ହାସନ୍ ତାରା- ୨୭ ବର୍ଷ ହେଲା ସଂସ୍କୃତ ପଢ଼ାଉଥିବା ଓଡ଼ିଶାର ମୁସ୍‌ଲିମ୍ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଦ୍ୟା ଧର୍ମ ବିଜ୍ଞାନ(ଏସ୍‌ଭିଡିଭି)ରେ ଫିରୋଜ୍ ଖାନ୍‌ ନାମକ ଜଣେ ମୁସ୍‌ଲିମ୍‌ଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବହୁତ ବଡ଼ ବିବାଦ ଦେଖାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଜଣେ ମୁସ୍‌ଲିମ୍ ଶିକ୍ଷକ ସଂସ୍କୃତ ପଢ଼ାଇବା କଥାକୁ ସେମାନେ ଗ୍ରହଣ କରି ପାରି ନଥିଲେ। ତେବେ ଦେବଗଡ଼ ଭଳି ଓଡ଼ିଶାର ଏକ ପଛୁଆ ଜିଲ୍ଲାରେ ଜଣେ ମୁସ୍‌ଲିମ୍ ମହିଳା ଦୀର୍ଘ ୨୭ ବର୍ଷ ହେଲାଣି ଶହ ଶହ […]

hasantara

Jitendra Garnayak
  • Published: Tuesday, 26 November 2019
  • , Updated: 26 November 2019, 08:09 PM IST

ଭୁବନେଶ୍ୱର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଦ୍ୟା ଧର୍ମ ବିଜ୍ଞାନ(ଏସ୍‌ଭିଡିଭି)ରେ ଫିରୋଜ୍ ଖାନ୍‌ ନାମକ ଜଣେ ମୁସ୍‌ଲିମ୍‌ଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବହୁତ ବଡ଼ ବିବାଦ ଦେଖାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଜଣେ ମୁସ୍‌ଲିମ୍ ଶିକ୍ଷକ ସଂସ୍କୃତ ପଢ଼ାଇବା କଥାକୁ ସେମାନେ ଗ୍ରହଣ କରି ପାରି ନଥିଲେ। ତେବେ ଦେବଗଡ଼ ଭଳି ଓଡ଼ିଶାର ଏକ ପଛୁଆ ଜିଲ୍ଲାରେ ଜଣେ ମୁସ୍‌ଲିମ୍ ମହିଳା ଦୀର୍ଘ ୨୭ ବର୍ଷ ହେଲାଣି ଶହ ଶହ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ପଢ଼ାଉଛନ୍ତି। ଆଉ ଏଥିପାଇଁ କେହି କେବେ ତାଙ୍କୁ ବିରୋଧ କରି ନାହାନ୍ତି। ତା’ସହିତ ସେ ଜଣେ ଭଲ ଶିକ୍ଷୟିତ୍ରୀ ଭାବେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ନାଁ ହାସନ୍ ତାରା। ୫୦ ବର୍ଷରେ ପାଦ ଥାପି ସାରିଥିବା ତାରା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଖଇରିପାଲି ହାଇସ୍କୁଲ୍‌ରେ ଶିକ୍ଷୟିତ୍ରୀ ଅଛନ୍ତି।

ତାରାଙ୍କ ବାପା ଜଣେ ସିଭିଲ୍ କଣ୍ଟ୍ରାକ୍ଟର। ତାଙ୍କ ନିଜ ଘର ଉତ୍ତର ପ୍ରଦେଶର ଦେଓରିଆରେ। ତେବେ ବହୁ ବର୍ଷ ହେଲା ସେ ଅନୁଗୋଳ ଜିଲ୍ଲା ରେଙ୍ଗାଲି ଡ୍ୟାମ୍‌ରେ ରହୁଛନ୍ତି। ତାରା ସଂସ୍କୃତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ଏହି ବିଷୟ ନେଇ ତାଙ୍କର ଗ୍ରାଜୁଏସନ୍ ମଧ୍ୟ ଶେଷ କରିଥିଲେ। ୧୯୯୨ ମସିହାରେ ସେ ଖଇରିପାଲି ହାଇସ୍କୁଲ୍‌ରେ ଜଣେ ସଂସ୍କୃତ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ। ଜଣେ ମୁସ୍‌ଲିମ୍ ହୋଇ ସଂସ୍କୃତି ପଢ଼ିବାକୁ ବା ପଢ଼ାଇବାକୁ ସେ କେବେ ସଙ୍କୋଚ କରି ନାହାନ୍ତି।

ଏ ନେଇ ତାରା କହନ୍ତି, “ଭାଷା ସହିତ ଧର୍ମର କି ସଂପର୍କ? ଏହା ଏକ ସୁନ୍ଦର ଭାଷା। ଏହା ବହୁତ ପୁରୁଣା ଭାଷା ମଧ୍ୟ। ମୋତେ କେବେ କୌଣସି ଛାତ୍ରଛାତ୍ରୀ, ଅଭିଭାବକ ଅବା ଶିକ୍ଷକ ଏନେଇ ବିରୋଧ କରି ନାହାନ୍ତି।”

ତାରା କେବଳ ସଂସ୍କୃତ ପଢ଼ାନ୍ତି ନାହିଁ, ତା’ସହିତ ସେ ଓଡ଼ିଆ ବି ପଢ଼ାନ୍ତି। ସେହିପରି ସ୍କୁଲ୍‌ର ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ବି ସେ ସାମିଲ ହୁଅନ୍ତି।

ଖଇରିପାଲି ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ଅନନ୍ତ ଶତପଥୀ କହିଛନ୍ତି,“ସେ ଆମ ସ୍କୁଲ୍‌ର ଜଣେ ଲୋକପ୍ରିୟ ଶିକ୍ଷୟିତ୍ରୀ। ସେ ଖୁବ୍ ବଢ଼ିଆ ପଢ଼ାନ୍ତି। ମୋ ଝିଅ ବି ତାଙ୍କ ପାଖରେ ପଢ଼ିଥିଲା ଓ ସଂସ୍କୃତରେ ଭଲ ନମ୍ବର ରଖିଥିଲା। ସଂସ୍କୃତରେ ଯେପରି ସ୍କୁଲ୍‌ର ସବୁ ପିଲା ୭୦%ରୁ ଅଧିକ ମାର୍କ ରଖିବେ, ସେନେଇ ସେ ଖୁବ୍ ପରିଶ୍ରମ କରନ୍ତି।”

(ସୌ: ହିଟା)

Related story