ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ଵକପ ହକି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଟିକେଟର ଖୁଲମଖୁଲା କଳାବଜାରୀ। ବାଟଘାଟରେ କିମ୍ବା ଲୁଚାଛପାରେ ନୁହେଁ, ସିଧା ଅନ୍ଲାଇନ୍ରେ ଚଢ଼ା ରେଟରେ ବିକ୍ରି ହେଉଛି ଟିକେଟ। ଆସନ୍ତାକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମେଗା ଉଦଘାଟନୀ ଉତ୍ସବ ଥିବା ବେଳେ ତା’ପୂର୍ବରୁ ଟିକେଟ କଳାବଜାରୀ କାରବାର ସାମ୍ନାକୁ ଆସିଛି। ଯାହାର ଅସଲ ମୂଲ୍ୟ ୫୦୦ ଟଙ୍କା ଥିଲା ତାହା ଏବେ ୪,୫୦୦ ଟଙ୍କା ଠାରୁ ଆରମ୍ଭ କରି ସର୍ବାଧିକ ୮୦୦୦ ଟଙ୍କାରେ ବିକ୍ରି ହେଉଛି। ଅନଲାଇନ୍ ସଂସ୍ଥା ଓଏଲଏକ୍ସରେ ଏମିତି ଟିକେଟ ବିକ୍ରି ହେଉଥିବା ନଜରକୁ ଆସିଛି। ଓଡ଼ିଶାରେ ପ୍ରଥମଥର ପାଇଁ ହକି ବିଶ୍ୱ କପ୍ ଆୟୋଜନ ହେବାକୁ ଯାଉଥିବା ବେଳେ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସୁଥିବା ବେଳେ ଏବେ ଟିକେଟ କଳାବଜାରୀ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।
ମ୍ୟାଚ୍ ଟିକେଟ ଗୁଡ଼ିକ ଅନ୍ଲାଇନ୍ରେ ଉପଲବ୍ଧ ଥିବା ବେଳେ ବିଶ୍ଵ କପ ଉଦ୍ଘାଟନୀ ଉତ୍ସବର ଟିକେଟ ଅଫ୍ଲାଇନ୍ରେ ତଥା ଗତ ନଭେମ୍ବର ୧୫ ତାରିଖରେ ଉପଲବ୍ଧ ହେବ ବୋଲି ପ୍ରଥମେ ଖୋଦ୍ କ୍ରୀଡ଼ା ସଚିବ ବିଶାଲ ଦେବ କହିଥିଲେ। ଖାସ୍ କରି କିଙ୍ଗ୍ ଖାନ୍ ଶାହାରୁଖ ଏବଂ ବିଶିଷ୍ଟ ସଙ୍ଗୀତକାର ଏ.ଆର. ରେହେମାନଙ୍କୁ ଦେଖିବା ପାଇଁ ରାଜ୍ୟର ଦୂରଦୂରାନ୍ତରୁ ଦର୍ଶକମାନେ ଆସି ରାତିରୁ କାଉଣ୍ଟର ଆଗରେ ଭିଡ଼ ଜମାଇଥିଲେ। ହେଲେ ଦୀର୍ଘ ସମୟ ଅପେକ୍ଷା କରି କାଉଣ୍ଟରରେ ଟିକେଟ ବିକ୍ରି ନହେବାରୁ ଦର୍ଶକ ନିରାଶ ହୋଇଥିଲେ। ଫଳରେ ହକିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କିଛି ଲୋକ ଉତ୍ତ୍ୟକ୍ତ ହୋଇ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର୍ ଓ ବ୍ୟାରିକେଡ୍ ଭଙ୍ଗାରୁଜା କରିଥିଲେ।
Make in Odisha!! https://t.co/kRV1DyXFyk
— ????????? ??????? (@debabrata2008) November 26, 2018
ଯଦି ଟିକେଟ ସବୁ ବିକ୍ରି ହୋଇଥିଲା ଏବେ କେମିତି କଳାବଜାରୀ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ। ଏହାକୁ ନେଇ ସୋଶାଲ ମିଡିଆରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହକି ଉଦ୍ଘାଟନୀ ଉତ୍ସବର ଟିକେଟ ନ ପାଇ ଅନେକ ଲୋକେ ହତାଶ ହୋଇଥିବା ବେଳେ ହଠାତ୍ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଏମିତି ବ୍ଲାକରେ ଟିକେଟ ବିକ୍ରି ହେବା ଘଟଣାକୁ ନେଇ ଉଭୟ ଟିକେଟ ବିକ୍ରି ସଂସ୍ଥା ଏବଂ ଓଡ଼ିଶା କ୍ରୀଡ଼ା ବିଭାଗର ଭୂମିକାକୁ ନେଇ ସନ୍ଦେହ ଜାଗ୍ରତ ହେବା ସ୍ଵାଭାବିକ।