ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ମାଆ ଚାଲିଗଲେ ପ୍ରେମିକ ସାଥୀରେ! ବାପା ଚାଲିଗଲେ କେଉଁ ଆଡେ। ବେସାହାରା ହୋଇଗଲେ ୪ ପିଲା। ଏବେ ଖୋଲା ଆକାଶ ତଳେ ୭୦ ବର୍ଷୀୟା ବୁଢ଼ୀ ମାଆଙ୍କ ପଣତ ତଳେ ଜୀବନ ଜିଉଁଛନ୍ତି ୪ ନାତି ଓ ନାତୁଣୀ। ଛୋଟ ଛୋଟ ନାତି ଓ ନାତୁଣୀଙ୍କ ମୁହଁ ଦାନା ଦେବା ପାଇଁ ବୁଢ଼ୀ ମାଆ ଏବେ ଘରକୁ ଘର ବୁଲି ଭିକ ମାଗୁଛନ୍ତି। ଉତ୍କଟ ଦାରିଦ୍ର୍ୟର ଏପରି ବିକଳ ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।
ଉଲୁଣ୍ଡା ବ୍ଲକ ମହୁଖଣ୍ଡି ଗାଁ। ଏହି ଗାଁରେ ନନ୍ଦ ମୁଣ୍ଡାଙ୍କ ଘର। ପରିବାର କହିଲେ ମାଆ ନିରାଶ, ପତ୍ନୀ ପୂର୍ଣ୍ଣେନ୍ଦୀ ଓ ୪ ପୁଅଝିଅ। ନନ୍ଦ କାମଦାମ କରି ଯାହା ଆଣୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ପିଲାମାନେ ପାଠ ମଧ୍ୟ ପଢ଼ୁଥିଲେ।
ସାନ ପୁଅକୁ ବର୍ଷେ ହୋଇ ନଥିଲା। ଠିକ୍ରେ ଦୁନିଆକୁ ଦେଖି ନଥିଲା। ସେତେବେଳେ ପୂର୍ଣ୍ଣେନ୍ଦୀ ଆଉ ଜଣଙ୍କ ପ୍ରେମରେ ପଡ଼ିଲେ। ଆଉ ତା’ପରେ ୪ ପିଲାଙ୍କୁ ଛାଡ଼ି ତାଙ୍କ ପ୍ରେମିକଙ୍କ ସହିତ ପଳାଇ ଗଲେ। ପତ୍ନୀ ପର ପୁରୁଷ ସହିତ ଗଲା ପରେ ଭାଙ୍ଗି ପଡ଼ିଥିଲେ ନନ୍ଦ। ତଥାପି କଷ୍ଟେମଷ୍ଟେ ଦିନ ମଜୁରି କରି ପରିବାର ଚଳାଉଥିଲେ।
ମହାମାରୀ କୋଭିଡ୍ ବେଳେ କାମ ମିଳୁ ନଥିଲା। ତଥାପି କୌଣସି ମତେ କାମ ଯୋଗାଡ଼ କରି ପୂରା ପରିବାରକୁ ଚଳାଉଥିଲେ ନନ୍ଦ। ସେ ମାନସିକ ଭାବେ ସୁସ୍ଥ ରହିଥିଲେ। ତେବେ ବର୍ଷେ ତଳେ ହଠାତ୍ ସେ କେଉଁ ଆଡେ ଚାଲିଗଲେ। ତାଙ୍କର ଆଉ ପତ୍ତା ମିଳୁନାହିଁ।
ଆଖି ଆଗରେ ପ୍ରଥମେ ବୋହୂ ଓ ପରେ ପୁଅ ସେମାନଙ୍କ ରାସ୍ତାରେ ପଳାଇଗଲେ। ଘରେ କାଣିଚାଏ ନାହିଁ। କେମିତି ୪ ନାତି ଓ ନାତୁଣୀଙ୍କ ମୁହଁରେ ଦାନା ଦେବେ? ସେହି ଚିନ୍ତାରେ ପଡ଼ିଗଲେ ୭୦ ବର୍ଷୀୟା ବୁଢ଼ୀ ମାଆ ନିରାଶ। ନାତି ଓ ନାତୁଣୀଙ୍କ ମୁହଁରେ ଦାନା ଦେବା ପାଇଁ ଘରୁ ଗୋଡ଼ କାଢ଼ିଲେ। ସେ ଏବେ ଘରକୁ ଘର ବୁଲି ଭିକ ମାଗୁଛନ୍ତି। ଯିଏ ଯାହା ଦେଲା, ତାକୁ ଆଣି ଦୁଃଖେକଷ୍ଟେ ଚଳୁଛନ୍ତି।
ରାଜ୍ୟ ସରକାର ଗରିବଙ୍କ ପାଇଁ କେତେ କ'ଣ ଯୋଜନା କରୁଛନ୍ତି। ହେଲେ ଏ ସବୁ ଯୋଜନା ୭୦ ବର୍ଷୀୟା ନିରାଶ ମୁଣ୍ଡାଙ୍କ ପାଖରେ ପହଞ୍ଚି ନାହିଁ। ତାଙ୍କୁ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ସେ ରାସନ୍ ଚାଉଳ ମଧ୍ୟ ପାଉନାହାନ୍ତି। ଘର କଥା ନକହିବା ଭଲ। ଭଙ୍ଗା ଚାଳ ଛପର ଘରେ ପଲିଥିନ୍ ପକାଇ ହାଡ ଭଙ୍ଗା ଶୀତରେ କାଳାତିପାତ କରୁଛନ୍ତି। ସେମାନଙ୍କ ପ୍ରତି ପ୍ରଶାସନ କିମ୍ୱା ଜନ ପ୍ରତିନିଧିଙ୍କର ନଜର ନାହିଁ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ କହିଛନ୍ତି, ପେନ୍ସନ୍ ଦେବା ପାଇଁ ବ୍ୟବସ୍ଥା କରୁଛୁ। ୨ରୁ ୩ ଦିନ ଭିତରେ ମଞ୍ଜୁର ହୋଇଯିବ। ତା’ପରେ ତାଙ୍କୁ ପେନ୍ସନ୍ ମିଳିବ। ରାସନ୍ ଚାଉଳ ପାଇବା ପାଇଁ ଯଦି ସେ ଯୋଗ୍ୟ ହୋଇଥିବେ, ତାହାହେଲେ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।