[caption id="attachment_401470" align="alignleft" width="138"]
୧୯୦୨ରେ ରଥଯାତ୍ରା ଜୁଲାଇ ୬ ତାରିଖରେ ପଡ଼ିଥିଲା। ବ୍ୟାପକ ଅସୁବିଧା ସହିତ ପୁଲିସ୍ ଓ ରାଜାଙ୍କ ମଧ୍ୟରେ ମତଭେଦ ହେବା ଯୋଗୁ ଠାକୁରଙ୍କୁ ଅନେକ ହଇରାଣ ହେବାକୁ ପଡ଼ିଥିଲା। ନା ଲୋକେ ନବଯୌବନ ଦର୍ଶନ କରିପାରିଥିଲେ ନା ଶ୍ରୀଜିଉଙ୍କ ରୀତିନୀତି ଯଥା ସମୟରେ ଯଥା ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ବାହୁଡ଼ା ଯାତ୍ରା ହୋଇ ନପାରିବାରୁ ମାସାଧିକ କାଳ ଠାକୁରଙ୍କୁ ଜଗମୋହନରେ ରହିବାକୁ ପଡ଼ିଥିଲା। ଏବର୍ଷ ରଥଯାତ୍ରା ପାଖାପାଖି ଦେଢ଼ମାସ କାଳ ଚାଲିଥିଲା। ଠାକୁର ଗହ୍ମା ପୂର୍ଣ୍ଣମୀ ପୂର୍ବ ଦିନ ମନ୍ଦିରକୁ ଫେରିଥିଲେ।
ହାୱଡ଼ାଠାରୁ ପୁରୀ ସିଧା ରେଳ ବ୍ୟବସ୍ଥା ହୋଇଥିବାରୁ ଏ ବର୍ଷ ରଥଯାତ୍ରାରେ ବଙ୍ଗୀୟ ଯାତ୍ରୀଙ୍କ ଭିଡ଼ ଜମି ଥିଲା। ସେତେବେଳର ରିପୋର୍ଟ ଅନୁସାରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍ରେ ଦିନକୁ ୧୬ ଥର ଟ୍ରେନ୍ ପୁରୀରୁ ଛାଡ଼ିବାର ବ୍ୟବସ୍ଥା ହୋଇଥିଲା। ଅର୍ଥାତ୍ ଦୂର ଯାତ୍ରୀଙ୍କ ଯା'ଆସରେ କିଛି ବି ଅସୁବିଧା ହୋଇ ନଥିଲା। କିନ୍ତୁ ଭକ୍ତଙ୍କ ଆକାଂକ୍ଷାକୁ ପୂରଣ କରିବାରେ ପୁରୀ ପ୍ରଶାସନ ଏବଂ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ତଥା ରାଜା ସଫଳ ହୋଇ ନଥିଲେ। ପୁଣି ପୂର୍ବରୁ ରାଜାଙ୍କ ଉପରେ ଇଂରେଜ ଅଧିକାରୀମାନେ କ୍ଷୁବ୍ଧ ହୋଇ ଜଣେ ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଯୁକ୍ତି ଦେଇଥିବାରୁ ଅସନ୍ତୋଷ ବ୍ୟାପକ ହୋଇଥିଲା ଏବଂ ମାମଲା କୋର୍ଟରେ ଚାଲିଥିଲା।
ଏହା ଅକ୍ଟୋବର ୧୯୦୧ ମସିହା କଥା। ଇଂରେଜମାନଙ୍କ ଏହି ହସ୍ତକ୍ଷେପର କାରଣ ଥିଲା ରାଜାଙ୍କ ଅୟାସୀ ଓ ଅବହେଳା। ସେତେବେଳେ ମୁକୁନ୍ଦ ଦେବ ଗଜପତି ମହାରାଜା ଭାବେ ପରିଚତ ଥିଲେ। ଅପୁତ୍ରିକ ମୁକୁନ୍ଦ ଦେବ ସୁରା ଓ ସାକୀରେ ଏତେ ବୁଡ଼ିଥିଲେ ଯେ ସେ ମନ୍ଦିର ପରିଚାଳନାକୁ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଥିଲା। ଏପରିକି ସେ ରାଣୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଉ ନଥିବାରୁ ଓକିଲ ମଧୁବାବୁ ଏ ମାମଲାରେ ହସ୍ତକ୍ଷେପ ପାଇଁ ଇଂରେଜ ସରକାରଙ୍କୁ ଅନୁରୋଧ କରିଥିଲେ।
ରଥ କାର୍ଯ୍ୟ ବିଳମ୍ୱ ହେବାରୁ ଯାତ୍ରା ବାଧାପ୍ରାପ୍ତ ହେଲା। ବିଳମ୍ୱରେ ଗୁଣ୍ଡିଚା ଘରେ ରଥ ପହଞ୍ଚିଥିଲା। ହେଲେ କୌଣସି କାରଣ ନଥାଇ ଠାକୁରଙ୍କୁ ବାହୁଡ଼ିବାକୁ ଦିଆଯାଇ ନଥିଲା।
ଏହି ପରିସ୍ଥିତିରେ ରଥ କାର୍ଯ୍ୟ ବେଶ୍ ଅବହେଳିତ ହୋଇଥିଲା। ନବଯୌବନ ବେଶ ନହୋଇପାରିବାରୁ ଯାତ୍ରୀମାନେ ହତାଶ ହୋଇଥିଲେ। ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲେ ମଧ୍ୟ ପୁଲିସ୍ ପ୍ରଶାସନ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରି ନଥିଲେ। ସେପଟେ ରଥ କାର୍ଯ୍ୟ ବିଳମ୍ୱ ହେବାରୁ ଯାତ୍ରା ବାଧାପ୍ରାପ୍ତ ହେଲା। ବିଳମ୍ୱରେ ଗୁଣ୍ଡିଚା ଘରେ ରଥ ପହଞ୍ଚିଥିଲା। ହେଲେ କୌଣସି କାରଣ ନଥାଇ ଠାକୁରଙ୍କୁ ବାହୁଡ଼ିବାକୁ ଦିଆଯାଇ ନଥିଲା। ଫଳରେ ଶ୍ରୀଜିଉ ସିଂହାସନରୁ ଓହ୍ଲାଇ ଜଗମୋହନରେ ଅନେକ ଦିନ ପଡ଼ି ରହିଲେ। ଖାଲି ବିଧି ତୁଲାଇବାକୁ ସେବାୟତମାନେ ଉଦ୍ୟମ କରିଥିଲେ।
ଗୁଣ୍ଡିଚାମନ୍ଦିରର ଜଗମୋହନରେ ପୂର୍ବରୁ କେବେ ଚିତାଲାଗି ହେବାର ଦେଖା ଯାଇ ନଥିଲା। କିନ୍ତୁ ଏ ବର୍ଷ ତାହା ହୋଇଥିଲା। ଏନେଇ ବଙ୍ଗଳା ଓ ଇଂରାଜୀ ଖବରକାଗଜରେ ଅନେକ ସମାଲୋଚନା ମୂଳକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଅନେକ ଦିନ ପରେ ରଥ ଦକ୍ଷିଣ ମୋଡ଼ ହେଲା। ଏହି ସମୟରେ ଜଗନ୍ନାଥଙ୍କ ରଥର ଦୁଇ ଚକ ଭାଙ୍ଗିଗଲା। ସେହିପରି ଅନେକ ଦିନ ରଥ ବାହାରେ ପଡ଼ିବାରୁ ବର୍ଷାରେ ଭିଜି ଦଉଡ଼ି ସବୁ ଦୁର୍ବଳ ହୋଇ ଛିଡ଼ିବାରେ ଲାଗିଲା। ଯାହାକୁ ଦେଖି ରାଜା ନୂଆ ଦଉଡ଼ି ପାଇଁ ଆଦେଶ ଦେଲେ। ବାହୁଡ଼ା ପରଦିନଠାରୁ ୫ଶହ ବେଠିଆଙ୍କୁ ରାଜାଙ୍କ ପକ୍ଷରୁ ନିୟୋଜିତ କରାଯାଇ ଦଉଡ଼ି ବଳାଗଲା। ସେମାନେ ଦିନକୁ ୩ ଅଣା ଲେଖାଁ ମଜୁରି ନେଇଥିଲେ। ଏସବୁ ସରି ଇଞ୍ଜିନିୟର୍ ସାର୍ଟିଫିକେଟ୍ ଦେଲା ପରେ ରଥ ଟଣା ହେଲା। ନିଳାଦ୍ରୀ ବିଜୟ ହେଲା ଗହ୍ମା ପୂର୍ଣ୍ଣମୀ ପୂର୍ବଦିନ। ଏତେ ଦିନ ଯାଏଁ ଠାକୁର ବାହାରେ ରହିବା କେତେବେଳେ ଦେଖା ଯାଇ ନଥିଲା। ଏନେଇ ସମସ୍ତେ ରାଜାଙ୍କୁ ଦାୟୀ କରିଥିଲେ।