ନପୁଂଶକ ହୋଇ ଦେଖୁଥିଲା ବ୍ୟବସ୍ଥା ! ଆଉ ଫେରିବେନି ସୁକାନ୍ତି

ପୁରୀ/କଟକ(ଓଡ଼ିଶା ରିପୋର୍ଟର): ପତ୍ନୀଙ୍କୁ ବଞ୍ଚାଇବା ପାଇଁ କେତେ ସଂଘର୍ଷ କରିବାକୁ ପଡ଼ିଥିଲା, ସରକାରୀ ଅବ୍ୟବସ୍ଥାର ପ୍ରତିକୂଳ ସ୍ଥିତିରେ କେତେ ଯେ ଲଢ଼େଇ କରିବାକୁ ପଡ଼ିଥିଲା ଶେଷରେ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର କବିର ଭୋଇଙ୍କର ସବୁ ମେହନତ ବୃଥା ଗଲା। । ଟ୍ରଲିରେ ପତ୍ନୀଙ୍କୁ ନେଇ ୯୦ କିଲୋମିଟର ଦୂର ମେଡ଼ିକାଲରେ ଭର୍ତ୍ତି କରିଥିବା କବିର ଶେଷରେ ପତ୍ନୀହରା ହୋଇଗଲେ । ଗତକାଲି ସକାଳେ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ତାଙ୍କ ପତ୍ନୀ ଆଜି ଆଖି ବୁଜିଦେଲେ । ତେବେ […]

6nml

Tapas Behera
  • Published: Sunday, 11 October 2020
  • , Updated: 11 October 2020, 08:00 PM IST

ପୁରୀ/କଟକ(ଓଡ଼ିଶା ରିପୋର୍ଟର): ପତ୍ନୀଙ୍କୁ ବଞ୍ଚାଇବା ପାଇଁ କେତେ ସଂଘର୍ଷ କରିବାକୁ ପଡ଼ିଥିଲା, ସରକାରୀ ଅବ୍ୟବସ୍ଥାର ପ୍ରତିକୂଳ ସ୍ଥିତିରେ କେତେ ଯେ ଲଢ଼େଇ କରିବାକୁ ପଡ଼ିଥିଲା ଶେଷରେ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର କବିର ଭୋଇଙ୍କର ସବୁ ମେହନତ ବୃଥା ଗଲା। । ଟ୍ରଲିରେ ପତ୍ନୀଙ୍କୁ ନେଇ ୯୦ କିଲୋମିଟର ଦୂର ମେଡ଼ିକାଲରେ ଭର୍ତ୍ତି କରିଥିବା କବିର ଶେଷରେ ପତ୍ନୀହରା ହୋଇଗଲେ । ଗତକାଲି ସକାଳେ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ତାଙ୍କ ପତ୍ନୀ ଆଜି ଆଖି ବୁଜିଦେଲେ । ତେବେ ମୃତ୍ୟୁ ପରେ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇ ପତ୍ନୀର ମଲାଦେହକୁ ଧରି ବାହୁଡ଼ିଗଲେ ସ୍ୱାମୀ କବିର୍ ।

କୌଣସି ଉପାୟ ନପାଇ କାଲି ଯିଏ ରୋଗୀଣା ପତ୍ନୀଙ୍କୁ ଜୀବିତ ଅବସ୍ଥାରେ ଟ୍ରଲିରେ ନେଇଥିଲେ ମେଡ଼ିକାଲ୍, ଆଜି କିନ୍ତୁ ସେହି ପତ୍ନୀର ମୃତଦେହକୁ ଧରି ଫେରୁଛନ୍ତି ମହାପ୍ରୟାଣ ଯାନରେ । ଧୈର୍ଯ୍ୟ ଭାଙ୍ଗିଯାଉଛି, ଛାତି ରୁନ୍ଧି ହୋଇଯାଉଛି । ଆଉ କେତେବା ଲଢ଼ିଥାନ୍ତେ ବ୍ୟବସ୍ଥା ସହ, କେତେବା ସଂଘର୍ଷ କରିଥାନ୍ତେ ଜୀବନ ସାଥୀକୁ ବଞ୍ଚାଇବାରେ । ଶେଷରେ ଗତକାଲିଠୁ ଚିକିତ୍ସାଧିନ ଅବସ୍ଥାରେ ଥିବା ପତ୍ନୀ ସୁକାନ୍ତିଙ୍କୁ ଆଜି ମଧ୍ୟାହ୍ନ ୧୨ଟା ୨୦ରେ ହରାଇ ବସିଲେ। ପୁରୀ ସାକ୍ଷୀଗୋପାଳ ସ୍ଥିତ ଦାସବିଦ୍ୟାଧରପୁର ଗାଁର କବିର ଭୋଇ ।

ରୋଗାକ୍ରାନ୍ତ ପତ୍ନୀଙ୍କ ଚିକିତ୍ସା ପାଇଁ ସାକ୍ଷୀଗୋପାଳଠୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଏଁ ଦୌଡ଼ିଛନ୍ତି କବିର । ଏପରିକି ଭୁବନେଶ୍ୱର ଛଅ ନମ୍ବର ହସ୍ପିଟାଲରେ ବି ସେ ଦେଖାଇଛନ୍ତି। ଅର୍ଥାଭାବ ସତ୍ତ୍ୱେ ସେ ପତ୍ନୀଙ୍କୁ ସୁସ୍ଥ କରିବାକୁ ବହୁ ଉଦ୍ୟମ କରିଛନ୍ତି, ଅନେକ ଲୋକଙ୍କୁ ସାହାଯ୍ୟ ବି ମାଗିଛନ୍ତି । କିନ୍ତୁ ନିରାଶ ହେବାକୁ ପଡ଼ିଛି । ଶେଷରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ପତ୍ନୀଙ୍କୁ ପୁଣି ଭର୍ତ୍ତି କରାଇଥିଲେ ବୋଲି କହିଛନ୍ତି କବିର। ଅଥଚ ସେଠାରେ କଟକ ନେବାକୁ ପରାମର୍ଶ ଦିଆଯାଇଥିଲା । ଏହାପରେ ଆର୍ଥିକ ଅନଟନ ସତ୍ତ୍ୱେ ଦୈନିକ ୫୦ ଟଙ୍କା ଭଡ଼ାରେ ଟ୍ରଲିରେ ରୋଗୀଣା ପତ୍ନୀଙ୍କୁ ଧରି ଶୁକ୍ରବାର ବାହାରିଥିଲେ କବିର୍ । ଆଉ ୨୪ ଘଣ୍ଟାର ଯାତ୍ରା କରି ଶନିବାର ସକାଳେ ୯୦ କିଲୋମିଟର ଦୂର କଟକରେ ପହଞ୍ଚିଥିଲେ । ପରେ ଓଏମ୍ପିରେ କିଛି ସ୍ୱେଛାସେବୀ ଏବଂ ଓଟିଭି ଟିମ୍ ସହାୟତାର ହାତ ବଢ଼ାଇ କବିରଙ୍କ ପତ୍ନୀଙ୍କୁ ଭର୍ତ୍ତି କରାଇଥିଲେ ଏସ୍ସିବିରେ । ଶେଷରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ଏସ୍ସିବି କର୍ତ୍ତୃପକ୍ଷଙ୍କ କହିବା କଥା, ପେଟରେ ବୋଧହୁଏ କ୍ୟାନସର୍ ହୋଇଯାଇଥିଲା, ତେଣୁ ବଞ୍ଚାଇବା ସମ୍ଭବ ହେଲାନି।

ଏଠି ପ୍ରଶ୍ନ, ପୁରୀ ମେଡ଼ିକାଲରେ କବିରଙ୍କୁ କିଏ ଏବଂ କାହିଁକି ଏସ୍‌ସିବି ଯିବାକୁ ପରାମର୍ଶ ଦେଲେ ? କବିରଙ୍କ ଭଳି ଗରୀବ ଲୋକଙ୍କ ପାଇଁ କଣ ଆମ୍ବୁଲାନ୍ସ ସେବା ନାହିଁ ? ଅଭାବ ଅନଟନ ସହ ଯୁଝୁଥିବା କବିରଙ୍କ ଦୁରାବସ୍ଥା ସମ୍ପର୍କରେ କଣ ସ୍ଥାନୀୟ ପ୍ରଶାସନ ଜାଣିନାହିଁ ? ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ କହିଛନ୍ତି, ଘଟଣାର ତଦନ୍ତ କରାଯିବ।

Related story