ସୋନପୁର (ରବୀନ୍ଦ୍ର ହୋତା): ଅଧା ବୟସରେ ସ୍ୱାମୀ ଛାଡ଼ି ଆରପାରିକୁ ଚାଲିଗଲେ। ଯେଉଁ ଝାଟିମାଟି ଘର ଓ ଜମିବାଡ଼ି ଥିଲା, ପୁଅମାନେ ସେସବୁ ବିକ୍ରି କରି ଶ୍ୱଶୁର ଘରେ ରହିଲେ। ନିଜର ବୋଲି ଦୁନିଆରେ କେହି ରହିଲେ ନାହିଁ। ଏପରି ସ୍ଥିତିରେ ୧୨ ବର୍ଷ ହେଲାଣି ବିଜୁଳି ସେଠୀ ନାମ୍ନୀ ମହିଳାଙ୍କ ଠିକଣା ପାଲଟିଛି ଗାଁ ମଣ୍ଡପ। ସେଠାରେ ସେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି। ସରକାରଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ୁ ନଥିବାରୁ ଭାଗ୍ୟକୁ ଆଦରି ବିଜୁଳି ସେଠାରେ ପଡ଼ି ରହିଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ।
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାରଝୁଲା ଗାଁରେ ରହୁଥିବା ବିଜୁଳିଙ୍କର ଥିଲା ସୁନାର ସଂସାର। ୩ ପୁଅ ଓ ସ୍ୱାମୀଙ୍କୁ ନେଇ ବାରଝୁଲା ଗାଁରେ ଖୁସିରେ ରହୁଥିଲେ ସେ। ହେଲେ ସ୍ୱାମୀଙ୍କ ମତ୍ୟୁ ଓ ପୁଅମାନଙ୍କ ବାହାଘର ପରେ ସବୁକିଛି ଓଲଟ ପାଲଟ ହୋଇଗଲା। ବଡ଼ ପୁଅର ମୃତ୍ୟୁ ହୋଇଗଲା ପରେ ଅନ୍ୟ ଦୁଇପୁଅ ଗାଁରେ ଥିବା ଜମିବାଡ଼ି ଓ ଘରଦ୍ୱାର ସବୁକିଛି ବିକ୍ରି କରି ନିଜ ନିଜ ଶ୍ୱଶୁର ଘରେ ରହୁଛନ୍ତି। ବୃଦ୍ଧ ମା’ କଥା କେହିବି ବୁଝିବାକୁ ନାରାଜ।
ଏବେ ବିଜୁଳିଙ୍କୁ ୭୦ ପାର ହେଲାଣି। ଆଖିରେ ଭଲ ଦେଖାଯାଉ ନାହିଁ। ଭଲରେ ଦୁଇ ପଦ କଥା ବି କହିପାରୁ ନାହାନ୍ତି। ପରିଣତ ବୟସରେ ବିଜୁଳିଙ୍କ ପାଖରେ ଘର ଖଣ୍ଡେ ନ ଥିବାରୁ ଗାଁ ମଣ୍ଡପରେ ରହୁଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ନା ଘର ଖଣ୍ଡେ ମିଳୁଛି ନା ରାସନ ସାମଗ୍ରୀ। କେବଳ ୫୦୦ ଟଙ୍କା ଭତ୍ତା ପାଉଛନ୍ତି।
[caption id="attachment_742858" align="aligncenter" width="650"]
ଭତ୍ତା ପଇସାରେ ତେଲ ଲୁଣ କିଣି ଚଳନ୍ତି ବିଜୁଳି। ଗାଁ ମଣ୍ଡପରେ ରୋଷେଇ କରି ସେଠାରେ ଖାଇପିଇ ରହୁଛନ୍ତି। ବର୍ଷା ଓ ଶୀତରେ ବିଜୁଳି ମୁଣ୍ଡ ଗୁଞ୍ଜିବାକୁ ବାର ଦୁଆର ହୋଇଥା’ନ୍ତି। କାରଣ ମଣ୍ଡପର ଉପରେ ଛାତ ପଡ଼ିଥିଲେ ବି ଚାରିପଟ ମୁକୁଳା। ବିଜୁଳିଙ୍କ ଏଭଳି ଦୟନୀୟ ଅବସ୍ଥାରେ ବଞ୍ଚୁଥିବା ବେଳେ ତାଙ୍କ ଉପରେ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁ ନାହିଁ।
ନିର୍ବାଚନ ସମୟରେ ଗାଁ ମାନଙ୍କୁ ନେତା, ମନ୍ତ୍ରୀଙ୍କ ସୁଅ ଛୁଟିଥାଏ। ସମସ୍ତେ ବିଜୁଳିଙ୍କୁ ମଣ୍ଡପରେ ଦେଖନ୍ତି ଓ କେତେ କ’ଣ ପ୍ରତିଶ୍ରୁତି ଦିଅନ୍ତି। ହେଲେ ନିର୍ବାଚନ ସରିବା ପରେ ଯେମିତି ବିଜୁଳି କଥାକୁ ମନରୁ ପସୋରି ଦିଅନ୍ତି। ବିଜୁଳିଙ୍କ ପାଇଁ ସରକାର ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ଦେବା ସହିତ ରାସନ ସାମଗ୍ରୀ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ କହିଛନ୍ତି, ଆମେ ବିଜୁଳିଙ୍କ ବିଷୟରେ ଖବର ପାଇଛୁ। ବିଡିଓ ଘଟଣାର ଅନୁଧ୍ୟାନ କରିବେ। ଯଦି ତାଙ୍କର ରହିବା ପାଇଁ ଘର ନ ଥିବ କି ତାଙ୍କର ନିଜ ପରିବାର ନ ଥିବେ ଆମେ ତାଙ୍କ ପାଇଁ କିଛି ବ୍ୟବସ୍ଥା କରିବୁ।
ଗରିବ ଅସହାୟଙ୍କୁ ଆଶ୍ରୟ ଦେବାକୁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଟଙ୍କାକିଆ ଚାଉଳ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ବିଜୁଳିଙ୍କୁ ଦେଖିଲେ ସରକାର କରୁଥିବା ଯୋଜନା କାହା ପାଇଁ ବୋଲି ମନରେ ପ୍ରଶ୍ନ ଉଙ୍କି ମାରୁଛି।