ରାଜ୍ୟରେ ବିପଦରେ ‘ମହିଳା’ : ସରକାରଙ୍କୁ ଜିଲ୍ଲା ପ୍ରଶାସନର ଚାଂଚଲ୍ୟକର ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ଦଳର ଅଭିଯୋଗକୁ ରାଜନୀତିକ ବୋଲି କହି ଫାଙ୍କି ଦେଉଥିବା ବିଜେଡି ସରକାରର ଅସଲ ଚେହେରା ପଦାରେ ପଡ଼ିଛି। ଆଦିବାସୀବହୁଳ ମାଲକାନଗିରି ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟ ହିଁ ରାଜ୍ୟରେ ମହିଳାମାନେ କେତେ ଅସୁରକ୍ଷିତ ଓ ବିପଦରେ ରହିଛନ୍ତି ତା’ର ସ୍ପଷ୍ଟ ପ୍ରମାଣ ମିଳୁଥିବା ବେଳେ ଏହି ସଙ୍ଗୀନ ରିପୋର୍ଟ ପରୋକ୍ଷରେ ୨୧ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାରର ‘ମହିଳା ସୁରକ୍ଷା’ ନୀତି ଉପରେ କଳାଦାଗ […]

Rape

Ordigital Desk
  • Published: Wednesday, 15 December 2021
  • , Updated: 15 December 2021, 10:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ଦଳର ଅଭିଯୋଗକୁ ରାଜନୀତିକ ବୋଲି କହି ଫାଙ୍କି ଦେଉଥିବା ବିଜେଡି ସରକାରର ଅସଲ ଚେହେରା ପଦାରେ ପଡ଼ିଛି। ଆଦିବାସୀବହୁଳ ମାଲକାନଗିରି ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟ ହିଁ ରାଜ୍ୟରେ ମହିଳାମାନେ କେତେ ଅସୁରକ୍ଷିତ ଓ ବିପଦରେ ରହିଛନ୍ତି ତା’ର ସ୍ପଷ୍ଟ ପ୍ରମାଣ ମିଳୁଥିବା ବେଳେ ଏହି ସଙ୍ଗୀନ ରିପୋର୍ଟ ପରୋକ୍ଷରେ ୨୧ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାରର ‘ମହିଳା ସୁରକ୍ଷା’ ନୀତି ଉପରେ କଳାଦାଗ ଲଗାଇଛି। ମାତ୍ର ୬ ମାସ ମଧ୍ୟରେ ୮୧ ଜଣ ମହିଳା ଓ ଝିଅଙ୍କ ବିଭିନ୍ନ ପ୍ରକାରର ହିଂସା-ଯଥା ଦୁଷ୍କର୍ମ, ଅପହରଣ, ନିଖୋଜ, ଯୌନ ନିର୍ଯାତନା ଓ ଅନ୍ୟାନ୍ୟ ଅପରାଧର ଶିକାର ହୋଇ ସରକାରୀ ସହାୟତା ନେଇଛନ୍ତି। ତା’ପୁଣି ମାଲକାନଗିରି ଭଳି ଆଦିବାସୀବହୁଳ ଜିଲ୍ଲାରୁ।

କେନ୍ଦ୍ର ସରକାରଙ୍କ ଶତପ୍ରତିଶତ ଅନୁଦାନରେ ରାଜ୍ୟର ସମସ୍ତ ଜିଲ୍ଲାରେ ‘ୱାନ ଷ୍ଟପ ସେଣ୍ଟର’ ବା ‘ସଖି’ କାର୍ଯ୍ୟ କରୁଛି। ଏହି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ପ୍ରକାରର ହିଂସାର ଶିକାର ହେଉଥିବା ଯେକୌଣସି ଅଂଚଳର ମହିଳା ଓ ଝିଅମାନଙ୍କୁ ଚିକିତ୍ସା ସୁବିଧା ସହ ରହିବା, ଆଇନଗତ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଥାଏ । ତେବେ ଜାତୀୟ ମହିଳା କମିଶନଙ୍କ ନିକଟକୁ ମାଲକାନଗିରି ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ପଠାଇଥିବା ରିପୋର୍ଟ ଅନୁସାରେ ୨୦୨୧ ଜୁନ୍ ୩ ତାରିଖରୁ ନଭେମ୍ବର ୩୦ତାରିଖ ମଧ୍ୟରେ ବିଭିନ୍ନ ପ୍ରକାରର ହିଂସାର ଶିକାର ହୋଇ ମୋଟ ୮୧ଜଣ ମହିଳା ଓ ଝିଅ ସହାୟତା ନେଇଛନ୍ତି । ଏଥିରେ ୧୨ଜଣ ଦୁଷ୍କର୍ମର ଶିକାର ହୋଇଥିବାବେଳେ ୩୫ଜଣ ଝିଅଙ୍କୁ ଅବୈଧ କାରବାରରେ ଲିପ୍ତ ଥିଲେ । ଏହା ବ୍ୟତୀତ ଅପହରଣ, ଯୌନ ନିର୍ଯାତନା, ଘରୋଇ ହିଂସା ଆଦିର ଶିକାର ହୋଇ ‘ସଖି’ରୁ ସହାୟତା ନେଇଛନ୍ତି । ଏହି ହିଂସାର ଶିକାର ହୋଇଥିବା ମହିଳା ଓ ଝିଅଙ୍କ ନାଁ ସହ ତାଲିକା ଜିଲ୍ଲା ପ୍ରଶାସନ ଦ୍ୱାରା ଜାତୀୟ ମହିଳା କମିଶନଙ୍କୁ ଦିଆଯାଇଛି ଓ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଯଦି ମାଲକାନଗିରି ଭଳି ଆଦିବାସୀବହୁଳ ଛୋଟିଆ ଜିଲ୍ଲାରେ ୬ମାସ ମଧ୍ୟରେ ଏତେସଂଖ୍ୟକ ଅସହାୟ ମହିଳା ଓ ଝିଅ ବିଭିନ୍ନ ପ୍ରକାରର ହିଂସାର ଶିକାର ହୋଇ ‘ସଖି’ଠୁ ସହାୟତା ନେଇଛନ୍ତି ତା’ହେଲେ ସମଗ୍ର ରାଜ୍ୟରେ ଏହି ସଂଖ୍ୟା କେତେ ହେବ ତାହା ସହଜରେ ଆକଳନ କରି ହେଉଛି ।

ଅବଶ୍ୟ, ୨୦୨୦ ମସିହା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁସାରେ ମହିଳାଙ୍କ ବିରୁଦ୍ଧରେ ହିଂସାରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଗଣଦୁଷ୍କର୍ମରେ ଓଡ଼ିଶା ପଂଚମ ସ୍ଥାନରେ ଥିବାବେଳେ ମହିଳାଙ୍କୁ ଅପହରଣରେ ଓଡ଼ିଶା ଦେଶରେ ତୃତୀୟ । ଶିଶୁଙ୍କ ସହ ଦୁଷ୍କର୍ମ ମାମଲାରେ ଓଡ଼ିଶାରେ ଦିନକୁ ୮ଟି ଦୁଷ୍କର୍ମ ହେଉଛି ।

ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟରେ ମହିଳାଙ୍କ ସ୍ଥିତି କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେଉଥିବା ନେଇ ସରକାରଙ୍କୁ ସତର୍କ କରାଇବା ସହ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସଜାଡ଼ିବାକୁ ଦାବି କରୁଥିଲେ ମଧ୍ୟ ୨୧ବର୍ଷର ସରକାର ଏବେସୁଦ୍ଧା ମହିଳାଙ୍କୁ ସୁରକ୍ଷିତ ପରିବେଶ ଦେବାରେ ସକ୍ଷମ ହୋଇପାରିନି । ଯଦିଓ ମହିଳାଙ୍କର ହିତୌଷୀ ଭାବେ ବିଜେଡି ସରକାର ନିଜକୁ ଦାବି କରୁଛନ୍ତି, କିନ୍ତୁ ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ହିଂସା ଓ ଅପରାଧର ଚିତ୍ର ହିଁ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ।

Related story