ଆଳି(ବନମାଳୀ ସାହୁ):ଆମକୁ ମିଳାମିଶା ପାଇଁ ସୁଯୋଗ ଦେଉ ନାହାନ୍ତି। ଆମେ ପରସ୍ପରକୁ ବିବାହ କରିବାକୁ ଚାହୁଁ। ତାକୁ ଥାନାକୁ ଅଣାଯାଇ ମୋ ସହ ମୁହାଁମୁହିଁ କରାଯାଉ। ଗତକାଲି ଏମିତି ଅଭିଯୋଗ ଆଣି କେନ୍ଦ୍ରାପଡା ଜିଲ୍ଲା ଆଳିଥାନାରେ ଅଡି ବସିଥିଲେ ଜଣେ ଯୁବତୀ। ସମଲିଙ୍ଗୀ ବିବାହ ପାଇଁ ସକାଳୁ ରାତି ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ଆଳିଥାନାରେ ଅଡି ବସିଲେ ଯୁବତୀ। ଆଉ ଶେଷରେ ନିରାଶ ହୋଇ ଥାନାରୁ ଫେରିଥିଲେ। ସେପଟେ ସାଥୀ ପ୍ରେମିକା ଯୁବତୀକୁ ତା’ର ବାପମା ପରିବାର ଲୋକେ ଘରେ ଅଟକାଇ ରଖିଥିଲେ।
ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ୨୮ ବର୍ଷୀୟା ଯୁବତୀଙ୍କ ସହ ଆଳି ଧୋୟାଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଯାଇଥିଲା। ଉଭୟଙ୍କ ମଧ୍ୟରେ ୯ ବର୍ଷର ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଲୁଧିଆନାରେ ଚାକିରୀ କରନ୍ତି। ଧାରଣାରେ ବସିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ମୋ ସହିତ ସାଥୀ ଯୁବତୀଙ୍କର ବହୁ ଗୋପନୀୟ ସମ୍ପର୍କର ଫଟୋ, ଭିଡିଓ ରହିଛି। ମୋ ଜୀବନ ସେ ବରବାଦ କରିଛି। ନ୍ୟାୟ ନପାଇବା ଯାଏ ମୁଁ ଛାଡିବି ନାହିଁ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି ବୋଲି ଯୁବତୀ ଜଣଙ୍କ ଚେତାବନୀ ଦେଇଥିଲେ। ଏହି ଘଟଣାକୁ ନେଇ ଦିନ ତମାମ ଚର୍ଚ୍ଚା ଲାଗିରହି ଥିଲା।
ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ଯେତେ ବୁଝାଇବା ପରେ ମଧ୍ୟ ସେ ଥାନାରୁ ହଟି ନଥିଲା। ଏପରିକି ମଧ୍ୟାହ୍ନରେ ଖାଇବାକୁ ଯିବାକୁ ମଧ୍ୟ ଅମଙ୍ଗ ହୋଇଥିଲା। ତେବେ ସଂପୃକ୍ତ ଯୁବତୀଙ୍କ ଜିଦ୍ ପରେ ପୁଲିସ ଆଳି ଧୋୟାଞ୍ଚଳର ସଂପୃକ୍ତ ଯୁବତୀଙ୍କୁ ଥାନାକୁ ଡକାଇଥିଲେ। ନିଜର ପରିବାର ସଦସ୍ୟ ଓ ଦୁଇଜଣ ମଧ୍ୟସ୍ଥିଙ୍କ ସହିତ ସାଥି ଯୁବତୀ ଥାନାକୁ ଆସି ଥିଲେ ମଧ୍ୟ ବିବାହ ପ୍ରସ୍ତାବରେ ନାରାଜ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।