ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ରାଜ୍ୟରେ ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନରେ ୭୩.୭୬ ପ୍ରତିଶତ ମତଦାନ ହୋଇଛି। ତେବେ ଚଳିତବର୍ଷ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।
ସେ କହିଛନ୍ତି-“ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ସର୍ବାଧିକ ୭୮.୮୯ ପ୍ରତିଶତ ରହିଛି। ସେହିପରି କଳାହାଣ୍ଡିରେ ୭୫.୮୨ ପ୍ରତିଶତ, ବ୍ରହ୍ମପୁରରେ ୬୫.୫୭ ପ୍ରତିଶତ ଓ କୋରାପୁଟରେ ୭୪.୭୭ ପ୍ରତିଶତ ଭୋଟିଂ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟର ମତଦାନ କରିଛନ୍ତି। ୭୩.୦୯ ପ୍ରତିଶତ ପୁରୁଷ ଭୋଟର ମତଦାନ କରିଥିବା ବେଳେ ମହିଳା ମତାଦାଙ୍କ ହାର ୭୪.୪୩ ପ୍ରତିଶତ ରହିଛି।”
ସେ ଆହୁରି କହିଛନ୍ତି-“କୋରାପୁଟ ଜିଲ୍ଲାର କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୬.୮୩ ପ୍ରତିଶତ ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରେ ସର୍ବନିମ୍ନ ମତଦାନ ହାର ରହିଛି। ବ୍ରହ୍ମପୁରରେ ମାତ୍ର ୫୬.୩୪ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ତେବେ ମାଲକାନଗିରିରେ ଗୋଟିଏ ବୁଥ୍ ଓ ବ୍ରହ୍ମପୁରରେ ଗୋଟିଏ ବୁଥ୍ରେ ସାନି ମତଦାନ ନେଇ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଛି। ସେ ନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ।”