ପୁରୀ(ଓଡ଼ିଶା ରିପୋର୍ଟର) ପୌଷପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ବିଳମ୍ବ ପ୍ରସଙ୍ଗକୁ ନେଇ ଆଜି ପୁଣି ବସିଥିଲା ସମୀକ୍ଷା ବୈଠକ। ଦ୍ୱିତୀୟ ସମୀକ୍ଷା ବୈଠକରେ ଉପସ୍ଥିତ ରହି ପାଳିଆ ମେକାପ ସେବାୟତ କହିଥିଲେ ଯେ, ରତ୍ନ ବେଦୀ ନିକଟରେ ୩ ଜଣଙ୍କ ବଦଳରେ ୧୦ ଜଣ ସେବାୟତଙ୍କ ଉପସ୍ଥିତି ଯୋଗୁ ନୀତିରେ ବିଳମ୍ବ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ମେକାପ ନିଯୋଗ ସହ ଅନ୍ୟ ସେବାୟତ ସାମିଲ ହୋଇଥିଲେ ।
ଗତ ୨୮ ତାରିଖ ଦିନ ମହାପ୍ରଭୁଙ୍କ ସୁନାବେଶ ସମୟରେ ନୀତି ବିଳମ୍ବ ଘଟିଥିଲା । ପୁଷ୍ୟାଭିଷେକ ଦିନ ରତ୍ନସିଂହାସନ ଉପରେ ଅଧିକ ୩ ଜଣ ସିଂହାରୀ ସେବାୟତ ଥିବାରୁ ଭଣ୍ଡାର ମେକାପ ମହାପ୍ରଭୁଙ୍କ ଅଳଙ୍କାର ହସ୍ତାନ୍ତର କରିବାକୁ ଅରାଜି ହୋଇଥିଲେ ବୋଲି ଜଣାପଡ଼ିଛି । ଏହି କାରଣରୁ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ଏବଂ ସୁନାବେଶ ଡେରି ହୋଇଥିଲା ।
ଭକ୍ତମାନେ ସେହି ଦୁର୍ଲଭ ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ । ମହାପ୍ରସାଦ ମିଳିବାରେ ମଧ୍ୟ ସମସ୍ୟା ହୋଇଥିଲା । ଏସବୁ ନେଇ ସିଂହାରୀ ନିଯୋଗ ସହିତ ଜିଲ୍ଲାପାଳ ଆଲୋଚନା କରିଥିଲେ ।