କାହିଁକି ବଢ଼ୁଛି ବିଧାନ ସଭା ସମ୍ମୁଖରେ ଆତ୍ମାହୁତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପରୀ ଘଟଣା ପରେ ବିଧାନସଭା ଆଗରେ ବଢ଼ୁଛି ଆତ୍ମାହୂତି ଉଦ୍ୟମ । ମାତ୍ର ୫ ଦିନରେ ତିନି ତିନିଟି ଘଟଣାକୁ ନେଇ ରାଜ୍ୟବାସୀ ଆଚମ୍ବିତ କରିଛି। ଅସ୍ତବ୍ୟବସ୍ତ ହେଲାଣି କମିଶନରେଟ୍ ପୁଲିସ।  ଆଜି କୁଜଙ୍ଗ ଅଞ୍ଚଳର ଜଣେ ମୃତ ଇଂଜିନିୟରଙ୍କ ମାଆଓ ଭାଇ ସଂଗୀନ ଅଭିଯୋଗ ଆଣି ଆତ୍ମାହୂତି ଉଦ୍ୟମ କରିବା ବେଳେ କାବୁ କରିଛି ପୁଲିସ। ପୁଲିସ ତଦନ୍ତରେ ନିଷ୍କ୍ରିୟତା, ଖାସ୍ କରି ଜଗତସିଂହପୁର ଏସପିଙ୍କ ଭୂମିକାକୁ ନେଇ ମୃତକଙ୍କ ଭାଇ ଅଭିଯୋଗ […]

790

Tapas Behera
  • Published: Saturday, 28 November 2020
  • , Updated: 28 November 2020, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପରୀ ଘଟଣା ପରେ ବିଧାନସଭା ଆଗରେ ବଢ଼ୁଛି ଆତ୍ମାହୂତି ଉଦ୍ୟମ । ମାତ୍ର ୫ ଦିନରେ ତିନି ତିନିଟି ଘଟଣାକୁ ନେଇ ରାଜ୍ୟବାସୀ ଆଚମ୍ବିତ କରିଛି। ଅସ୍ତବ୍ୟବସ୍ତ ହେଲାଣି କମିଶନରେଟ୍ ପୁଲିସ।  ଆଜି କୁଜଙ୍ଗ ଅଞ୍ଚଳର ଜଣେ ମୃତ ଇଂଜିନିୟରଙ୍କ ମାଆଓ ଭାଇ ସଂଗୀନ ଅଭିଯୋଗ ଆଣି ଆତ୍ମାହୂତି ଉଦ୍ୟମ କରିବା ବେଳେ କାବୁ କରିଛି ପୁଲିସ। ପୁଲିସ ତଦନ୍ତରେ ନିଷ୍କ୍ରିୟତା, ଖାସ୍ କରି ଜଗତସିଂହପୁର ଏସପିଙ୍କ ଭୂମିକାକୁ ନେଇ ମୃତକଙ୍କ ଭାଇ ଅଭିଯୋଗ ଆଣିଛନ୍ତି ।

ସମସ୍ତଙ୍କୁ ଗୁହାରି ପରେ ବି ନ୍ୟାୟ ପାଇବାରେ ନିରାଶ ହେବାରୁ ଅନ୍ୟ ଉପାୟ ନପାଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ମୃତ ଇଂଜିନିୟରଙ୍କ ମାଆ ଓ ଭାଇ କହିଛନ୍ତି । ଗତ ୨୪ ତାରିଖରେ ପରୀର ବାପା-ମାଆ, ୨୭ରେ ମିଛ ଋଣ ଜାଲରେ ଫସିଥିବା ଚାଷୀ, ଆଉ ଆଜି ଜଣେ ଯୁବ ଇଂଜିନିୟରଙ୍କ ମା ଓ ଭାଇ ନ୍ୟାୟ ପାଇଁ ଗଣତନ୍ତ୍ରର ମନ୍ଦିର ଆଗରେ ପାଞ୍ଚ ଦିନରେ ତିନି ତିନିଟି ଆତ୍ମାହୂତି ଉଦ୍ୟମ ହୋଇଛି।  ଆଜି ବିଧାନସଭା ଆଗକୁ ଆସିଥିଲେ କୁଜଙ୍ଗ ବ୍ଲକର ମୃତ ଯୁବ ଇଂଜିନିୟର ଅମୃତ ଦାସଙ୍କ ମାଆ ଓ ଭାଇ । ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ି ଆତ୍ମାହୂତିରୁ ବର୍ତ୍ତୀ ଯାଇଥିଲେ ବି, ଗଳା ଫଟାଇ ଚିତ୍କାର କରି କହୁଥିଲେ, ଅମୃତଙ୍କୁ ହତ୍ୟା କରାଯାଇଛି । ଜଣେ ସେନା କର୍ମଚାରୀ ବସନ୍ତ ନାଏକଙ୍କ ପୁଅ ଅରୁଣ ପଟ୍ଟନାୟକ ଓ ଦୀପକ ଜେନାଙ୍କ ସମେତ ୧୦ରୁ ୧୨ ଜଣ ହତ୍ୟାରେ ସଂପୃକ୍ତ ଥିବା କହିଥିଲେ।

ହତ୍ୟାକୁ ଦୁର୍ଘଟଣାର ରୂପ ଦେଇ ବସିଗଲା ଜଗତସିଂହପୁର ପୁଲିସ।  ନ୍ୟାୟ ପାଇଁ ଏସପିଙ୍କ ପାଖକୁ ବାରମ୍ବାର ଦୌଡ଼ି ନିରାଶ ହେଲେ ରାଜ୍ୟପାଳଙ୍କୁ ଜଣାଇଲେ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ୭ ଥର ଲେଖିକି ଜଣାଇଲେ, ୫ଟି ସିବଙ୍କୁ ଜଣାଇଲେ । ହେଲେ କେହି କର୍ଣ୍ଣପାତ କଲେନି । ପୁଅ ମୃତ୍ୟୁରେ ମ୍ରିୟମାଣ ମାଆ କହିଥିଲେ, ପୁଅ ଗଲା ପରେ ସବୁ ସରିଯାଇଛି, ସବୁଦିନ ଘରେ ମରିବା ଅପେକ୍ଷା ବିଧାନସଭା ଆଗରେ ମରିବା ଭଲ।

ସୂଚନା ଅନୁସାରେ ୨୦୧୯ ଜୁଲାଇ ୨୦ରେ ସନ୍ଦେହଜନକ ଅବସ୍ଥାରେ ଯୁବ ଇଂଜିନିୟର ଅମୃତ ଦାସଙ୍କ ମୃତଦେହ କଟକ-ପାରାଦୀପ ରାସ୍ତାର ବାଲିପାଟଣା ନିକଟରୁ ମିଳିଥିଲା । ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ମାଆ ଓ ଭାଇ ଅଭିଯୋଗ କରିଥିଲେ । ହେଲେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଦର୍ଶାଇ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଗଲା ପୁଲିସ । ନ୍ୟାୟ ପାଇଁ ପରିବାର କୁଜଙ୍ଗ JMFC  କୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ପୁଲିସ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ ତ କଲା ହେଲେ ତଦନ୍ତ ଆଗକୁ ବଢ଼ିଲାନି।  ତେଣୁ ଶେଷରେ ବିଧାନସଭା ଆଗରେ ଆତ୍ମାହୂତିକୁ ଅନ୍ତିମ ନିଷ୍ପତ୍ତି ଭାବେ ଗ୍ରହଣ କରି ଆସିଥିଲେ ବୋଲି କହିଛନ୍ତି ମା’ ଓ ଭାଇ । ତେବେ ଏ ଆତ୍ମାହୂତି ଉଦ୍ୟମ ନିଷ୍ପତ୍ତି ସେମାନଙ୍କ ନିଜସ୍ୱ ନା ଅନ୍ୟକାହା ପ୍ରରୋଚନା ? ତା ବି ତଦନ୍ତ ପରିସର ଭୁକ୍ତ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଏଥିସହ ବିଧାନସଭା ଚତୁଃପାର୍ଶ୍ୱ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଥିବା ବି କହିଛନ୍ତି । ତେବେ ନ୍ୟାୟ ପାଇଁ ୫ ଦିନ ଭିତରେ ବିଧାନସଭା ଆଗରେ ତିନି ତିନିଟି ଆତ୍ମାହୂତି ଉଦ୍ୟମ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମାନବାଧିକାରକର୍ମୀ।

Related story