ବର୍ଷ ବର୍ଷ ଧରି ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା; ରୋଗୀଙ୍କ ଭରସା ଫାର୍ମାସିଷ୍ଟ୍‌

ବାସୁଦେବପୁର (କିରୀଟି ଦାସ): 5T ସଚିବ ଭି. କେ ପାଣ୍ଡିଆନ୍‌ ‘ମୋ ସରକାର’ କାର୍ଯ୍ୟକ୍ରମର ତଦାରଖ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ମୁଖ୍ୟ ଚିକିତ୍ସାଳୟଗୁଡ଼ିକୁ ଯାଉଥିବା ବେଳେ ଏମିତି ଅନେକ ଡାକ୍ତରଖାନା ଅଛି ଯେଉଁଠାରେ ଆଦୌ ଡାକ୍ତର ନାହାନ୍ତି। ଆଉ ସେହିସବୁ ଡାକ୍ତରଖାନାରେ ରୋଗୀମାନେ ମୂଳ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେମିତି ଏକ ଡାକ୍ତରଖାନା ଅଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଇରମରେ। ୧୯୫୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଥମିକ ଗୋଷ୍ଠୀ […]

1000

1000

Tapaswini Nayak
  • Published: Tuesday, 15 October 2019
  • Updated: 15 October 2019, 01:38 PM IST

Sports

Latest News

ବାସୁଦେବପୁର (କିରୀଟି ଦାସ): 5T ସଚିବ ଭି. କେ ପାଣ୍ଡିଆନ୍‌ ‘ମୋ ସରକାର’ କାର୍ଯ୍ୟକ୍ରମର ତଦାରଖ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ମୁଖ୍ୟ ଚିକିତ୍ସାଳୟଗୁଡ଼ିକୁ ଯାଉଥିବା ବେଳେ ଏମିତି ଅନେକ ଡାକ୍ତରଖାନା ଅଛି ଯେଉଁଠାରେ ଆଦୌ ଡାକ୍ତର ନାହାନ୍ତି। ଆଉ ସେହିସବୁ ଡାକ୍ତରଖାନାରେ ରୋଗୀମାନେ ମୂଳ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେମିତି ଏକ ଡାକ୍ତରଖାନା ଅଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଇରମରେ।

୧୯୫୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଇରମ୍‌ ପଞ୍ଚାୟତ ସମେତ ଆଖପାଖ ୧୦ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ଏହି ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ସହିତ ଜଣେ ଲେଖାଏଁ ଫାର୍ମାସିଷ୍ଟ, ଷ୍ଟାଫନର୍ସ, ସ୍ୱାସ୍ଥ୍ୟ ସହାୟିକା ଓ ସୁଇପର୍‌ ରହିବାର ବ୍ୟବସ୍ଥା ରହିଛି। ହେଲେ ଦୀର୍ଘ ବର୍ଷ ହେଲାଣି ଏଠାରେ ଡାକ୍ତର ନାହାନ୍ତି। ସେହିଭଳି ଷ୍ଟାଫ୍‌ନର୍ସ କି ସ୍ୱାସ୍ଥ୍ୟ ସହାୟିକା ନାହାନ୍ତି। କେବଳ ଜଣେ ଫାର୍ମାସିଷ୍ଟ ଓ ଜଣେ ସୁଇପର୍‌ରେ ଡାକ୍ତରଖାନା ଚାଲିଛି। ପ୍ରତିଦିନ ୧୦୦ ପାଖାପାଖି ରୋଗୀ ଏଠାକୁ ଆସନ୍ତି। ଆଉ ସେମାନଙ୍କ ପାଇଁ ସାହାଭରସା ହେଉଛନ୍ତି ଫାର୍ମାସିଷ୍ଟ ସତ୍ୟବ୍ରତ ମହାଳିକ। ରୋଗୀ ଦେଖାଠାରୁ ଆରମ୍ଭ କରି ଇଞ୍ଜେକ୍ସନ ଦେବା, ଡ୍ରେସିଂ କରିବା ଓ ଔଷଧ ଦେବା କାମ ସବୁ ସେ ନିଜେ କରନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଣଙ୍କ ତାଙ୍କୁ କେବଳ ବିଭିନ୍ନ କାମରେ ସାହାଯ୍ୟ କରନ୍ତି। ଆଉ ଯେଉଁ ଦିନ ଫାର୍ମାସିଷ୍ଟ ଛୁଟିରେ ରହୁଛନ୍ତି, ସେଦିନ ଡାକ୍ତରଖାନା ବନ୍ଦ ହୋଇଯାଉଛି।

ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ, ମଳ ଓ ମୁତ୍ର ଆଦି ପରୀକ୍ଷା କରିବାର ବ୍ୟବସ୍ଥା ରହିଛି। ତେବେ କେହି କର୍ମଚାରୀ ନଥିବାରୁ, ତାହା ମଧ୍ୟ ବନ୍ଦ ହୋଇ ପଡ଼ିଛି।

ଡାକ୍ତରଖାନା ପରିସରରେ କର୍ମଚାରୀ ରହିବା ପାଇଁ କ୍ୱାର୍ଟର୍ସ ରହିଛି। କିନ୍ତୁ କର୍ମଚାରୀ ହିଁ ନଥିବା ଯୋଗୁ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଡାକ୍ତରଖାନାକୁ ଯିବା ପାଇଁ ଥିବା  ରାସ୍ତାଟି କଥା ନ କହିଲେ ଭଲ। ପାଣି କାଦୁଅରେ ରାସ୍ତାର ଅବସ୍ଥା ସଙ୍ଗିନ୍ ହୋଇପଡ଼ିଛି।

ସ୍ଥାନୀୟ ବାସିନ୍ଦା ବୁଦ୍ଧିରାମ ବାରିକ କହିଛନ୍ତି, “ଏହି ଡାକ୍ତରଖାନାରେ ୧୦ରୁ ୧୫ ବର୍ଷ ହେବ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। କିଛି ରୋଗୀ ବାଧ୍ୟ ହୋଇ ବାସୁଦେବପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଏନେଇ ପ୍ରଶାସନକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ କେହି ଆମ କଥା ଶୁଣୁ ନାହାନ୍ତି।”

ଫାର୍ମାସିଷ୍ଟ ସତ୍ୟବ୍ରତ ମହାଳିକ କହିଛନ୍ତି, “ପ୍ରତିଦିନ ୧୦୦ରୁ ଅଧିକ ରୋଗୀ ଏହି ଡାକ୍ତରଖାନାକୁ ଆସୁଛନ୍ତି। ଡାକ୍ତରଙ୍କ ସହିତ ଅନ୍ୟ କର୍ମଚାରୀ ନିଯୁକ୍ତ ହେଲେ ଲୋକେ ବହୁତ ଉପକୃତ ହୋଇପାରନ୍ତେ। ମୁଁ ଛୁଟି କି ଅଫ୍‌ ନେଲେ ଡାକ୍ତରଖାନା ବନ୍ଦ ହୋଇଯାଉଛି।”

ଏନେଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଶାନ୍ତ କୁମାର ସାମନ୍ତ  କହିଛନ୍ତି, “ଏନେଇ ସିଡିଓମଙ୍କୁ ଅବଗତ କରାଯାଇଛି। ଡାକ୍ତରୀ ପଦବୀ ପୂରଣ ପାଇଁ ଯୋଜନା ଚାଲିଛି।”

ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଛନ୍ତି ବୋଲି କହୁଥିବା ବେଳେ ବର୍ଷ ବର୍ଷ ଧରି ବିନା ଡାକ୍ତରରେ ଡାକ୍ତରଖାନା ଚାଲିବା ଏକ ଉପହାସ ନୁହେଁ କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos