[caption id="attachment_396383" align="alignleft" width="151"]
ଆମ ସନାତନ ଧର୍ମରେ ଯୋଗ ଏକ ପ୍ରମୁଖ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ବହୁ ଆବାହମାନ କାଳରୁ ଏହା ଋଷିମୁନିଙ୍କ ଦ୍ୱାରା ସାଧନାର ମାର୍ଗ ପାଲଟିଯାଇଛି। ଆଉ ସମଗ୍ର ବିଶ୍ୱକୁ ଏକତା ସୂତ୍ରରେ ବାନ୍ଧିବାର ମହତ୍ତ୍ୱ ରଖେ ଏହି ଯୋଗ। ପ୍ରଥମେ ଯେତେବେଳେ ଗୁରୁକୂଳ ଆଶ୍ରମରେ ପିଲାମାନେ ବିଦ୍ୟାର୍ଜନ କରୁଥିଲେ, ସେତେବେଳେ ସେମାନଙ୍କୁ ବୈଦିକ ଜ୍ଞାନ ସହ ଯୋଗ ବିଦ୍ୟା ଶିକ୍ଷା ଦିଆଯାଉଥିଲା। ଯେତେବେଳେ ପିଲାଟି ନିଜର ଶିକ୍ଷା ସମାପନ କରି ଗୁରୁକୂଳ ଛାଡୁଥିଲା ସେ ନିଜକୁ ସ୍ୱୟଂ ସଂପୂର୍ଣ୍ଣ ମନେକରୁଥିଲା। ଆସନ ଓ ପ୍ରାଣାୟମ ଆଦି ଅଭ୍ୟାସ କରି ଶାରୀରିକ ମାନସିକ ଭାବେ ସେ ନିଜକୁ ସଙ୍ଗଠିତ କରୁଥିଲା। ଆଉ ବସୁଧୈବ କୁଟୁମ୍ବକମ୍ ମାର୍ଗରେ ଅଗ୍ରସର ହେଉଥିଲା।
ଏଣୁ ଯୋଗ କେବଳ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସର ଏକ ପ୍ରକ୍ରିୟା କି ସାଧନା ପ୍ରଣାଳୀ ନୁହେଁ, ଏହା ସମସ୍ତଙ୍କୁ ଏକତ୍ର ସୂତ୍ରରେ ବାନ୍ଧି ରଖିବାର ଏକ ସୁନ୍ଦର ସୁସଂଗଠିତ ମାର୍ଗ।
ସମୟ ବଦଳିବା ସହ ଭାରତର ବୈଦିକ ସଂସ୍କୃତିରେ ପ୍ରମୁଖ ମାର୍ଗ ଥିବା ଯୋଗ ଏ ଆଧୁନିକ ସମଜରେ ସୁପ୍ତ ଅବସ୍ଥାରେ ଥିଲା। ସମସ୍ତେ ଭାବୁଥିଲେ ଏହା କେବଳ ଋଷି ମୁନିଙ୍କ ସାଧନ କ୍ରିୟା। କିନ୍ତୁ ହଠାତ୍ ଗୋଟିଏ ନାଁ ଚାରିଆଡେ ପ୍ରତିଧ୍ୱନିତ୍ୱ ହେଲା। ଯୋଗକୁ ପ୍ରତି ଘରେ ଘରେ ପହଁଚାଇବାର ଶପଥ ନେଇଥିବା ଯୋଗଗୁରୁ ରାମଦେବ ଚର୍ଚ୍ଚାକୁ ଆସିଲେ।
ଯୋଗକୁ ଆମ ଭଳି ସଂସାରୀମାନଙ୍କ ପାଇଁ ଅତି ସହଜ କରିଦେଲେ। ସିଦ୍ଧ ଯୋଗୀଙ୍କଠାରୁ ଯୋଗକୁ ଆଣି ପ୍ରତି ଘରେ ଘରେ ଆଦୃତ କରାଇଲେ। ପ୍ରମାଣିତ କରିଦେଲେ ଯେ, ପ୍ରତିଦିନ ଖାଇବା ପିଇବା ଓ ସ୍ନାନ କରିବା ଭଳି ଯୋଗ ମଧ୍ୟ ଆମର ଏକ ଦିନଚର୍ଯ୍ୟା ଅଟେ। ଏହା ବ୍ୟତିରେକ ଜୀବନ ଅଂସପୂର୍ଣ୍ଣ ଅଟେ।
ପ୍ରଥମ ଥର ପାଇଁ ଯୋଗଶାସ୍ତ୍ରର ବିଧିବଦ୍ଧ ପ୍ରଣୟନ ମହର୍ଷି ପତଞ୍ଜଳିଙ୍କ ଦ୍ୱାରା କରାଯାଇଥିଲା। ତାଙ୍କ ଗଚିତ ଗ୍ରନ୍ଥର ନାମ ‘ଯୋଗସୂତ୍ର’। ସୂତ୍ରାକାରରେ ଲେଖାଯାଇଥିବା ଏହି ଗ୍ରନ୍ଥଟି ଯୋଗୀର ଭିତ୍ତିଗ୍ରନ୍ଥ ଅଟେ। ପରବର୍ତ୍ତୀ କାଳରେ ଏହା ଉପରେ ଠିଆ ହେଲା ବିଶାଳ ଯୋଗ ସାହିତ୍ୟ। ଧୀରେ ଧୀରେ ଏହାକୁ ଆଧାର କରି ତଥା ଏହାର ଏକ ଦେଶକୁ ଆଧାର କରି ବିଭିନ୍ନ ସଂପ୍ରଦାୟ ବିକଶିତ ହେଲା।
ପ୍ରାୟ ୬୦୦୦ ବର୍ଷ ପୂର୍ବେ ଭାରତରେ ଯୋଗର ଉତ୍ପତ୍ତି ହୋଇଥିଲା । ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ନେବା ଓ ଏହାକୁ ଦୈନିକ ନିଜ ଦିନଚର୍ଯାରେ ଅଂଶୀଭୂତ କରିବା ପାଇଁ ଭାରତ ସମଗ୍ର ବିଶ୍ୱକୁ ପ୍ରସ୍ତାବ ଦେଇଥିଲା। ୨୦୧୪ ସେପ୍ଟେମ୍ବର ୨୭ରେ ଭାରତର ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ରଖିଥଲେ ।
ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ନିଜ ଅଭିଭାଷଣରେ ମୋଦି କହିଥିଲେ ଯେ, "ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଥିବାବେଳେ ଜଳବାୟୁ ପରିବର୍ତ୍ତନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ଆମ ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ପାଇଁ ଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଗଲେ ସବୁକିଛିର ପରିବର୍ତ୍ତନ କରାଯାଇପାରିବ । ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରାଯିବା ଉଚିତ ।"
ଏହାପରେ ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ପ୍ରତିବର୍ଷ ଜୁନ ୨୧ ତାରିଖରେ ପାଳନ କରାଯାଏ। ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ନିଆଯାଇଥିଲା ।
ଏବେ ସମସ୍ତେ ବୁଝିଲେଣି ଯୋଗ ଆମର ଦୈନନ୍ଦିନ ଜୀବନରେ ନିହାତି ଆବଶ୍ୟକୀୟ ଜିନିଷଟିଏ। ଡାକ୍ତରୀ ବିଜ୍ଞାନ ମଧ୍ୟ ଯୋଗର ଅନେକ ଉପକାରିତା ଉପରେ ଅବଗତ ହେଲାଣି ଏବଂ ଲୋକଙ୍କୁ ମଧ୍ୟ ଏହା ଅଭ୍ୟାସ କରିବାକୁ କହିଲେଣି ଡାକ୍ତରମାନେ।
ଏବେ ସେହି ସମୟ ପୁଣି ଫେରିଛି। ଯୋଗକୁ ଆପଣାଇ ପ୍ରତି ମଣିଷ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହୋଇପାରିବ । ଆଜିକାଲି ମଣିଷଙ୍କ ମନରେ ଯେଉଁ ହିଂସା ଦ୍ୱେଷ ଅହଙ୍କାର ବସା ବାନ୍ଧିଛି ତା ହ୍ରାସ ପାଇବ। ଗୋଟେ ସୁନ୍ଦର ସମାଜ ଓ ସୁସ୍ଥ ପରିବେଶ ତିଆରି ହୋଇପାରିବ। ଏଣୁ ବିଶ୍ୱ ଯୋଗ ଦିବସ ପାଳନର ଏହାହିଁ ହେଉ ପ୍ରମୁଖ ଅନୁଚିନ୍ତା । ଆଉ ସବୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ , ଛୋଟ ଠାରୁ ବଡ଼ ସବୁ ବୟସର ଲୋକେ ଏଥିରେ ସମସ୍ତେ ସାମିଲ୍ ହୁଅନ୍ତୁ। ନିଶ୍ଚୟ ଆମ ଦେଶ ଦିନେ ଏହି ଯୋଗ ମାଧ୍ୟମରେ ବିଶ୍ୱଗୁରୁ ହୋଇପାରିବାର ମହତ ରଖିବ।
ଚଳିତ ବର୍ଷ ସମଗ୍ର ବିଶ୍ୱ ପାଳୁଛି ୫ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଏହି ମହାନ କାର୍ଯ୍ୟକ୍ରମରେ ନିଜେ ସାମିଲ୍ ହେବା ସହ ଅନ୍ୟ ମାନଙ୍କୁ ଯୋଗ ଦେବାର ଶପଥ ନେବା । ଯୋଗର ବହୁବିଧ ଉପକାରିତା ସମ୍ପର୍କରେ ଲୋକଙ୍କୁ ବୁଝାଇବା ଆମ ସମସ୍ତଙ୍କ ପାଇଁ ଯୋଗ ଦିବସର ଅନୁଚିନ୍ତା ହେଉ ।