡ଼ିଛି। ରାଜ୍ୟରେ ବିଜେଡିର ବିକଳ୍ପ ଭାବେ ବିଜେପି ଉଭା ହୋଇସାରିଥିବାରୁ ‘ଔଷଧ ବିକଳରେ ତାଟିଆ କାମୁଡ଼ିବା’ ନ୍ୟାୟରେ ବିଜେଡି ଏବେ କେବଳ ବିଜେପିକୁ ହିଁ ଟାର୍ଗେଟ୍ କରିବାରେ ଲାଗିଛି। ଏପରିକି ରାଜ୍ୟରେ ବିଜେପିକୁ ଅଧିକ ସଂଗଠିତ ଓ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନେତାମାନଙ୍କୁ ମଧ୍ୟ ବିଭିନ୍ନ ଉପାୟରେ ନିନ୍ଦିତ କରିବାର ଅପପ୍ରୟାସ ଜାରି ରଖିଛି। ବିଶେଷକରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାରୁ ଦଳର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ଏବେ ବିଭିନ୍ନ ଉପାୟରେ କ୍ରମାଗତ ଭାବେ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେପି ନେତୃତ୍ୱ ରାଜ୍ୟରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ନିଷ୍ପତ୍ତି ନେଇ ନିଜର ସଂଗଠନକୁ ସୁଦୃଢ଼ କରିବାରେ ଲାଗିଥିବାରୁ ବିଜେଡି ଆଶଙ୍କିତ ହୋଇପଡ଼ିଛି। ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱଙ୍କୁ ମ୍ୟାନେଜ୍ କରି ସୁବିଧାବାଦୀ ରାଜନୀତିକ କାର୍ଡ ଖେଳୁଥିବା ବିଜେଡିର ଚାଲ୍ ଏବେ ଧରାପଡ଼ିଯାଇଛି। ଯେଉଁଥିପାଇଁ ବିଜେପି ଏବେ ସିଧାସଳଖ ବିଜେଡିକୁ ରାଜ୍ୟରେ କଡ଼ା ଟକ୍କର ଦେଇ କଂଗ୍ରେସଠୁ ଦ୍ୱିତୀୟ ସ୍ଥାନ ଛଡ଼ାଇ ନେଇଛି। ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁ ଏସବୁ ସମ୍ଭବପର ହୋଇପାରିଛି।

ଓଡ଼ିଶାର ଉପକୂଳରେ ବିଜେପି ନିଜର କଳେବର ବୃଦ୍ଧି ସହ ବରିଷ୍ଠ ତଥା ପୁରୁଖା ନେତାମାନଙ୍କୁ ସଂଗଠନରେ ସାମିଲ କରାଇ ବଳ ସାଉଁଟିବା ହିଁ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ,ବୈଜୟନ୍ତ ପଣ୍ଡା ଓ ରଘୁନାଥ ମହାନ୍ତି ବିଜେପିରେ ସାମିଲ ହେବା ଏବଂ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ନେତାମାନେ ପୁଣିଥରେ ବିଜେପିରେ ସକ୍ରିୟ ଭୂମିକା ତୁଲାଇବାକୁ ସମ୍ମତି ଜଣାଇବା ଆଦି ଘଟଣାକୁ ବିଜେଡି ସହଜରେ ହଜମ କରିପାରୁନି। ଏସବୁ ଛଡ଼ା ବିଜେଡିରେ ଅଣଦେଖା ହୋଇ ରହିଥିବା ବହୁ ନେତାମାନଙ୍କୁ ବିଜେପିରେ ସାମିଲ କରାଇବାରେ ବୈଜୟନ୍ତ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ତାଙ୍କୁ ଯେନତେନ ପ୍ରକାରେ ଅଡ଼ୁଆରେ ପକାଇବାକୁ ବିଜେଡି ଉଦ୍ୟମ ଆରମ୍ଭ କରିଛି। ଦଳର ସବୁ ପୁରୁଖା ନେତାଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ବୈଜୟନ୍ତ ଏବେ ବିଜେପିର କଳେବର ବୃଦ୍ଧି କରାଉଥିବାରୁ ସେ ବିଜେଡିର ଚକ୍ଷୁଶୀଳ ହେବା ସ୍ୱାଭାବିକ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ବୈଜୟନ୍ତଙ୍କ ପରିବାରର ମାଲିକାନାରେ ଥିବା ଟିଭି ଚ୍ୟାନେଲ ବିରୁଦ୍ଧରେ ବାରମ୍ବାର ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବା ଓ ନବୀନ ନିବାସରେ ଓଟିଭିର ପ୍ରବେଶ ଉପରେ କଟକଣା ଜାରି କରି ବିଜେଡି ପ୍ରଥମରୁ ହିଁ ଗଣମାଧ୍ୟମ ଉପରେ ସିଧାସଳଖ ଆକ୍ରମଣ କରିସାରିଛି। ଏପରିକି ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ ବୈଜୟନ୍ତଙ୍କ ବିରୁଦ୍ଧରେ ବିଷୋଦଗାର କରିବାରେ ଲାଗିଛନ୍ତି। କୌଣସି ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁନଥିବା ନବୀନ କିନ୍ତୁ ବୈଜୟନ୍ତଙ୍କୁ ବାରମ୍ବାର ବ୍ୟକ୍ତିଗତ ସ୍ତରରେ ସମାଲୋଚନା କରିବାରେ ଲାଗିଛନ୍ତି। ବୈଜୟନ୍ତଙ୍କ ବିରୋଧରେ ଦଳୀୟ ପ୍ରାର୍ଥୀ ଘୋଷଣା ବେଳେ ହେଉ ଅବା ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର, ସବୁଠି ବୈଜୟନ୍ତଙ୍କ ବିରୋଧରେ ନବୀନ ମୁହଁ ଖୋଲିଛନ୍ତି। ତାଙ୍କ ଦଳ ବିଜେଡି ଏବେ ଅନ୍ୟ ବିରୋଧୀ ଦଳକୁ ଟାର୍ଗେଟ୍ କରିବା ଛାଡ଼ି ବୈଜୟନ୍ତଙ୍କ ପଛରେ ପଡ଼ିଯାଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ଏକଦା ଦିଲ୍ଲୀରେ ବିଜେଡିର ଚେହେରା ଭାବେ ଦାୟିତ୍ୱ ନିର୍ବାହ କରିଥିବା ବୈଜୟନ୍ତଙ୍କର ଜାତୀୟ ସ୍ତରରେ ଏକ ଉଜ୍ଜ୍ୱଳ ଭାବମୂର୍ତ୍ତି ରହିଛି। ଦିଲ୍ଲୀର ବଡ଼ବଡ଼ ନେତା ଓ ସମ୍ଭ୍ରାନ୍ତ ମହଲରେ ତାଙ୍କର କାଟତି ରହିଛି। ତା' ଛଡ଼ା ବିଜେଡିର ସାଂଗଠନିକ ଦୋଷ-ଦୁର୍ବଳତା ସମ୍ପର୍କରେ ଅବଗତ ଅଛନ୍ତି। ନିର୍ବାଚନ ଫଳ ପ୍ରକାଶ ପାଇବାପରେ ବୈଜୟନ୍ତ ତା’ର ଫାଇଦା ଉଠାଇବାର ସମ୍ଭାବନା ରହିଛି, ଯାହା ବିଜେପିକୁ ଫାଇଦା ଦେବା ସଂଗେସଂଗେ ବିଜେଡି ନେତୃତ୍ୱଙ୍କ ନିଦ ହଜାଇ ଦେବାର ଆଶଙ୍କା ରହିଛି। ତେଣୁ ବିଜେଡି ସୁଚିନ୍ତିତ ଭାବେ ଏବେଠୁ ବୈଜୟନ୍ତଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରି ଉଭୟ ବିଜେପି ଓ ବୈଜୟନ୍ତଙ୍କୁ ନିନ୍ଦିତ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି।

Related story