ଘର ଭାଙ୍ଗିଦେଲା ପ୍ରଶାସନ, ଏବେ ପାଲ ତଳେ ବିତୁଛି ଜୀବନ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଜାମ୍ୱୁଡ଼ିହା ପଞ୍ଚାୟତର ବେଢ଼ାସାହି ଗାଁରେ ରହନ୍ତି ପଦ୍ମଲୋଚନ ଚାଷୀ। ବୟସ ୨୫। ତାଙ୍କ ସହିତ ରହନ୍ତି ତାଙ୍କର ଦୁଇ ଭଉଣୀ। ସେମାନଙ୍କ ବାପାମା’ ନାହାନ୍ତି। ବାପାମା’ ବଞ୍ଚିଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ଚାଳଛପର ଘରଟିଏ ଥିଲା। ହେଲେ ଦେଢ଼ ବର୍ଷ ହେଲାଣି ସେମାନେ ଗାଁ ନିକଟ ଜଙ୍ଗଲରେ ପଲିଥିନ୍ ଓ ପାଲ ତଳେ ଜୀବନ ବିତାଉଛନ୍ତି। କାରଣ ସେମାନଙ୍କ ବାପା ଯେଉଁ ଜାଗାରେ ଘରଟିଏ କରିଥିଲେ, […]

nilagiri

Jyoshna Pradhan
  • Published: Wednesday, 04 December 2019
  • , Updated: 04 December 2019, 03:51 PM IST

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଜାମ୍ୱୁଡ଼ିହା ପଞ୍ଚାୟତର ବେଢ଼ାସାହି ଗାଁରେ ରହନ୍ତି ପଦ୍ମଲୋଚନ ଚାଷୀ। ବୟସ ୨୫। ତାଙ୍କ ସହିତ ରହନ୍ତି ତାଙ୍କର ଦୁଇ ଭଉଣୀ। ସେମାନଙ୍କ ବାପାମା’ ନାହାନ୍ତି। ବାପାମା’ ବଞ୍ଚିଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ଚାଳଛପର ଘରଟିଏ ଥିଲା। ହେଲେ ଦେଢ଼ ବର୍ଷ ହେଲାଣି ସେମାନେ ଗାଁ ନିକଟ ଜଙ୍ଗଲରେ ପଲିଥିନ୍ ଓ ପାଲ ତଳେ ଜୀବନ ବିତାଉଛନ୍ତି। କାରଣ ସେମାନଙ୍କ ବାପା ଯେଉଁ ଜାଗାରେ ଘରଟିଏ କରିଥିଲେ, ତାହା ଗୋଚର ଜମିରେ ଅଛି କହି ନୀଳଗିରି ପ୍ରଶାସନ ତାକୁ ଦେଢ଼ ବର୍ଷ ତଳେ ଭାଙ୍ଗି ଦେଇଥିଲା। ଅବଶ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ ୪ ଡିସିମିଲ୍ ଜାଗା ଯୋଗାଇ ଦିଆଯାଇଛି। ତେବେ ପଟ୍ଟା ପାଉତି ନଥିବା ଯୋଗୁ ସେମାନଙ୍କୁ ସରକାରୀ ଯୋଜନାରୁ ଘରଟିଏ ମିଳିପାରୁ ନାହିଁ। ସେହିଭଳି ସେମାନଙ୍କର ବି ଏତେ ସମ୍ବଳ ନାହିଁ ଯେ ନିଜେ ଘରଟିଏ କରିପାରିବେ। ତେଣୁ ଦୁଃଖକଷ୍ଟରେ ପାଲ ଓ ପଲିଥିନ୍ ତଳେ ଜୀବନ ବିତାଉଛନ୍ତି।

ପଦ୍ମଲୋଚନ କହିଛନ୍ତି, “ମା’ଙ୍କ ମୃତ୍ୟୁ ପରେ ବାପାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତହସିଲଦାର ଆସି ବାପା କରିଥିବା ଘର ଗୋଚର ଜାଗାରେ ହୋଇଛି କହି ଭାଙ୍ଗି ଦେଲେ। ଆମେ ତିନି ଭାଇ ଭଉଣୀଙ୍କ ମଧ୍ୟରୁ କେବଳ ମୁଁ କାମ କରୁଛି। ହେଲେ ଦିନେ କାମ ମିଳିଳେ ଆଉ ଦିନେ ମିଳୁ ନାହିଁ। ଘର ଚଳାଇବାରେ କଷ୍ଟ ହେଉଛି। ସରକାର ଘର ତିଆରି କରିବା ପାଇଁ ଜାଗା ଦେଇଦେଲେ। ହେଲେ ଟଙ୍କା ଥିଲେ ତ ଘର କରିବୁ। ଆମକୁ ଘର ଖଣ୍ଡେ ମିଳୁ, ଆଉ କିଛି ଦରକାର ନାହିଁ।”

ଅନ୍ୟପକ୍ଷରେ ପଦ୍ମଲୋଚନ ବଡ଼ ଭଉଣୀ କବିତା ଚାଷୀ ଭିନ୍ନକ୍ଷମ ହୋଇଥିବାରୁ ଗତ କିଛି ମାସ ହେବ ୩୫ କେଜି ଚାଉଳ ଓ କିରାସିନି ମିଳୁଛି। ହେଲେ ତାଙ୍କୁ ଭତ୍ତା ଟଙ୍କା ମିଳୁ ନାହିଁ।

ପଦ୍ମଲୋଚନଙ୍କ ଅନ୍ୟ ଜଣେ ଭଉଣୀ ବନିତା କହିଛନ୍ତି, “ବାପା ବଡ଼ ଘର କରିଥିଲେ। ହେଲେ ଏହା ଗୋଚର ଜାଗାରେ ହୋଇଥିବାରୁ ତହସିଲଦାର ଆସି  ଭାଙ୍ଗିଦେଲେ। ସେହିଦିନ ଠାରୁ ଆମେ ଗଛ ମୂଳେ ରହୁଛୁ। ଆମକୁ ୪ ଡିସିମିଲ ଜାଗା ଦିଆଯାଇଛି। କିନ୍ତୁ ଜାଗାର ପଟ୍ଟା ମିଳିନାହିଁ।  ଆମେ ଆରଆଇ ଅଫିସ୍ ଯାଇଥିଲୁ ହେଲେ ପଟ୍ଟା ଆସିଲେ ତୁମକୁ ଖବର ଦିଆଯିବ କହିଥିଲେ। ଏଯାଏ କିଛି ଖବର ଆସି ନାହିଁ। ଆମ ଦୁଇ ଭଉଣୀଙ୍କୁ ଭାଇ କାମ କରି ଖାଇବାକୁ ଦେଉଛି। ସେ ସେଥିରୁ ଘର କେମିତି କରିବ? ପୁଣି ଜଙ୍ଗଲରେ ପାଖରେ ରହୁଥିବାରୁ ଭୟ ଲାଗୁଛି।”

ଗାଁର ଜଳଧର ମଲ୍ଲିକ କହିଛନ୍ତି, “ସରକାର ତାଙ୍କ ଘର ଭାଙ୍ଗି ଦେଲେ, କିନ୍ତୁ ସେମାନଙ୍କ କଥା କିଛି ବୁଝୁ ନାହାନ୍ତି। ସେଥିପାଇଁ ସେମାନେ ତିନି ଭାଇ ଭଉଣୀ ଜରି ପାଲ ଟାଣି ରହୁଛନ୍ତି। ବାପାମା’ ନଥିବାରୁ ପିଲାଗୁଡ଼ିକ ବହୁତ ହଇରାଣ ହେଉଛନ୍ତି। ସରକାର ଯଦି ସେମାନଙ୍କୁ ଘରଟିଏ ଦେଇ ଥଇଥାନ କରନ୍ତେ ଭଲ ହୁଅନ୍ତା।”

ନୀଳଗିରି ଉପଜିଲାପାଳ ହରିଶଚନ୍ଦ୍ର ଜେନା କହିଛନ୍ତି, “ଏ ସମ୍ପର୍କରେ ମୁଁ ପୂର୍ବରୁ ଜାଣି ନଥିଲି। ମୁଁ ନିଶ୍ଚିତ ଭାବେ ତିନି ଭାଇ ଭଉଣୀଙ୍କୁ ତାଙ୍କ ଜମିର ପଟ୍ଟା ଦେବାର ବ୍ୟବସ୍ଥା କରିବି। ମୁଁ ବିଡିଓଙ୍କୁ କହି ସେମାନଙ୍କ ପାଇଁ ଘର ଦେବା ବ୍ୟବସ୍ଥା କରିବି। ଆଉ ଭିନ୍ନକ୍ଷମ ଭଉଣୀକୁ ଭତ୍ତା ମଧ୍ୟ ଦେବାକୁ ବ୍ୟବସ୍ଥା କରାଯିବ।”

 

Related story